ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ପୁଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ନକ୍ସଲ ନିହତ ହୋଇଥିବାବେଳେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି। ଏଥିସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁକମା ଏସ୍ପି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ, ଆଜି ସକାଳେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ଫୁଲବଗଡୀ ଥାନା ଅନ୍ତର୍ଗତ ମୁର୍କାଗୁଡା ଏବଂ ମୁଲେର ମଧ୍ୟରେ ରହିଥିବା ଜଂଗଲରେ ଯବାନମାନେ ପଶିଥିଲେ। ଏନେଇ ସୂଚନା ମିଳିବା ପରେ ବହୁ ସଂଖ୍ୟାରେ ନକ୍ସଲ ଜଙ୍ଗଲରେ ଆମ୍ବୁସ ଲଗାଇ ବସିଥିଲେ। ଯବାନ ନିକଟତର ହେବାରୁ ଅତର୍କିତ ଗୁଳି ଚଳାଇଥିଲେ। ପୂର୍ବରୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଥିବା ଯବାନମାନେ ଗଛ ଏବଂ ପଥର ଆଢ଼ୁଆଳକୁ ଚାଲିଯାଇ ପାଲଟା ଜବାବ ଦେଇଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା। ଶେଷରେ ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳେର ସର୍ଚ୍ଚ ଅପରେସନ ସମୟରେ ୩ ନକ୍ସଲଙ୍କ ଶବ ମିଳିଥିଲା। ତେଣୁ ଆହୁରି କିଛି ଜଣ ଆହତ ହୋଇଥିବା ଅନୁମାନ କରି ଯବାନମାନେ ଜଙ୍ଗଲରେ ସନ୍ଧାନ ଆରମ୍ଭ କରିଥିଲେ। ଜଙ୍ଗଲରେ ଲୁଚି ରହିଥିବା ଜଣେ ନକ୍ସଲଙ୍କୁ ଠାବ କରି ଗିରଫ କରାଯାଇଥିଲା। ସେହିପରି ମାଓ ସାମଗ୍ରୀ ଓ ବନ୍ଧୁକ ଜବତ କରାଯାଇଛି।
ଖବର ଲେଖାଯିବା ସୁଦ୍ଧା ଅପରେସନ ସାରି ଯବାନମାନେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚି ନଥିଲେ। ଏଥିଯୋଗୁଁ ସବିଶେଷ ତଥ୍ୟ ମିଳି ନଥିବାବେଳେ ଦଶହରା ପୂର୍ବରୁ ଏହା ପୁଲିସର ବଡ଼ ସଫଳତା ବୋଲି କୁହାଯାଉଛି। ଗିରଫ ନକ୍ସଲକୁ ପଚରାଉଚରା କରିବ ବୋଲି ପୁଲିସ କହିଛି।