ନିଆଁ , ବିଜୁଳି ନେଲା ୩ ଜୀବନ

ଜଙ୍ଗଲ ନିଆଁରେ ଜିଅନ୍ତା ଜଳିଗଲେ ବନ କର୍ମଚାରୀ, ଝିଅ ଘରପୋଡ଼ି ଦେଖିବାକୁ ଆସି ଚାଲିଗଲେ ମା’, ପୁ‌ଅ

ବିଶ୍ବ ବନ ଦିବସରେ ହୃଦୟ ବିଦାରକ ଘଟଣା

ଠାକୁରମୁଣ୍ଡା / କରଞ୍ଜିଆ : ସାରା ବିଶ୍ବରେ ଆଜି ବନ ଦିବସ ପାଳନ କରାଯାଉଥିବାବେଳେ ଜଙ୍ଗଲ ନିଆଁରେ ପୋଡ଼ି ହୋଇ ଜଣେ ଠିକା ବନ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳ ଅଧୀନ ଜଡ଼ିବିଲରେ ଘଟିଛି ଏହି ହୃଦୟବିଦାରକ ଘଟଣା।

ମୃତ ବନ କର୍ମଚାରୀ ହେଉଛନ୍ତି ଜଡ଼ିବିଲ ଗ୍ରାମର ଯଦୁମଣି ମହାନ୍ତ (୬୦)। ଯଦୁମଣିଙ୍କ ପରିବାର କହିଲେ ପୁଅ, ପୁଅବୋହୂ, ନାତିନାତୁଣୀ, ଝିଅ ଓ ପତ୍ନୀ। ଝିଅର ବାହାଘର ସରିଛି। ବାପପୁଅ ଓ ନାତି ଦିନମଜୁରି କରି ଘର ଚଳାନ୍ତି। ବନ ବିଭାଗ ପକ୍ଷରୁ ଗାଁ ନିକଟ ଜଙ୍ଗଲ ଜମିରେ ଲଗାଯାଇଥିବା ଗଛଗୁଡ଼ିକର ଜଗାରଖା କରିବା ସହ ସେଗୁଡ଼ିକର ଯତ୍ନ ନେଉଥିଲେ ଯଦୁମଣି। ଆଜି ଦିନ ପ୍ରାୟ ୧୨ଟାରେ ବୃକ୍ଷରୋପଣ ସ୍ଥାନ ନିକଟ ଜଙ୍ଗଲରେ ହଠାତ୍‌ ନିଆଁ ଦେଖିବାକୁ ମିଳିଥିଲା। ଜଙ୍ଗଲ ଜମିରେ ଲାଗିଥିବା ଗଛଗୁଡ଼ିକୁ ନିଆଁ ପ୍ରକୋପରୁ ରକ୍ଷା‌ କରିବା ପାଇଁ ଯଦୁମଣି ଲାଗି ପଡ଼ିଥିଲେ। ଦୁର୍ଭାଗ୍ୟକୁ ନିଆଁ ଲିଭାଇବା ସମୟରେ ଯଦୁମଣି ପିନ୍ଧିଥିବା ଧୋତି ନିଆଁ ସଂସ୍ପର୍ଶରେ ଆସି ଜଳିଯାଇଥିଲା। ପ୍ରବଳ ଉତ୍ତାପ ଓ ଧୂଆଁ ଯୋଗୁଁ ସେଠାରେ ଅଚେତ ହୋଇ ତଳେ ପଡ଼ିଯିବା ପରେ ଜଙ୍ଗଲ ନିଆଁରେ ତାଙ୍କର ସର୍ବାଙ୍ଗ ଶରୀର ପୋଡ଼ିଯାଇଥିଲା। ପାଖରେ କେହି ନଥିବା ଯୋଗୁଁ ଉଦ୍ଧାର କରିବା ବି ସମ୍ଭବ ହୋଇ ନ ଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଯଦୁମଣିଙ୍କ ମୃତ୍ୟୁ ଘଟିଥିଲା।

ଏ ନେଇ ଥାନା କେସ୍ ନଂ ୩୨/୨୧‌ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ଘଟଣାର ତଦନ୍ତ କରିଥିବା ବେଳେ କେହି ଦୁର୍ବୃତ୍ତ ଜାଣିଣୁଣି ଜଙ୍ଗଲରେ ନିଆଁ ଲଗାଇଦେଇଥିବା କୁହାଯାଉଛି।

ଝିଅ ଘରପୋଡ଼ି ଦେଖିବାକୁ ଆସି ଚାଲିଗଲେ ମା’, ପୁ‌ଅ
ଚଣ୍ତିଖୋଲ : ଅଗ୍ନିକାଣ୍ଡ ଘଟି ନିଜ ଝିଅର ଦୁଇ ବଖରା ଘର ସହିତ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଗଲା। ଏହି ଖବର ପାଇ ମା’ ଓ ନାବାଳକ ଭାଇ ସାନ୍ତ୍ବନା ଦେବାକୁ ଆସିଥିଲେ। ପୋଡ଼ିଯାଇଥିବା ଘର ଭିତ‌କୁ ଯାଇ ବୁଲି ଦେଖୁଥିଲେ। ସେହିଠାରେ ଦୁର୍ଭାଗ୍ୟ ସେମାନଙ୍କୁ ଅପେକ୍ଷା କରିଥିଲା ଯେମିତି। ଘର ଭିତରେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଉଭୟ ମା’ ପୁଅଙ୍କ ଜୀବନ ଚାଲିଗଲା। ଆଜି ଏମିତି ଦୁଃଖଦ ଘଟଣା ଘଟିଛି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗ୍ରାମରେ। ମୃତ ମା’ପୁଅ ହେଲେ ନଳୀପୁର ଗ୍ରାମର ଚାନ୍ଦ ବିବି (୪୨) ଓ ନାବାଳକ ପୁଅ ୱାସିବ (୯)।

ଦର୍ପଣ ତହସିଲ ଅଧୀନ ନଳୀପୁର ପଠାଣମହଲା ଗ୍ରାମର ସେକ ଅଲ୍ଲୀଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରିରେ ନିଆଁ ଲାଗି ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ ଚଣ୍ତିଖୋଲ ଦମକଳ ବାହିନୀ ପହଞ୍ଚ‌ି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ତାଙ୍କର ଦୁଇ ବଖରା ଘର ସହ ସବୁ ସମ୍ପତ୍ତି ଜଳିଯାଇଥିଲା। ଆଜି ସକାଳୁ ନଳୀପୁର ଗ୍ରାମର ଚାନ୍ଦ ବିବି ଓ ତାଙ୍କ ପୁଅ ସେକ ୱାସିବ ଝିଅଘରେ ପହ‌ଞ୍ଚିଥିଲେ। ସେମାନେ ପୋଡ଼ିଯାଇଥିବା ଘର ଭିତରକୁ ଯାଇଥିବା ସମୟରେ ବିଦ୍ୟୁତ୍‌ ତାରରେ ଲାଗିଯାଇଥିଲେ। ଅଗ୍ନିକାଣ୍ଡ ଘଟିଥିଲେ ବି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇନଥିଲା। ଫଳରେ ଗୋଟିଏ ଝଟ୍‌କାରେ ଘଟଣାସ୍ଥଳରେ ହିଁ ମା’ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ ପହଞ୍ଚ‌ି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇ ତଦନ୍ତ ଚଳାଇଛି।

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ପହଞ୍ଚି ଅଗ୍ନିବିପନ୍ନ ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର