ଓଟିଡିସି ନାଁରେ ୩ କୋଟି ଠକେଇ: ଆତ୍ମଘୋଷିତ ବାବା, ଇଞ୍ଜିନିୟର ଗିରଫ

ଜାଲ୍‌ ୱାର୍କ ଅର୍ଡର୍‌ରେ ଠିକାଦାରଙ୍କୁ ଠକିଥିଲେ
ବ୍ୟାଙ୍କ ଆକାଉଣ୍ଟ ଅଚଳ କଲା ଇଓଡବ୍ଲୁ
ଓଟିଡିସି କର୍ମଚାରୀଙ୍କ ହାତ ଥିବା ସନ୍ଦେହ

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଉନ୍ନୟନମୂଳକ କାମ ପାଇଁ ଜାଲ୍ ୱାର୍କ ଅର୍ଡର ଦେଇ ଜଣେ ସ୍ପେସାଲ କ୍ଲାସ୍ ଠିକାଦାରଙ୍କ ଠାରୁ ୩ କୋଟି ଟଙ୍କା ଠକେଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ସେମାନେ ହେଲେ କଟକ ସିଡିଏ ସେକ୍ଟର-୯ରେ ରହୁଥିବା ଆତ୍ମଘୋଷିତ ବାବା ଶ୍ରୀ ସ୍ବାମୀ ବିଜୟାନନ୍ଦ ମହାରାଜ ଓରଫ୍ ବିଜୟାନନ୍ଦ ଚୌଧୁରୀ ଏବଂ ଓଟିଡିସିର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି। ଉଭୟଙ୍କଠାରୁ ଜାଲ୍ କାଗଜପତ୍ର, ସିଲ୍, ବ୍ୟାଙ୍କ ପାସ୍‌ବୁକ୍ ଜବତ କରାଯାଇଛି। ଏହି ରାକେଟ୍‌ରେ ଆହୁରି ଏକାଧିକ ବ୍ୟକ୍ତି ଥିବା ଜଣା ପଡ଼ିଥିବାବେଳେ ସେମାନଙ୍କ ପାଖକୁ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଯାଇଥିବା ଇଓଡବ୍ଲୁ ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି। ଏପରିକି ଏଥିରେ ଓଟିଡିସିର ମଧ୍ୟ କେତେକ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ଠକେଇର ଶିକାର ହୋଇଛନ୍ତି ସ୍ପେସାଲ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାୟଙ୍କ ଅଭିଯୋଗ ମୁତାବକ ଗତବର୍ଷ ଲକ୍‌ଡାଉନ୍ ସମୟରେ ସେ ତାଙ୍କୁ କୌଣସି କାମ ମିଳୁ ନ ଥିଲା। ତେଣୁ ସେ ବ୍ୟସ୍ତ ବିବ୍ରତ ହୋଇ କାମ ଖୋଜୁଥିଲେ। ଏମିତି ସମୟରେ ଜଣେ ସମ୍ପର୍କୀୟ ତାଙ୍କୁ ନେଇ ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ କଟକ ସିଡିଏସ୍ଥିତ ଘରେ ପହଞ୍ଚାଇଥିଲେ। ବିଜୟାନନ୍ଦ ନିଜକୁ ଓଟିଡିସି ଅଧ୍ୟକ୍ଷ ବୋଲି ପରିଚୟ ଦେଇଥିଲେ ଏବଂ ଚମ୍ପତିରାୟଙ୍କ ଦୁଃଖ କାହାଣୀ ଶୁଣିବା ପରେ ତାଙ୍କୁ ଓଟିଡିସିରେ କାମ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତିଙ୍କୁ ସେଠାକୁ ଡକାଇଥିଲେ। ଚନ୍ଦନ ଓଟିଡିସିର ଇଞ୍ଜିନିୟର ଅଛନ୍ତି ବୋଲି ବିଜୟାନନ୍ଦ ତାଙ୍କୁ ପରିଚୟ କରାଇଥିଲେ। ସାରାରାଜ୍ୟରେ ଥିବା ଓଟିଡିସିର ପାନ୍ଥ ନିବାସ ଓ ଆଇବିର ଉନ୍ନତୀକରଣ କାର୍ଯ୍ୟ ହେବ ଏବଂ ପ୍ରାୟ ଦେଢ଼ ଶହ କୋଟି ଟଙ୍କାର କାମ ସେମାନେ ଧନୁର୍ଦ୍ଧରଙ୍କୁ ‌‌ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି କରୋନା ସମୟରେ ୫ କୋଟି ଟଙ୍କାରୁ କମ୍ କାମର ଟେଣ୍ଡର ଆବଶ୍ୟକ ନାହିଁ ବୋଲି କହି ସିଧାସଳଖ କାମ କରିହେବ ବୋଲି ଦୁହେଁ ତାଙ୍କ ମନରେ ବିଶ୍ବାସ ଜନ୍ମାଇଥିଲେ। ତେବେ ଏଥିପାଇଁ ସେମାନେ ଆଗୁଆ ମୋଟା ଅଙ୍କର ଅର୍ଥ ଦେବାକୁ ହେବ ବୋଲି ଠିକାଦାରଙ୍କୁ ରାଜି କରାଇଥିଲେ।

ଧନୁର୍ଦ୍ଧର ସେମାନଙ୍କ ଜାଲରେ ପଡ଼ିଯିବା ପରେ ବିଜୟାନନ୍ଦ ଓ ଚନ୍ଦନ ପ୍ରାଥମିକ ପର୍ଯ୍ୟାୟରେ ବରକୁଳ ଓ ରମ୍ଭା ପାନ୍ଥ ନିବାସର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ କାମର ଜାଲ୍ କାର୍ଯ୍ୟାଦେଶ ବା ଵାର୍କ ଅର୍ଡର ପ୍ରସ୍ତୁତ କରିଥିଲେ। ଏଥିରେ ଓଟିଡିସି ନିର୍ବାହୀ ଯନ୍ତ୍ରୀଙ୍କ ସିଲ୍ ଓ ଦସ୍ତଖତ ରହିଥିଲା। ଏ ବାବଦରେ ପ୍ରଥମ ପର୍ଯ୍ୟାୟରେ ସେମାନେ ଧୁନର୍ଦ୍ଧରଙ୍କଠାରୁ କୋଟିଏ ଟଙ୍କା ନେଇଯାଇଥିଲେ। ଏହିପରି ଭାବେ ୨୦୨୦ ଅଗଷ୍ଟରୁ ନଭେମ୍ବର ମାସ ଭିତରେ ସେମାନେ ତାଙ୍କଠାରୁ ୩ କୋଟି ଟଙ୍କା ନେଇଥିବା ଇଓଡବ୍ଲୁ ତଦନ୍ତବେଳେ ଜାଣିବାକୁ ପାଇଛି। ସେଥିରୁ ୧ କୋଟି ୧୪ ଲକ୍ଷ ଟଙ୍କା ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତିର ଲୁଇସ୍ ରୋଡସ୍ଥିତ ଆନ୍ଧ୍ର ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ ବିଜୟାନନ୍ଦ ନଗଦ ଓ ବିଭିନ୍ନ ଉପାୟରେ ୧ କୋଟି ୮୫ ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ଠିକାଦାର ଧନୁର୍ଦ୍ଧରଙ୍କୁ କାମ ମିଳି ନ ଥିଲା। ସେ ଏହି ଓ୍ଵାର୍କ ଅର୍ଡର ଧରି ବାରମ୍ବାର ଓଟିଡିସି ଅଫିସ ଦୌଡ଼ିଥିଲେ। ତେବେ ତାହା ଜାଲ୍ ବୋଲି ଓଟିଡିସି ପକ୍ଷରୁ ତାଙ୍କୁ କୁହା ଯାଇଥିଲା। ଠିକାଦାର ଜଣକ ବଡ଼ ଠକେଇର ଶିକାର ହୋଇଥିବା ଜାଣିବା ପରେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ତେବେ ଓଟିଡିସି ଅଧିକାରୀଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ଆଇପିସିର ଧାରା-୪୧୯, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି)ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ବିଜୟାନନ୍ଦ ଓ ଚନ୍ଦନଙ୍କୁ ଆଜି ସେମାନଙ୍କ ଘରୁ ଗିରଫ କରାଯାଇଥିଲା।

ଇତିମଧ୍ୟରେ ଉଭୟ ଅଭିଯୁକ୍ତଙ୍କ ପାଖକୁ ଯାଇଥିବା ଟଙ୍କାର ପ୍ରମାଣ ମଧ୍ୟ ଇଓଡବ୍ଲୁ ସଂଗ୍ରହ କରିଛି। ଏହି ବିପୁଳ ପରିମାଣ ଅର୍ଥରୁ ଆଉ କିଛି ଟଙ୍କା ଏକାଧିକ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଛି। ଯାହାର ଖୋଳତାଡ଼ ଜାରି ରଖିଛି ତଦନ୍ତକାରୀ ଟିମ୍। ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି। ଯାହା ବିରୋଧରେ ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।

ସମ୍ବନ୍ଧିତ ଖବର