ସାଇବର ଠକଙ୍କ ପଞ୍ଝାରେ ପଡି‌ଥିଲେ ୪୨ ମାଟ୍ରିକ୍‌ ଛାତ୍ରଛାତ୍ରୀ! ଏସ୍‌ଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ରାଉରକେଲା: ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରାଇ ଦେବାକୁ କହି ଜିଲ୍ଲାର ମାଟ୍ରିକ୍‌ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଲୁଟିବାକୁ ଚାଲ୍‌ କରୁଥିବା ସାଇବର ଠକକୁ ଠାବ କରିବାକୁ ଖୋଳତାଳ ଆରମ୍ଭ କରିଛି ବୀରମିତ୍ରପୁର ପୁଲିସ। ଆଜି ସୁନ୍ଦରଗଡ ଏସ୍‌ପି ସାଗରିକା ନାଥ ବୀରମିତ୍ରପୁର ଥାନା ଗସ୍ତ ଅବସରରେ ସାଇବର ମାମଲାକୁ ଗୁରୁତର ସହ ନେଇଛନ୍ତି। ଥାନା ପରିସରରେ ଆୟୋଜିତ ଆଇନଶୃଙ୍ଖଳା ବୈଠକରେ ଘଟଣାର ତଦନ୍ତ କରିବାକୁ ବୀରମିତ୍ରପୁର ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସେପଟେ ଯେଉଁ ଛାତ୍ରଛାତ୍ରୀଙ୍କୁ ଅଜଣା କଲ୍‌ରୁ ଫୋନ ଆସିଥିଲା, ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କ ମୋବାଇଲକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛନ୍ତି।

ଛାତ୍ରଙ୍କୁ ଆସିଥିବା ଅଜଣା ମୋବାଇଲ ନମ୍ବରରେ ପୁଲିସ ସାଇବର ଠକ ସହ କଥା ହୋଇଛନ୍ତି। ପୁଲିସ ଓ ସାଇବର ଠକ୍‌ ମଧ୍ୟରେ ପ୍ରାୟ ୫ରୁ ୧୦ ମିନିଟ୍‌ କଥା ହୋଇଥିଲା। ଏଥିରେ ସାଇବ୍‌ର ଠକ ଜଣକ ପୁଲିସ ଅଧିକାରୀଙ୍କୁ ମାଟ୍ରିକ ଛାତ୍ରଙ୍କ ଅଭିଭାବକ ଭାବି କଥା ହୋଇଥିଲା। ଜିଲ୍ଲାର ପ୍ରାୟ ୪୨ ଜଣ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଠାରୁ ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥିବା କୁଆଡେ ପୁଲିସକୁ କହିଛି। ପ୍ରାଥମିକ ତଦନ୍ତରୁ ପୁଲିସ ସାଇବର ଠକ ଗ୍ୟାଙ୍ଗ ଝାଡ଼ଖଣ୍ଡର ଜାଣିବାକୁ ପାଇଛି। ଛାତ୍ରଛାତ୍ରୀଙ୍କ ଠାରୁ ମିଳିଥିବା ମୋବାଇଲ ନମ୍ବର ଆଧାରରେ ପୁଲିସ ସାଇବର ଅପରାଧୀ ପାଖରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି। ତଦନ୍ତର ବାଧା ଦୃଷ୍ଟିରୁ ପୁଲିସ ଅଧିକାରୀ ଏ ସଂକ୍ରାନ୍ତରେ କିଛି କହିବାକୁ ମନା କରି ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ସାଇବର ଠକ୍‌ମାନେ ସୁନ୍ଦରଗଡ ଜିଲ୍ଲାର ମାଟ୍ରିକ ‌ପରୀକ୍ଷା ଛାତ୍ରଛାତ୍ରୀଙ୍କ ନାମ, ସ୍କୁଲ, ଅଭିଭାବକଙ୍କ ନାମ ଓ ଯୋଗାଯୋଗ ନମ୍ବର କେମିତି ସେମାନଙ୍କ ନିକଟରେ ପହଞ୍ଚିଲା ? ଏମାନଙ୍କୁ ସ୍ଥାନୀୟ ଅଞ୍ଚଳ କିଛି ଯୁବକ ସହାୟତା କରି ନାହାନ୍ତି ତ ? ଏମିତି ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତକୁ ଜୋରଦାର କରିଛି। ତେବେ ଆଗାମି ଦିନରେ ବୀରମିତ୍ରପୁରର ପୁଲିସ ଟିମ୍‌ ଏମାନଙ୍କ ନିକଟରେ ପହଞ୍ଚି ପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ଗତ ୧୪ ଓ ୧୪ ତାରିଖରେ ସୁନ୍ଦରଗଡ ଜିଲ୍ଲାର କୁଆରମୁଣ୍ଡା, ରାଉରକେଲା, ବୀରମିତ୍ରପୁର ସମେତ ଅନ୍ୟାନ୍ୟ ବ୍ଲକର ପ୍ରାୟ ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଜଣା ନମ୍ବର କଲ୍‌ ଆସିଥିଲା। କଲ୍‌ କରିଥିବା ଅଜଣା ବ୍ୟକ୍ତି ନିଜର ନାମ ଅଭିଜିତ୍‌ ଧର (ମୋବାଇଲ ନଂ .୮୪୨୦୧୬୩୩୪୭) ଓ ସେ କଟକ ବୋର୍ଡ ଅଫିସର ଅଧିକାରୀ ବୋଲି ପରିଚୟ ଦେଇଥିଲେ। କାହାକୁ ଗଣିତ, ସାହିତ୍ୟ ଓ ଅନ୍ୟ କାହାକୁ ଇଂରାଜୀ ଓ ବିଜ୍ଞାନ ବିଷୟରେ ଫେଲ୍‌ ହୋଇ ଭୟଭୀତ କରୁଛନ୍ତି। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରି ଦେବାକୁ କହି ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଗିଥିଳେ। ଟଙ୍କା ଦେବା ପୂର୍ବରୁ ଆଜି ଏହି ଛାତ୍ରଛାତ୍ରୀ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଠକାମୀରୁ ବର୍ତ୍ତି ଯାଇଥିଲେ। ଅଜଲ୍‌ କଲ୍‌ରେ କଥା ହୋଇଥିବା ବୀରମିତ୍ରପୁର କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା କିଛି ଛାତ୍ରଛାତ୍ରୀ ସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ, ସିଆର୍‌ସିସି ଜଗେଶ୍ବର ରାୟଙ୍କ କଥା ହେବା ପରେ ପ୍ରକୃତ କଥା ଜଣାପଡିଥିଲା। ପରେ ସ୍କୁଲ ପକ୍ଷରୁ ଏ ସଂକ୍ରାନ୍ତରେ ବୀରମିତ୍ରପୁର ଥାନାକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର