ଯାତ୍ରୀବାହୀ ଗାଡ଼ି ଉପରୁ ୩ ମାସର ରୋଡ୍‌ ଟ୍ୟାକ୍ସ ଛାଡ଼

ଭୁବନେଶ୍ବର: ଶେଷରେ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଉପରୁ ୩ ମାସର ରୋଡ୍‌ ଟ୍ୟାକ୍ସ ଛାଡ଼ କରାଯାଇଛି। ଲକ୍‌ଡାଉନ୍‌ ପରେ ମାର୍ଚ୍ଚ ୨୨ରୁ ସାରା ରାଜ୍ୟରେ ଯାତ୍ରୀବାହୀ ଗାଡ଼ି ଚଳାଚଳ ବନ୍ଦ ଥିବା ପରିପ୍ରେକ୍ଷୀରେ ଏପ୍ରିଲ, ମେ’ ଓ ଜୁନ୍‌ ମାସର ରୋଡ୍‌ ଟ୍ୟାକ୍ସ ଛା‌ଡ଼ ଲାଗି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟରେ ବସ୍‌ ଚଳାଚଳକୁ ସରକାର ଅନୁମତି ଦେଇଥିଲେ ମଧ୍ୟ ରୋଡ୍‌ ଟ୍ୟାକ୍ସ ଛାଡ଼ ସମେତ ବିଭିନ୍ନ ଦାବି ନେଇ ବସ୍‌ ମାଲିକମାନେ ଅଡ଼ି ବସିଥିଲେ। ଯେଉଁଥିପାଇଁ ଲକ୍‌ ଡାଉନ୍‌-୩ ପରେ କଟକଣା କୋହଳ ହୋଇଥିଲେ ମଧ୍ୟ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ହୋଇପାରି ନ ଥିଲା। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଓ ବିଭାଗୀୟ ମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ବେଳେ ସଂଘ ରୋଡ୍‌ ଟ୍ୟାକ୍ସ ଛାଡ଼ କରିବାକୁ ଦାବି କରିଥିଲା। ନ ହେଲେ ଗାଡ଼ି ଚଳାଇବା ସମ୍ଭବପର ନୁହେଁ ବୋଲି ବସ୍‌ ମାଲିକମାନେ ରୋକଠୋକ୍ ଜଣାଇ ଦେଇଥିଲେ।

YouTube

ଯେହେତୁ ରାଜ୍ୟ ସରକାର ଘରୋଇ ବସ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଏଣୁ ଆଉ ବିକଲ୍ପ ରାସ୍ତା ନ ପାଇ ଅର୍ଥ ବିଭାଗକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦିଆଯାଇଥିଲା। ଅର୍ଥ ବିଭାଗର ସମ୍ମତି ଦେଇଥିଲେ।

ଅନ୍ୟପକ୍ଷରେ ଗତକାଲିଠାରୁ ରାଜ୍ୟରେ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ସ୍ବାଭାବିକ ଅବସ୍ଥାକୁ ଫେରି ପାରିନାହିଁ। ଜୁନ୍‌ ପହିଲାଠାରୁ ଅଧିକ ସଂଖ୍ୟାରେ ବସ୍‌ ଚଳାଚଳ କରିବ ବୋଲି ମାଲିକ ସଂଘ କହିଛନ୍ତି। ଲକ୍‌୍‌ଡ଼ାଉନ-୫ର ରୂପରେଖ କଣ ହେବ, ତାହା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି କୁହାଯାଉଛି। ଯଦିଓ ସରକାର ଅନେକାଂଶରେ କଟକଣା କୋହଳ କରିସାରିଲେଣି, କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଖି ଲୋକେ ବସରେ ଗମନାଗମନ ଲାଗି ଆଗ୍ରହ ଦେଖାଉନାହାନ୍ତି ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର