ଭିମ୍‌ସାର ପାଇଁ ଏମ୍‌ସିଆଇ ଚିନ୍ତା; ଏସ୍‌ସିବିରୁ ଯିବେ ୬ ଡାକ୍ତର

ସ୍ବାସ୍ଥ୍ୟ ବିଭାଗର କାମଚଳା ନୀତି

କଟକ: ଏସ୍‌ସିବିରୁ ୬ଜଣ ବିଶେଷଜ୍ଞ ଡାକ୍ତର ଯିବେ ଭିମସାର୍‌। ନିଶ୍ଚେତକ ବିଭାଗର ୩ ଜଣ, ଶିଶୁରୋଗ ବିଭାଗର ୨ଜଣ ଓ ବାୟୋକେମେଷ୍ଟ୍ରିର ଜଣେ ବିଶେଷଜ୍ଞଙ୍କୁ ବୁର୍ଲା ଭିମ୍‌ସାରରେ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଭିମ୍‌ସାରରେ ସେମାନେ କାର୍ଯ୍ୟ କରିବେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ତେବେ, ହଠାତ୍‌ କଟକ ବଡ଼ ଡାକ୍ତରଖାନାରୁ କ’ଣ ପାଇଁ ୬ଜଣ ପ୍ରଫେସର, ଆସୋ‌ସିଏଟ୍‌ ପ୍ରଫେସରଙ୍କୁ ଭିମ୍‌ସାର ପଠାଗଲା, ତା’ର ଉତ୍ତର କାହାପାଖରେ ନାହିଁ। ମିଳିଥିବା ସୂଚନା ଅନୁସାରେ ଭିମ୍‌ସାର୍‌ର ୩ଟି ବିଭାଗରେ ଏମ୍‌ସିଆଇର ଯାଞ୍ଚ ପ୍ରକ୍ରିୟା ରହିଥିବାରୁ ସେମାନଙ୍କୁ ୧୦ଦିନ ପାଇଁ ସେଠାକୁ ପଠାଯାଇଛି। ଯାଞ୍ଚ ପରେ ସେମାନେ ‌ପୁଣି ନିଜ ପୂର୍ବସ୍ଥାନ ଅର୍ଥାତ୍‌ ଏସ୍‌ସିବିକୁ ଫେରିଆସିବେ ବୋଲି ଜଣାପଡ଼ିଛି।

ସେମାନେ ‌ହେଲେ, ଏସ୍‌ସିବି ନିଶ୍ଚେତକ ବିଭାଗର ପ୍ରଫେସର ଡାକ୍ତର ବସନ୍ତ ପ୍ରଧାନ, ପ୍ରଫେସର ଡାକ୍ତର ନାରାୟଣ ଆଚାର୍ଯ୍ୟ(ଯିଏକି ବଲାଙ୍ଗୀର ମେଡିକାଲ କଲେଜରେ ନିଯୁକ୍ତ ଥିବାବେଳେ ଏସ୍‌ସିବିରେ ଅବସ୍ଥାପିତ ହୋଇ କାମ କରୁଛନ୍ତି), ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁ, ଶିଶୁରୋଗ ବିଭାଗର ପ୍ରଫେସର ଡାକ୍ତର ଏନ୍‌.ଏନ୍‌. ସୋରେନ୍‌, ଆସୋସିଏଟ୍‌ ପ୍ରଫେସର ମଙ୍ଗଲ ମୁର୍ମୁ, ବାୟୋକେମେଷ୍ଟ୍ରି ବିଭାଗର ଆସୋସିଏଟ୍‌ ପ୍ରଫେସର ଉପେନ୍ଦ୍ର କୁମାର ଦାସ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୨ତାରିଖ ପତ୍ର ସଂଖ୍ୟା ୧୪୫୬୩ରେ ଜାରି ଆଦେଶନାମାରେ ତାଙ୍କୁ ଭିମ୍‌ସାର୍‌କୁ ପଠାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ଭିମ୍‌ସାର ସ୍ବୟଂଚାଳିତ ହେବାପରେ ସେଠାରେ ନିଶ୍ଚେତକ ଡାକ୍ତରଙ୍କ ପଦୋନ୍ନତିକୁ ନେଇ ବିବାଦ ରହିଥିବାରୁ ପ୍ରଫେସର ପଦ ଖାଲିପଡ଼ିଛି। ଶିଶୁରୋଗ ବିଭାଗ‌ରେ ପ୍ରଫେସରଙ୍କ ମୃତ୍ୟୁ ପରେ ସେଠାରେ ମଧ୍ୟ ପ୍ରଫେସର ପଦ ଖାଲି ରହିଛି। ଏହିଭଳି ପରିସ୍ଥିତିରେ ଏମ୍‌ସିଆଇ ଯାଞ୍ଚ୍‌ ବେଳେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ନିୟମ ଅନୁସ‌ାରେ ଏସ୍‌ସିବିରୁ ଭିମ୍‌ସାର୍‌କୁ ଡାକ୍ତର ବଦଳି କରାଯାଇପାରିବ ନାହିଁ। ଭିମସାର୍ ସ୍ବୟଂଚାଳିତ ଅନୁଷ୍ଠାନ ହୋଇଥିବାରୁ ସେଠାରେ ଡାକ୍ତରଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ, ନଚେତ୍‌ ଅନ୍ୟ ସରକାରୀ କଲେଜରେ ଥିବା ଡାକ୍ତରମାନଙ୍କ ସ୍ବୀକୃତି ନେଇ ସେଠାରେ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ। କିନ୍ତୁ ଗୋଟିଏ ପଟେ ଅଧିକ ଡାକ୍ତର ନିଯୁକ୍ତି ଦିଗରେ ସରକାର ପଦକ୍ଷେପ ନେଇ ପାରୁନଥିବାବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ନିୟମ ବାହାରେ ଆଇନକୁ ଆଖିଠାର ମାରି ଏଭଳି ଡେପୁଟେସନ୍, ଡେପ୍ଲୟମେଣ୍ଟ୍ ନିର୍ଦ୍ଦେଶ ଜାରି କରି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏମସିଆଇ ସ୍ବୀକୃତି ହାସଲ କରୁଛି। ଏଭଳି କାମଚଳା ନୀତି ଦ୍ବାରା ସ୍ବାସ୍ଥ୍ୟସେବାର ପ୍ରକୃତ ବିକାଶ ହୋଇ ପାରୁ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର