ହଜିଯାଇଛି ‌ମୌସୁମୀ: ଜୁଲାଇରେ ୪୧% ନିଅଣ୍ଟିଆ ବର୍ଷା; ଭଦ୍ରକ, ଗଜପତି, କେନ୍ଦୁଝରରେ ସ୍ଥିତି ସଙ୍ଗିନ

୧୯ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌, ୨୦ ଯାଏ ବଡ଼ ବର୍ଷା ନାହିଁ

ଭୁବନେଶ୍ବର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶାରେ ବିଶେଷ ବର୍ଷା ହେବନି। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ୧୫ ତାରିଖ ପରେ ବର୍ଷା ପୁଣି ଛାଡ଼ିଯିବ। ବର୍ତମାନ ସମୟରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପରି ମନେ ହେଉନାହିଁ। ଏଥିପାଇଁ ଆହୁରି ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ଅର୍ଥାତ୍‌ ଜୁଲାଇ ୨୨ ପରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବିଶାଖାପାଟଣା ନିକଟସ୍ଥ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମହାରାଷ୍ଟ୍ର ଆଡ଼କୁ ଗତି କରିବ। ଫଳରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବ ଏବଂ ଓଡ଼ିଶାରେ ଏହାର ପ୍ରଭାବ ସୀମିତ ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଗଜପତି, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିବ। ୧୯ ତାରିଖ ମଧ୍ୟରେ ଉକ୍ତ ଜିଲ୍ଲାଗୁଡ଼ିକରେ ମାତ୍ର ୬୦ରୁ ୭୦ ମିମି ବର୍ଷା ଏବଂ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୪୦ ମିମି ବର୍ଷା ହେବ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ମାସରେ ଆଜି ସୁଦ୍ଧା ସ୍ବାଭାବିକ ଭାବେ ୧୨୪ ମିମି ବର୍ଷା ହେବା କଥା। ମାତ୍ର ଏବେ ସୁଦ୍ଧା ୭୩ ମିମି ହୋଇଛି, ଯାହାକି ୪୧.୨% ନିଅଣ୍ଟିଆ। ଜୁନ୍‌ ପହିଲାରୁ ଜୁଲାଇ ୧୧ ମଧ୍ୟରେ ୨୫୩ ମିମି ବର୍ଷା ‌ହୋଇଛି, ଯାହାକି ସ୍ବାଭାବିକଠାରୁ ୨୪.୩% କମ୍‌। ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାର ସ୍ଥିତି ସବୁଠାରୁ ସଙ୍ଗିନ ରହିଛି। ସେଠାରେ ଜୁଲାଇ ମାସରେ ମାତ୍ର ୧୬ ମିମି ବର୍ଷା ସହ ଜୁନ୍‌ ପହିଲାରୁ ଏପର୍ଯ୍ୟନ୍ତ ସମୁଦାୟ ୧୧୯ ମିମି ବର୍ଷା ହୋଇଛି। ଯାହାକି ୬୨.୧% ନିଅଣ୍ଟିଆ। ଗଜପତି ଓ କେନ୍ଦୁଝରରେ ଯଥାକ୍ରମେ ୪୦.୮% ଓ ୪୧.୮% କମ୍‌ ବର୍ଷା ହୋଇଛି। ଏହାବ୍ୟତୀତ ଅନୁଗୁଳ, ବାଲେଶ୍ବର, କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୯ରୁ ୩୯% ପର୍ଯ୍ୟନ୍ତ କମ୍‌ ବର୍ଷା ହୋଇଛି।

ଜୁଲାଇ ୨୦ ବେଳକୁ ପଶ୍ଚିମା ପବନ ପରିବର୍ତେ ରାଜ୍ୟକୁ ପୂର୍ବା ପବନ ସହ ଜୁଲାଇ ତୃତୀୟ ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ପାଇଁ ପରିସ୍ଥିତି ଅନୁକୂଳ ରହିବ। ଫଳରେ ରାଜ୍ୟରେ ବର୍ଷା ‌ହେବାର ସମ୍ଭାବନା ଅଧିକ ରହିଛି। ବର୍ତମାନ ବୁଣାବୁଣି ସାରି ଧାନର ରୁଆ ବେଉସା ସମୟ। ତେବେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଧିମେଇ ଯାଇଛି। ତୃତୀୟ ସପ୍ତାହରେ ସମ୍ଭାବ୍ୟ ଲଘୁଚାପ ପାଇଁ ତଳି ବଞ୍ଚାଇ ରଖନ୍ତୁ। ନୂଆ ତଳି ପକାଇବାକୁ ହେଲେ ମଧ୍ୟମ କିସମ ଚୟନ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୧୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ପାଗରେ ସାମାନ୍ୟ ପରିବର୍ତନ ହେବ। ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ୬ ସେମି ବର୍ଷା ହୋଇଥିବା ବେଳେ କୋରାପୁଟର ଜୟପୁର ଓ ରାୟଗଡ଼ା ଜିଲ୍ଲାର ଗୁଡ଼ାରିରେ ୫ ସେମି ଲେଖାଏ, ଗଞ୍ଜାମର ଆସ୍କା, ପୁରୀର କୃଷ୍ଣପ୍ରସାଦ, କେନ୍ଦ୍ରାପଡ଼ାର ମାର୍ଶାଘାଇରେ ୪ ସେମି ଲେଖାଏଁ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର