ଗାଁରେ ପଶିବାକୁ ବିରୋଧ କରିବାରୁ ସଂଘବଦ୍ଧ ଆକ୍ରମଣ : ୪ ଆହତ, ଜଣେ ଗୁରୁତର; ରାଧାକୃଷ୍ଣପୁରରେ ପୁଲିସ ମୁତୟନ

ଖୁଣ୍ଟୁଣୀ : କରୋନା କଟକଣା ସମୟରେ ଗାଁରେ ପ୍ରବେଶକୁ କେନ୍ଦ୍ରକରି ଆଜି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ଗ୍ରାମଛକରେ ତୁମୁଳକାଣ୍ଡ ଘଟିଛି। ଧନୁତୀର, ଫାର୍ସା ସମେତ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଏଥିରେ ରାଧାକୃଷ୍ଣପୁର ଗ୍ରାମର ରଘୁନାଥ ଜେନା(୩୫), ଭାବ ନାଏକ(୪୩), ଏଣ୍ଡୁଅ ନାଏକ(୩୮) ଓ ଲକ୍ଷ୍ମୀଧର ନାଏକ(୪୪) ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରଘୁନାଥଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଅନ୍ୟମାନେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ କାଳିମାଟି ଗ୍ରାମର ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, କରୋନା ପାଇଁ ରାଧାକୃଷ୍ଣପୁର ଗ୍ରାମରେ ଗତକାଲିଠାରୁ ଲକ୍‌ଡାଉନ୍‌ କଡ଼ାକଡ଼ି କରାଯାଇଛି। ଏଥିସହ ନିର୍ଦ୍ଦିଷ୍ଟ ସମୟ ପରେ ବାହାରୁ ଗାଁକୁ ପ୍ରବେଶ ନେଇ ଲୋକଙ୍କୁ ବାରଣ କରାଯାଉଛି। ଗତକାଲି ସନ୍ଧ୍ୟାରେ ଏହାକୁ ଅମାନ୍ୟ କରି ସ୍ଥାନୀୟ କାଳିମାଟି ଜନଜାତି ବସ୍ତିର କେତେକ ଲୋକ ରାଧାକୃଷ୍ଣପୁର ଗ୍ରାମକୁ ଆସିଥିଲେ। ଏହାକୁ ଦଳିତସାହିର ଯୁବକମାନେ ବିରୋଧ କରିଥିଲେ। ଏ ନେଇ ଚାପା ଉତ୍ତେଜନା ଜାରି ରହିଥିବାବେଳେ ଆଜି ସକାଳେ ସ୍ଥାନୀୟ ସଡ଼କସାହି ଜନଜାତି ବସ୍ତିରେ ରହୁଥିବା ଝାଡ଼ଖଣ୍ଡର ଜଣେ ଠିକା ଶ୍ରମିକଙ୍କ ହଠାତ୍‌ ମୃତ୍ୟୁ ହୋଇଥିବା ପ୍ରଚାରିତ ହୋଇଥିଲା। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ଏହି ସମୟରେ କାଳିମାଟିର କିଛି ଲୋକ ପୁଣି ରାଧାକୃଷ୍ଣପୁର ଗ୍ରାମକୁ ଆସିଥିଲେ। ଗ୍ରାମବାସୀ ସେମାନଙ୍କୁ ବାରଣ କରିବାରୁ ଉଭୟପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ସେଠାରୁ ସେମାନେ ଚାଲି ଯାଇଥିଲେ। କିଛି ସମୟ ପରେ ସକାଳ ପ୍ରାୟ ୯ଟାରେ କାଳିମାଟି ଗ୍ରାମର ୧୫ରୁ ଅଧିକ ଲୋକ ଧନୁତୀର, ଫାର୍ସା, ଠେଙ୍ଗା ଓ କଟୁରି ଧରି ସଂଘବଦ୍ଧ ଭାବେ ରାଧାକୃଷ୍ଣପୁର ଛକରେ ପହଞ୍ଚି ସେହି ଗ୍ରାମର ରଘୁନାଥ ଜେନାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ରଘୁଙ୍କ ଦୁଇ ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ରଘୁଙ୍କ ଚିତ୍କାର ଶୁଣି ନିକଟରେ ଥିବା ଦଳିତ ସାହିର ଲୋକେ ସେଠାରେ ପହଞ୍ଚି ଯିବାରୁ ଉଭୟପକ୍ଷ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଏଥିରେ ଦଳିତ ସାହିର ଭାବ ନାଏକ, ଏଣ୍ଡୁଅ ନାଏକ ଓ ଲକ୍ଷ୍ମୀଧର ନାଏକ ଆହତ ହୋଇଛନ୍ତି। ସେହିପରି ପ୍ରତି ଆକ୍ରମଣରେ କାଳିମାଟିର କିଛି ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିବା ପୁଲିସ୍‌ କହିଛି। ତେବେ, ରାଧାକୃଷ୍ଣପୁର ଗ୍ରାମରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି। ଏସ୍‌ଡିପିଓ ବିଶ୍ବପ୍ରକାଶ ପଟ୍ଟନାୟକ, ଖୁଣ୍ଟୁଣୀ ଥାନା ଅଧିକାରୀ ସୂଚିତ୍ରବିର୍ଯ୍ୟ ଦାସ, ଏସ୍‌ଆଇ ନିରଞ୍ଜନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର