ଚର୍ଚ୍ଚାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ; ଦୁଇ ଦିନରେ ୨ ଗଣଦୁଷ୍କର୍ମ ଓ ୧ ଦୁଷ୍କର୍ମ ମାମଲାରେ ରାୟ

ସୁନ୍ଦରଗଡ଼: ଆଜି ସ୍ଥାନୀୟ ପକ୍ସୋ କୋର୍ଟରେ ପୁଣି ଏକ ନାବାଳିକା ଗଣଦୁଷ୍କର୍ମ ଓ ଗୋଟିଏ ଶିଶୁ ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇଛି। ୨୦୧୫ ମେ ୧୦ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ରଘୁନାଥପାଲି ଥାନା ତରକେରା ନିକଟ ଗଡିଆଟୋଲିରେ ସଂଘଟିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ କୋର୍ଟ ୩ ଜଣ ଗଣଦୁଷ୍କର୍ମ ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।

ସେହିପରି ୨୦୧୪ ଅଗଷ୍ଟ ୨୮ରେ ଟାଙ୍ଗରପାଲି ଥାନା ଅଞ୍ଚଳରେ ଘଟିଥିବା ଏକ ୯ ବର୍ଷର ଶିଶୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଏହା ପୂର୍ବରୁ ସୋମବାର ବଣାଇ ଥାନା ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ କୋର୍ଟ ୨ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ସ୍ଵତନ୍ତ୍ର ପକ୍ସୋ ବିଚାରପତି ପାର୍ଥସାରଥି ମହାପାତ୍ରଙ୍କ କୋର୍ଟରେ ଦୁଇ ଦିନରେ ଦୁଇଟି ଗଣଦୁଷ୍କର୍ମ ଓ ଗୋଟିଏ ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇବା ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଦଣ୍ଡାଦେଶ ପାଇଥିବା ଗଡ଼ିଆଟୋଲି ମାମଲାର ଦୋଷୀମାନେ ହେଲେ ଶିବୁ କୁମାର ଓରାମ (୩୫), ଅଜିତ କୁମାର ପଣ୍ଡା (୨୪) ଓ ଗଣେଶ ସାଣ୍ଡିଲ। ସେହିପରି ଟାଙ୍ଗରପାଲି ଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡ ପାଇଥିବା ବ୍ୟକ୍ତି ହେଲେ ଲେଙ୍ଗଡ଼ବସାର କାହ୍ନା ବିନ୍ଧାଣୀ (୨୮)। ଗଡ଼ିଆଟୋଲି ମାମଲାର ବିବରଣୀ ଅନୁସାରେ, ୨୦୧୮ ମେ ୧୦ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ରାଉରକେଲାରେ ନିଜ ମାମୁ ଘରେ ରହୁଥିବା ପୀଡ଼ିତ ସ୍କୁଟି ଧରି ନିଜ ବନ୍ଧୁ ସୌଭାଗ୍ୟ ନାଥଙ୍କୁ ଭେଟିବାକୁ ଗଡ଼ିଆଟୋଲି ଯାଇଥିଲେ। ସେଠାରେ ଏକ ନିଛାଟିଆ ପୋଲ ଉପରେ ବସି କଥା ହେଉଥିବା ବେଳେ ୩ ଜଣ ଅପରିଚିତ ଯୁବକ ଆସି ଧମକଚମକ ଦେଇ ସୌଭାଗ୍ୟକୁ ଭିଡ଼ି ଧରିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଆସି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ଏହା ପରେ ଅନ୍ୟ ଦୁଇ ଜଣ ମଧ୍ୟ ଜଣକ ପରେ ଜଣେ ଆସି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଚିତ୍କାର କରିଥିଲେ ମଧ୍ୟ ନିଛାଟିଆ ସ୍ଥାନ ହେତୁ କେହି ଶୁଣି ନଥିଲେ।

ତେବେ ଏହି ସମୟରେ ସୌଭାଗ୍ୟ କୌଶଳ କରି ନିଜ ସାଙ୍ଗମାନଙ୍କୁ ଫୋନ୍ କରି ଡାକିଥିଲେ। ସାଙ୍ଗମାନେ ତୁରନ୍ତ ଘଟଣାସ୍ଥଳକୁ ଆସିବା ପରେ ୨ ଯୁବକ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଧରା ପଡ଼ିଥିଲା। ଏତଲା ପରେ ପୁଲିସ ମାମଲା ରୁଜୁ କରି ଧରାପଡ଼ିଥିବା ଅଭିଯୁକ୍ତଙ୍କ ଠାରୁ ଅନ୍ୟ ଦୁଇ ଜଣଙ୍କ ପରିଚୟ ପାଇ ସେମାନଙ୍କୁ ଗିରଫ କରିଥିଲା। ପକ୍ସୋ କୋର୍ଟରେ ଅକ୍ଟୋବର ୧ ତାରିଖରେ ଜବାବ ସୁଆଲ ହେବା ପରେ ୫ ତାରିଖରେ ବିଚାରପତି ରାୟ ପ୍ରକାଶ କରିଥିଲେ। ଏହିକ୍ରମରେ କୋର୍ଟ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ଆଦେଶ କରିଛନ୍ତି।

ଅନ୍ୟପଟେ ୨୦୧୪ ଅଗଷ୍ଟ ୨୮ରେ ଟାଙ୍ଗରପାଲି ଥାନା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ମାମଲାର ବିବରଣୀ ଅନୁସାରେ, ୯ ବର୍ଷର ପୀଡ଼ିତା ଖେଳିବାକୁ ଘର ବାହାରକୁ ଯାଇଥିଲେ। କିନ୍ତୁ ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ସେ ଘରକୁ ନଫେରିବାରୁ ମା’ ଖୋଜିବାକୁ ଯାଇଥିଲେ। ଝିଅ ସବୁବେଳେ ଲେଙ୍ଗଡ଼ାବସାର କାହ୍ନା ବିନ୍ଧାଣୀଙ୍କ ଘରକୁ ଖେଳି ଯାଉଥିବାରୁ ସେଠାକୁ ଯାଇ ଖୋଜିଥିଲେ। ଠିକ୍ ସେହି ସମୟରେ କାହ୍ନା ନିଜ ନୂଆ ଘରୁ ବାହାରି ଯାଇଥିଲା ଓ ଝିଅ ମଧ୍ୟ କାନ୍ଦି କାନ୍ଦି ପଦାକୁ ଆସି କାହ୍ନା ତାକୁ ଦୁଷ୍କର୍ମ କରିଥିବା କହିଥିଲେ। ଏ ସମ୍ପର୍କରେ ପୀଡ଼ିତାଙ୍କ ମା’ ଟାଙ୍ଗରପାଲି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି କୋର୍ଟ ଦଣ୍ଡ ଶୁଣାଇ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ କରିଛନ୍ତି। ସ୍ବତନ୍ତ୍ର ପିପି ଦେବାଶିଷ ମିଶ୍ର ଏସବୁ ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର