ନୂଆ ଯୁବ କଂଗ୍ରେସ ସଭାପତିଙ୍କୁ ନେଇ ତୁମୁଳକାଣ୍ଡ: କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମୁହାଁମୁହିଁ, ବୁଲିଲା ଖଣ୍ଡା

୪ ଦିନରେ ଦେବେ ରିପୋର୍ଟ, ଖଣ୍ଡା ବୁଲାଇଥିବା ଯୁବକ ଗିରଫ

ଭୁବନେଶ୍ବର: ପୁଣି ପଦାରେ ପଡ଼ିଛି କଂଗ୍ରେସର ଦଳୀୟ କନ୍ଦଳ। ଆଜି ଦାୟିତ୍ବ ନେବାକୁ ଥିବା ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାକୁ ନେଇ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ତାଲା ପଡ଼ିଥିବା ମୁଖ୍ୟ ଫାଟକକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯିବା ସହ ଉଭୟ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛନ୍ତି। ଏପରିକି ଜଣେ ଯୁବକ କଂଗ୍ରେସ ଭବନ ଭିତରେ ପଶି ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଦିନତମାମ କଂଗ୍ରେସ ଭବନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏଭଳି ଅଭାବନୀୟ ପରିସ୍ଥିତି ଭିତରେ ଯୁବ ସଭାପତି ଶ୍ରୀ ଲେଙ୍କା ଦାୟିତ୍ବ ଗ୍ରହଣ କରିଛନ୍ତି। କଂଗ୍ରେସ ଭବନରେ ଘଟିଥିବା ଏପରି ଅପ୍ରୀତିକର ପରିସ୍ଥିତି ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ତଦନ୍ତ କମିଟି ଗଠନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା କଂଗ୍ରେସ ଭବନ ଆସି ଦାୟିତ୍ବ ନେବାର ଥିଲା। ଏହା ଜାଣି ତାଙ୍କୁ ବିରୋଧ କରୁଥିବା ପ୍ରାୟ ଶତାଧିକ ମହିଳା ଓ ଯୁବକ ଏକାଠି ହୋଇ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଶ୍ରୀ ଲେଙ୍କା ତାଙ୍କର ପ୍ରାୟ ୫୦ରୁ ଅଧିକ ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ କଂଗ୍ରେସ ଭବନ ପାଖରେ ପହଞ୍ଚିବା ପରେ ବିରୋଧୀ ଗୋଷ୍ଠୀ ‘ସ୍ମୃତି ଗୋ ବ୍ୟାକ୍‌ ଦିଲ୍ଲୀ’ ବୋଲି ନାରାବାଜି କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଇତିଶ ପ୍ରଧାନ ଓ ଶ୍ରୀ ଲେଙ୍କାଙ୍କ ସମର୍ଥକମାନେ ମୁଖ୍ୟ ଫାଟକରେ ଠେଲାପେଲା କରିବା ସହ ବଳପୂର୍ବକ କଂଗ୍ରେସ ଭବନରେ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ପରସ୍ପର ଭିତରେ ଧସ୍ତାଧସ୍ତି ହେବା ସହ ଭିଡ଼ ଭିତରେ ଭୁବନେଶ୍ବର ସାଲିଆ ସାହିରେ ରହୁଥିବା ଗଞ୍ଜାମ ପୋଲସରାର ଜଣେ ଯୁବକ ନୀଳାଚଳ ବେହେରା ଖଣ୍ଡା ବାହାର କରି ବୁଲାଇଥିଲେ। ଏହି ଘଟଣା ବେଳେ ପୁଲିସ ଫୋର୍ସ୍‌ ଉପସ୍ଥିତ ଥିଲେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହେବାର ଖବର ପାଇ ସହିଦନଗର, ମଞ୍ଚେଶ୍ବର ଥାନା ଅଧିକାରୀଙ୍କ ସମେତ ଜୋନ୍-୧, ଜୋନ୍-୪ ଏସିପି ଓ ଅତିରିକ୍ତ ଡିସିପି ଅଧିକ ଫୋର୍ସ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ସହ ଖଣ୍ଡା ବୁଲାଉଥିବା ଯୁବକଙ୍କୁ କାବୁ କରି ନେଇଥିଲେ। ସମ୍ପୃକ୍ତ ଯୁବକଙ୍କ ଠାରୁ ଖଣ୍ଡା ଜବତ କରିବା ସହ ତାଙ୍କୁ ପୁଲିସ ଅଟକ ରଖି ପରେ ଗିରଫ କରିଛି। ଏ ନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଏହି ଘଟଣାକୁ ନେଇ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଇତିଶ ପ୍ରଧାନ ପିସିସି ସଭାପତିଙ୍କ ବିରୋଧରେ ବିଷୋଦଗାର କରିଥିଲେ। ସେ ଅଭିଯୋଗ କରି କହିଥିଲେ, କଂଗ୍ରେସକୁ ସଶକ୍ତ କରିବାକୁ ନିଜେ ସଭାପତି ଚାହୁଁନାହାନ୍ତି। ନୂଆ ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି ନିଜେ ସଭାପତି ଏପରି କାଣ୍ଡ ଭିଆଇଛନ୍ତି। ତାଙ୍କୁ ଦଳରେ ବହିଷ୍କାର ନେଇ ଯେପରି ପ୍ରଚାର କରାଯାଉଛି ସେଥିରେ ବାସ୍ତବତା ନାହିଁ। ସେ ଏବେ ବି ଦଳ ପାଇଁ କାମ କରୁଛନ୍ତି ବୋଲି କହିଥିଲେ। ଅନ୍ୟପଟେ କଂଗ୍ରେସ ଭବନରେ ଏହି ଘଟଣାକୁ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ପ୍ରତିକ୍ରିୟା ଦେଇ କହିଥିଲେ, କଂଗ୍ରେସ ଭବନରେ ଯାହା ଘଟିଛି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁମାନେ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯୁବ କଂଗ୍ରେସର ସଭାପତି ପଦବି କାହାକୁ ମିଳିବ ସେ ନେଇ ଯୁବ କଂଗ୍ରେସ ନେତାମାନଙ୍କ ମତାମତ ନେବା ଉଚିତ୍‌ ଥିଲା। ଯେତେବେଳେ କଂଗ୍ରେସକୁ ଲୋକେ ପୁଣି ଥରେ ଗ୍ରହଣ କରିବା ଆରମ୍ଭ କରିଛନ୍ତି ସେତିକିବେଳେ ପଦପଦବିକୁ ନେଇ ନିଜ ନିଜ ଭିତରେ ଏପରି ଗଣ୍ଡଗୋଳ କରିବା ଫଳରେ ଦଳର ପ୍ରତିଛବି ଲୋକଙ୍କ ଆଗରେ ଖରାପ ହେଉଛି। ଏପିରି ହେଲେ ଲୋକଙ୍କ ବିଶ୍ବାସ ଉଠିଯିବ। ବାସ୍ତବରେ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ୪ଦିନ ଭିତରେ ରିପୋର୍ଟ ଦେବ। କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ମାନସ ଚୌଧୁରୀ, ବିଶ୍ବ ଦାସ ଓ ସଂଗ୍ରାମ ଜେନା ସଦସ୍ୟ ଅଛନ୍ତି। ତଦନ୍ତ ପରେ ଏଆଇସିସିକୁ ଅବଗତ କରାଯିବ ବୋଲି ପିସିସି ସଭାପତି କହିଥିଲେ।

ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଲେଙ୍କା କହିଥିଲେ, କଂଗ୍ରେସ ଭବନରେ ଘଟିଥିବା ଘଟଣା ପାଇଁ ବିରୋଧୀ ଦଳ ଦାୟୀ। ସେମାନେ କଂଗ୍ରେସକୁ ଦୁର୍ବଳ କରିବା ଲାଗି ଏପରି କରିଥାଇ ପାରନ୍ତି। ତାଙ୍କ ଦଳ ଭିତରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ। ଆଗକୁ ସଂଗଠନକୁ ଅଧିକ ସୁଦୃଢ କରାଯିବ। ଅଧିକରୁ ଅଧିକ ଯୁବବର୍ଗଙ୍କୁ ସାମିଲ କରାଯିବ। ସରକାରଙ୍କ ଦୋଷ ଦୁର୍ବଳତା ଓ ବିଫଳତା ବିରୋଧରେ ଲଢେଇ ଜାରି ରହିବ ବୋଲି ସେ କହିଥିଲେ। ସାଂସଦ ସପ୍ତଗିରି ଉଲ୍ଲକା କହିଥିଲେ, ନୂଆ ଯୁବ କଂଗ୍ରେସ ସଭାପତିଙ୍କୁ ନେଇ ଦଳ ଭିତରେ କୌଣସି ମତ ପାର୍ଥକ୍ୟ ନାହିଁ। ପିସିସି ସଭାପତି ମଧ୍ୟ ଶ୍ରୀ ଲେଙ୍କାଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ଶ୍ରୀ ଲେଙ୍କା ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ କଂଗ୍ରେସ କର୍ମକର୍ତ୍ତାମାନଙ୍କ ସହିତ ବିଚାର ବିମର୍ଶ କରିଥିଲେ। ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବିଜେଡି ଓ ବିଜେପି ସରକାର ବିରୋଧରେ ସ୍ବର ଉତ୍ତୋଳନ କରାଯିବା ସହ ଲଢ଼େଇ ଜାରି ରହିବ ବୋଲି ମତ ପ୍ରକାଶ ପାଇଥିଲା। ଶ୍ରୀ ଲେଙ୍କାଙ୍କୁ ଗତ ୧୮ ତାରିଖରେ ଜାତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ ସଭାପତି ପଦରେ ନିଯୁକ୍ତ କରିଥିଲେ।

ସମ୍ବନ୍ଧିତ ଖବର