ସୁନ୍ଦରଗଡ଼ ଜିଲ୍ଲାରେ ୧୨-୧୪ ବର୍ଷ ପିଲାଙ୍କୁ ଟିକାଦାନ ଆରମ୍ଭ; ପ୍ରଥମ ଦିନରେ ୩୭୦ ସ୍କୁଲ ପିଲାଙ୍କୁ ଟିକା

ରାଉରକେଲା/ସୁନ୍ଦରଗଡ଼: ଜିଲ୍ଲାରେ ଆଜିଠାରୁ ୧୨-୧୪ ବର୍ଷ ବର୍ଗର ନାବାଳକ/ନାବାଳିକାଙ୍କୁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସୁନ୍ଦରଗଡ଼ ସହରର ସେଣ୍ଟ୍‌ ମେରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଅନ୍ତର୍ଗତ ବିଦ୍ୟୁତ କଲୋନୀ ଉଚ୍ଚ ବିଦ୍ୟାଳୟଠାରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ହିତାଧିକାରୀମାନଙ୍କୁ ଟିକା ଦିଆଯାଇଛି। ଏହି ଦୁଇ କେନ୍ଦ୍ରରେ ପ୍ରଥମ ଦିନରେ ମୋଟ ୩୭୦ ଜଣଙ୍କୁ ଟିକା ଦିଆଯାଇଛି। ସୁନ୍ଦରଗଡ଼ର ସେଣ୍ଟ୍‌ ମେରୀ ବାଳିକା ଉଚ୍ଚବିଦ୍ୟାଳୟରେ ୨୯୧ ଜଣ ପିଲାଙ୍କୁ ଟିକା ଦିଆଯାଇଥିବାବେଳେ ରାଉରକେଲାରେ ୭୯ ଜଣଙ୍କୁ ଟିକା ଦିଆଯାଇଥିଲା।

ଆସନ୍ତାକାଲିଠାରୁ ତାରିଖରୁ ବ୍ଲକସ୍ତରରେ ବିଭିନ୍ନ ହାଇସ୍କୁଲରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଟିକା ଦିଆଯିବ। ଜିଲ୍ଲାର ମୋଟ୍‌ ୭୫ ହଜାର ୮୭୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବର୍ଗର ପିଲାଙ୍କ ଟିକାକରଣ ପାଇଁ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରାଯାଇନାହିଁ। ସେମାନେ ସିଧାସଳଖ କେନ୍ଦ୍ରରେ ପହଞ୍ଚି ଜନ୍ମ ପ୍ରମାଣପତ୍ର ଦେଖାଇ ପଞ୍ଜିକରଣ କରିବାପପେର ଟିକା ନେଇପାରିବେ। ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଏମାନଙ୍କୁ ଦ୍ଵିତୀୟ ଡୋଜ୍‌ ଦିଆଯିବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସରୋଜ ମିଶ୍ର କହିଲେ, କୋଭିଡ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ପର୍ଯ୍ୟାୟକ୍ରମେ ଟିକା ଦିଆଯାଉଛି; ତେବେ ୧୨ରୁ ୧୪ ବର୍ଷ ବର୍ଗଙ୍କୁ ଆଗରୁ ଟିକା ଦିଆଯାଇନଥିଲା। ଏବେ ସ୍କୁଲ ଖୋଲିଥିବାରୁ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଟିକାଦାନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ସୂଚନାଯୋଗ୍ୟ, ପ୍ରଥମେ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଓ ୬୦ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇଥିଲା। ପରବର୍ତ୍ତି ସମୟରେ ପର୍ଯ୍ୟାୟକ୍ରମେ ୪୫-୫୯ ବର୍ଷ, ୧୮-୪୪ ବର୍ଷ ଓ ୧୫-୧୭ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର