ଭିତରକନିକା‌ରେ ୪୦ ହଜାର ଦେଶୀୟ ପକ୍ଷୀଙ୍କ ଭିଡ଼

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି। ଭିତରକନିକାର ମଠଆଡିଆ ସମେତ ଦେଶୀୟ ପକ୍ଷୀଙ୍କ ନୂଆ ଠିକଣା ଲକ୍ଷ୍ମୀପ୍ରସାଦଡିଆରେ ପ୍ରାୟ ୪୦ ହଜାର ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଚାରି ଏକର ପରିମିତ ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏହି ପକ୍ଷୀଙ୍କ ସମାଗମ ଓ କଳରବ ସାଙ୍ଗକୁ ବସାରେ ଅଣ୍ତାଦାନର ଦୃଶ୍ୟ ଆକର୍ଷଣ ପାଲଟିଛି। ଦେଶୀୟ ପକ୍ଷୀଙ୍କ ମଧ୍ୟରେ ୧୧ ପ୍ରକାର ବଗ, ଗେଣ୍ତାଳିଆ, ପାଣିକୂଆ, ୮ ପ୍ରକାର କିଙ୍ଗଫିସର, ଖଇରା ପ୍ରଭୃତି ପକ୍ଷୀ ଭିଡ଼ ଜମାଇବାରେ ଲାଗିଛନ୍ତି। ଆଜିସୁଦ୍ଧା ପ୍ରାୟ ୪୦ ହଜାର ଦେଶୀୟ ପକ୍ଷୀ ଭିତରକନିକାରେ ଭିଡ଼ ଜମାଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି।

ଜୁନ୍ ଶେଷ ଭାଗରୁ ପକ୍ଷୀମାନଙ୍କର ଆଗମନ ହୋଇଛି। ମା’ ପକ୍ଷୀମାନେ ବସାରେ ଅଣ୍ତାଦେଇ ଛୁଆ ଫୁଟାଇବା ପରେ ଛୁଆମାନଙ୍କୁ ସାଥୀରେ ଧରି ଅକ୍ଟୋବର ଶେଷ ସୁଦ୍ଧା ଫେରିଯିବେ। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ବ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି। ଦେଶୀୟ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ରାଜନଗର ବନବିଭାଗ ପକ୍ଷରୁ ବନକର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

ଦେଶୀୟ ପକ୍ଷୀମାନେ ପ୍ରଥମେ ଭିତରକନିକାର ବଗଗହନରେ ଭିଡ ଜମାଉଥିଲେ। ବଗଗହନକୁ ପକ୍ଷୀବିହାର ଆଖ୍ୟା ମିଳିଥିଲା। ମାତ୍ର ପରବର୍ତ୍ତୀ ଅବସ୍ଥାରେ ବଗଗହନରୁ ଅଢେଇ କିମି ଦୂର ମଠଆଡିଆରେ ଦେଶୀୟ ପକ୍ଷୀ ଗତ ୫/୭ବର୍ଷ ହେଲା ଅଧିକ ସଂଖ୍ୟାରେ ଭିଡ଼ ଜମାଉଥିଲେ। ଗତବର୍ଷ ଠାରୁ ଦେଶୀୟ ପକ୍ଷୀମାନେ ବଗଗହନରୁ ସମ୍ପୂର୍ଣ୍ଣ ମୁହଁ ଫେରାଇ ନେଇ ଲକ୍ଷ୍ମୀପ୍ରସାଦଡିଆକୁ ସେମାନଙ୍କ ନୂଆ ଠିକଣା ଭାବେ ବାଛି ନେଇଛନ୍ତି। ଗତବର୍ଷ ଲକ୍ଷ୍ମୀପ୍ରସାଦଡିଆରେ ୮୬,୫୩୫ ଓ ମଠଆଡିଆରେ ୨,୦୭୯ ଭିଡ଼ ଜମାଇଥିଲେ।

ସମ୍ବନ୍ଧିତ ଖବର