ଚାଷୀଙ୍କୁ ଜିଲ୍ଲାପାଳଙ୍କ ଅଫିସରେ ପୂରାଇ ଦେଲାନି ପୁଲିସ, ଧାରଣାରେ ବସିଲେ ଚାରି ବିଧାୟକ

ସମ୍ବଲପୁର: ଚଳିତ ଖରିଫ୍‌ ଋତୁର ଧାନ ସଂଗ୍ରହ ପାଇଁ ଶନିବାର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି (ଡିଏଲ୍‌ପିସି) ବୈଠକ ହେବାର ଥିଲା। ଚାଷୀମାନେ ବୈଠକରେ ଯୋଗଦେବାକୁ ଆସିବା ସମୟରେ ପୁଲିସ୍‌ ଜିଲ୍ଲାପ‌ାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଦେଇଥିଲା। ଖୋଦ୍‌ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଚିଠି ଲେଖି କୃଷକ ସଂଗଠନର ପ୍ରତିନିଧିଙ୍କୁ ବୈଠକରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। କିନ୍ତୁ ପୁଲିସ୍‌ ତାଙ୍କ କାର୍ଯ୍ୟାଳୟ ଫାଟକକୁ ଅବରୋଧ କରି ଆମନ୍ତ୍ରିତ ଚାଷୀ ପ୍ରତିନିଧିଙ୍କୁ ପଶିବାକୁ ଦେଇ ନଥିଲା। ଯାହା ଚାଷୀଙ୍କ ସ୍ବାଭିମାନ ପ୍ରତି ଆଘାତ କରିଥିଲା। ସମ୍ବଲପୁର ପୁଲିସ୍‌ ହାଏ ହାଏ, ଜିଲ୍ଲା ପ୍ରଶାସନ ହାଏ ହାଏ ସ୍ଳୋଗାନ୍‌ ଦେଇ ଚାଷୀମାନେ ଧାରଣାସ୍ଥଳକୁ ଫେରି ଯାଇଥିଲେ। ପରେ ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ଓ ଜିଲ୍ଲା କଂଗ୍ରେସ୍‌ କମିଟି ସଭାପତି ଅଶ୍ବିନୀ ଗୁରୁ ଧାରଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ସମର୍ଥନ ଜଣାଇଥିଲେ। ପ୍ରଥମେ ସଦର ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା ଓ ଟାଉନ୍‌ ଥାନା ଅଧିକାରୀ ରମେଶ ଦୋରା ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାଇବାରେ ବିଫଳ ହେବା ପରେ ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ, ଅତିରିକ୍ତ ‌ଯୋଗାଣ ଅଧିକାରୀ ସୁହାଂଶ ଭୋଇ ସେଠାରେ ପହଞ୍ଚି ଚାଷୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ବୈଠକରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସୋମବାର ସମ୍ବଲପୁର ଜିଲ୍ଲା କୃଷକ ସଂଗଠନର କୋର୍‌ କମିଟି ବୈଠକ ପାଇଁ ସ୍ଥିର କରା ଯାଇଥିବାରୁ ସେଠାରେ ଯାହା ନିଷ୍ପତ୍ତି ନିଆଯିବ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯିବ ବୋଲି ଚାଷୀ ନେତା ଅଶୋକ ପ୍ରଧାନ କହିଥିଲେ। ଘଟଣା ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ରୀ ସେଠ୍‌ ଗଣମାଧ୍ୟମକୁ ବିବୃତି ଦେଇ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ଓ ଚାଷୀ ସଂଗଠନର ମତାମତ ନିଆଯାଇ ପୁଣି କେବେ ବୈଠକ ବସିବ ତାହା ନିର୍ଧାରଣ କରାଯିବ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ ଦୀର୍ଘ ୧୨ ଦିନ ହେବ ଫସଲବୀମା କ୍ଷତିପୂରଣ ଦାବି ନେଇ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ନେଲସନ ମଣ୍ଡେଲା ଛକରେ ଚାଷୀମାନେ ରିଲେ ଅନଶନ କରିବା ସହ ଧାରଣାରେ ବସିଛନ୍ତି। ଏହି ୧୨ ଦିନ ମଧ୍ୟରେ ଚାଷୀଙ୍କ ସହ ଆଲୋଚନା କରିବାକୁ ଜିଲ୍ଲା ପ୍ରଶାସନର ଜଣେ ବି ଅଧିକାରୀ ଧାରଣାସ୍ଥଳକୁ ଆସି ନାହାନ୍ତି। ତେଣୁ କାଳେ ଏହି ଆନ୍ଦୋଳନର ଆକ୍ରୋଶ ବୈଠକରେ ଦେଖିବାକୁ ମିଳିବ ସେହି ଭୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସକାଳୁ ପୁଲିସ୍‌ ପହରା ଦେଇଥିଲା। ଠିକ୍‌ ୩ଟାରେ ଜିଲ୍ଲାର ସମସ୍ତ ୯ ବ୍ଲକର ୪୧ଟି କୃଷକ ସଂଗଠନର ଶହ ଶହ ସଂଖ୍ୟାରେ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଦେଖି କାର୍ଯ୍ୟରତ ପୁଲିସ୍‌ ମୁଖ୍ୟ ଫାଟକରେ ତାଲା ପକାଇ ‌ଦେଇଥିଲା। ନିମନ୍ତ୍ରଣ ଦେଇ ଫାଟକ ବନ୍ଦ କରିବା କି ପ୍ରକାର ଆତିଥ୍ୟ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କ କୌଣସି କଥା ନଶୁଣିବାରୁ ଶେଷରେ ସେମାନେ ବିରକ୍ତି ପ୍ରକାଶ କରି ଘଟଣାସ୍ଥଳରୁ ଫେରିଆସିଥିଲେ।

ଅପରପକ୍ଷରେ, ରାଜ୍ୟ ସରକାରଙ୍କ ନୂତନ ଖାଦ୍ୟ ନୀତିକୁ ନେଇ ମଧ୍ୟ ଧାରଣାସ୍ଥଳରେ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେଉଁ ଜିଲ୍ଲାର କେଉଁ ଅଞ୍ଚଳରେ ଚାଷ କିଭଳି ହୋଇଛି ତାହା ନଦେଖି କେମିତି ଅଧିକାରୀମାନେ ଭୁବନେଶ୍ବରରେ ବସି ଟୋକନ୍‌ ଦେଇପାରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ। ଖାଦ୍ୟ ନୀତିରେ ସଂଶୋଧନ ନହେଲେ ଧାନ ସଂଗ୍ରହରେ ଚାଷୀମାନେ ସହଯୋଗ କରିବେନି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର