କୁନିଝିଅର ଆଖି ତାଡ଼ିନେଲେ!

ଶବାଗାରରେ ରଖାଯାଇଥିଲା ପ୍ରୀତିର ମୃତଦେହ, ଅନୁଗୁଳ ଡାକ୍ତରଖାନାରେ ଉତ୍ତେଜନା, କର୍ମଚାରୀଙ୍କୁ ମାଡ଼

ଅନୁଗୁଳ/ବଅଁଁରପାଳ : ଗୁରୁବାର ରାତି ୧୧ଟାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ରଖାଯାଇଥିଲା ୪ ବର୍ଷର କୁନିଝିଅ ପ୍ରୀତି ଗୋଛାୟତର ଶବ। ଶୁକ୍ରବାର ଦିନ ୧୨ଟାରେ ବ୍ୟବଚ୍ଛେଦ ପାଇଁ ଶବଗୃହରୁ ଶବ ବାହାର କଲା‌ ବେଳକୁ ଦୁଇଟି ଯାକ ଆଖି ନାହିଁ। ଏ ଦୃଶ୍ୟ ଦେଖି ଡାକ୍ତରଙ୍କଠୁ ନେଇ ଶିଶୁକନ୍ୟାର ପରିବାର ଯାଏ ସମସ୍ତେ ହତବାକ୍ ହୋଇଯାଇଥିଲେ। କେମିତି ଏଭଳି ହେଲା? ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କତ୍ତୃର୍ପକ୍ଷ ବି ଏ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ଏହି ଅଭାବନୀୟ ଘଟଣାକୁ ନେଇ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେତେକ ୱାର୍ଡକୁ ବନ୍ଦ କରି ଦେଇଥିବା ବେଳେ କର୍ମଚାରୀମାନେ ମଧ୍ୟ ସେମାନଙ୍କ କ୍ରୋଧରୁ ବର୍ତ୍ତି ନାହାନ୍ତି। ଅନୁଗୁଳ ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଥିବାବେଳେ ସମଗ୍ର ଅଂଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ପ୍ରୀତିର ପରିବାର ଲୋକଙ୍କ କହିବା‌ ଅନୁଯାୟୀ ‘ଆମକୁ ଆମ ଝିଅର ଶବ ଦେଲେ ନାହିଁ। ବ୍ୟବଚ୍ଛେଦ ପରେ ଆସନ୍ତାକାଲି ଶବ ନେବ ବୋଲି କହି ଶବଗୃହରେ ରଖି‌ଦେଲେ। ଆଉ ରାତିରେ ଆମ ଝିଅର ଦୁୁଇ ଆଖି ତାଡ଼ି ନେଇଗଲେ।’ ଏ ନେଇ ବଅଁରପାଳ ପୁଲିସ ତନାଘନା ଆରମ୍ଭ କରିଛି।

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଗାଁ ଡିହସାହିର ଅଞ୍ଜନ ଗୋଛାୟତ ଓ ଶୀଲା ଗୋଚ୍ଛାୟତଙ୍କ ୪ ବର୍ଷର ଝିଅ ପ୍ରୀତିକୁ ଥଣ୍ଡା ଜ୍ୱର ହେଉଥିଲା। ଗତକାଲି ସନ୍ଧ୍ୟାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବଅଁରପାଳସ୍ଥିତ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ନେଇ ଗାଁକୁ ‌ଫେରିଥିଲେ ପରିବାର ଲୋକେ। ମାତ୍ର ଗାଁର ଦୁଇ ଜଣ ମହିଳା ହୃତ୍‌ସ୍ପନ୍ଦନ ଦେଖି ପ୍ରୀତି ବଞ୍ଚିଥିବା କହିଥ‌ିଲେ। ମାଆବାପାଙ୍କ ମନ ବି ମାନି ନ ଥିଲା। ରାତି ପ୍ରାୟ ସା‌େଢ଼ ୧୦ଟାରେ ସେମାନେ ପ୍ରୀତିକୁ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ପହଞ୍ଚିଥିଲେ। କାର୍ଯ୍ୟରତ ଦୁଇ ଜଣ ଡାକ୍ତର ଯାଞ୍ଚ କରିବା ପରେ ପ୍ରୀତିକୁ ମୃତ ଘୋଷଣା କରିଥିଲେ। ଆଉ ଶବଗୃହରେ ପ୍ରୀତିର ମୃତ ଶରୀରକୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିବାର ଲୋକେ ଶବ ଘରକୁ ନେବା ପାଇଁ ଡାକ୍ତର ବାବୁଙ୍କ ପାଖରେ ନେହୁରା ହୋଇଥିଲେ ମଧ୍ୟ ଡାକ୍ତର ଶୁଣି ନ ଥିଲେ। ନିୟମ ଅନୁଯାୟୀ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରାଯିବ ବୋଲି କହିଥିଲେ। ରାତି ୧୧ଟାରେ ଶବଗୃହରେ ମରଶରୀରକୁ ରଖାଯିବା ପରେ କବାଟ ବନ୍ଦ କରି ତାଲା ପକାଇ ଦିଆଯାଇଥିଲା। ଶୋକସନ୍ତପ୍ତ ପ୍ରୀତିର ପରିବାର ଲୋକେ ଡାକ୍ତରଖାନା ପରିସରରେ ରାତି କଟାଇ ଥିଲେ। ଆଜି ମଧ୍ୟାହ୍ନରେ ବଅଁରପାଳ ଥାନାର ‌ଜଣେ ମହିଳା ଏସ୍‌ଆଇ ରୀତାରାଣି ପ୍ରଧାନଙ୍କ ଉପସ୍ଥିତିରେ ଶବଗୃହର ତାଲା ଖୋଲାଯାଇଥିଲା। ମାତ୍ର ଫ୍ରିଜରରୁ ଶବ ବାହାର କଲାବେଳେକୁ ଆଖି ଦୁଇଟି ନଥିବା ଆଉ ନାକରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ପରିବାର ଲୋକେ ବିସ୍ମିତ ଓ ଉତ୍ତ୍ୟକ୍ତ ହୋଇ ଉଠିଥିଲେ।

ଅନ୍ୟପକ୍ଷରେ ଶବଗୃହରୁ ଶବ ବାହାର କରିବା ବେଳେ ଆଖି ନଷ୍ଟ ହୋଇଥିବା ଦେଖି ମହିଳା ପୁଲିସ୍ ଏସ୍‌ଆଇ ତୁରନ୍ତ ଡାକ୍ତରଖାନା କତ୍ତୃର୍ପକ୍ଷଙ୍କୁ ଅବଗତ କରିଥିଲେ। ମାତ୍ର ଚିକିତ୍ସାଳୟରେ ଉପସ୍ଥିତ ଥିବା ସତ୍ତ୍ବେ କେହି ଆସିନଥିଲେ। ଫଳରେ ପ୍ରୀତିର ସଂପର୍କୀୟମାନେ ସିଡିଏମ୍ଓ ଅଫିସର ଗେଟ୍ ବନ୍ଦ କରି ଧାରଣାରେ ବସିଥିଲେ। ଝିଅର ଆଖି ତାଡ଼ି ନିଆଯାଇଛି ଏବଂ ଏହି ଘଟଣାରେ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ସଂପୃକ୍ତ ରହିଛନ୍ତି ବୋଲି ଅଭିଯୋଗ ସେମାନେ କରିଥିଲେ। ତେଣୁ ଏହି ଘଟଣାରେ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ପ୍ରୀତିର ମା’ ଶୀଲା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଖବର ପ୍ରଚାରିତ ହୋଇଯିବା ପରେ ଅପରାହ୍‌ଣ ୨ଟା ୪୫ରେ ନୂଆହତା ଓ ଆଖପାଖ ଗାଁର ବହୁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଆଶୁ ଚିିକିତ୍ସା ବିଭାଗ ଓ ବର୍ହି ବିଭାଗ ବନ୍ଦ କରି ଦେଇଥିଲେ। କବାଟ ବନ୍ଦ କରିବା ପୂର୍ବରୁ ରୋଗୀ ଓ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ କହିଥ‌ିଲେ। ତେବେ ବହିର୍ବିଭାଗରେ ସେତେବେଳେ ବସିଥିବା ଜଣେ ଟେକ୍‌ନିସିଆନ ରଂଜିତ ସାମଲ ସେଠାରୁ ନ ବାହାରିବାରୁ ଉତ୍ୟକ୍ତ ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ନିଷ୍ଠୁର ଭାବେ ବିଧା ଗୋଇଠା ମାରି ସେଠାରୁ ତାଙ୍କୁ ବାହାର କରି ଦେଇଥିଲେ। ଘଟଣା ସଂକ୍ରାନ୍ତରେ ଖବର ପାଇ ସିଡିଏମ୍ଓ ଡାକ୍ତର ପ୍ରତାପ ବେହେରା, ଏସ୍‌ଡିପିଓ ଅଶ୍ବିନୀ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଅପରାହ୍‌ଣ ୪ଟାରେ ପୁଣି ଏହି ଦୁୁଇ ବିଭାଗ ଖୋଲିଥିଲା। ତେବେ ଆଲୋଚନା ଜାରି ରହିଥିବା ବେଳେ ୫ଟାରେ ପୁଣି ଲୋକେ ଡାକ୍ତରଖାନାର ମୁୁଖ୍ୟ ଗେଟ୍‌ ବନ୍ଦ କରି ଦେଇଥିଲେ। ପୁଲିସ୍‌ର ହସ୍ତକ୍ଷେପ ପରେ ପୁଣି ଗେଟ୍ ଖୋଲା ଯାଇଥିଲା। ମୃତ ଶିଶୁର ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି, ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପ୍ରୀତିର ବାପାଙ୍କୁ ଠିକା ନିଯୁକ୍ତି ଦେବା ପାଇଁ ସିଡିଏମ୍‌ଓ ପଦକ୍ଷେପ ନେବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ଏ ସଂକ୍ରାନ୍ତରେ ସିଡିଓଏମ୍‌ଓ ଡାକ୍ତର ପ୍ରତାପ ବେହେରା କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ରିପୋର୍ଟ ମିଳିବା ପରେ ସତ୍ୟାସତ୍ୟ ଜଣାପଡ଼ିବ। ତେବେ କେତେକ ଡାକ୍ତର ମୂଷା, ଚୁଚୁନ୍ଦ୍ରା ଆଦି ଯୋଗୁଁ ଆଖି ନଷ୍ଟ ହୋଇଯାଇ ଥାଇପାରେ ବୋଲି ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର