ବିଶ୍ବସ୍ତରୀୟ ବିମାନବନ୍ଦର: କେନ୍ଦ୍ରୀୟ ଟିମ୍‌ର ସବୁଜ ସଂକେତ

ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସମୟ ମାଗିଲେ
ପବନର ତିନି ଘଣ୍ଟିଆ ବେଗ ରିପୋର୍ଟ ଅନୁଧ୍ୟାନ କରିବେ
ସପ୍ତାହକ ମଧ୍ୟରେ ପାଣିପାଗ ବିଭାଗ ପବନର ବେଗ ଓ ଦିଗ ରିପୋର୍ଟ ଦେବ

ଭୁବନେଶ୍ବର : ପୁରୀର ବ୍ରହ୍ମଗିରି ତହସିଲ୍‌ ଅନ୍ତର୍ଗତ ସିପସରୁବାଲିରେ ବିଶ୍ବସ୍ତରୀୟ ବିମାନବନ୍ଦର ନିର୍ମାଣ କରିବା ନେଇ କେନ୍ଦ୍ରୀୟ ଟିମ୍ ଆଜି ରାଜ୍ୟ ସରକାରଙ୍କୁ ସବୁଜ ସଂକେତ ଦେଇଛି। ହେଲେ ଏଠାରେ ବିମାନବନ୍ଦର ହେବ କି ନାହିଁ, ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନେବ ବୋଲି କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।

ଆଜି ଖାରବେଳ ଭବନରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପାଣ୍ଡିୟାନ, ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଟିମ୍ ସର୍ଭେ କରିବା ପରେ ଆଉ କ’ଣ ଚାହୁଁଛି, କେତେ ଜମି ଦରକାର, କି ପ୍ରକାରର ଭିତ୍ତିଭୂମି ସହାୟତା ଦରକାର ସେନେଇ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପଚାରିଥିଲେ। ସିପସରୁବାଲିରେ ଥିବା ଜମିରେ ବିମାନବନ୍ଦର ହୋଇପାରିବ ବୋଲି କେନ୍ଦ୍ରୀୟ ଟିମ୍ କହିଥିଲେ। ଏବେ ଯେତିକି ତଥ୍ୟ ଦିଆଯାଇଥିଲା ସେତିକି ପର୍ଯ୍ୟାପ୍ତ ନୁହେଁ, ବିଭିନ୍ନ ବିଭାଗକୁ ଆଉ କିଛି ଅଧିକ ତଥ୍ୟ ଦେବାକୁ ହେବ। ବର୍ତ୍ତମାନ ମିଳିଥିବା ସର୍ଭେ ରିପୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଦାଖଲ କରାଯିବ।

ବୈଠକରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ସରକାର ବିମାନବନ୍ଦର ପାଇଁ ଏବେ ପ୍ରାୟ ହଜାରେ ଏକର ଜମି ଦେବେ ବୋଲି କହିଛନ୍ତି। ଏପରିକି ସେଠାରେ ୨.୪କିମିର ଜମି ରନ୍‌ୱେ ପାଇଁ ଥିବାବେଳେ ଏହା ଚାରିକୋଣିଆ କି ବର୍ଗାକାର ନାହିଁ। ତେଣୁ ରନ୍‌ୱେ ଯେଉଁଭଳି ହେବ ସେହି ଅନୁଯାୟୀ ଜମି ଆବଶ୍ୟକ ହେବ ବୋଲି କେନ୍ଦ୍ରୀୟ ଟିମ୍ କହିଥିଲେ।

ବିମାନବନ୍ଦରର ରନ୍‌ୱେ ପାଇଁ ପବନର ଗତି ନିର୍ଭର କରୁଥିବାରୁ ଏନେଇ ବିସ୍ତୃତ ରିପୋର୍ଟ ଦେବାକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କୁ କୁହାଯାଇଛି। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଯଦି ବିମାନ ପୂର୍ବ ଦିଗକୁ ଅବତରଣ କରିବ ତେବେ ପଶ୍ଚିମା ପବନ ହେଉଥିବା ଦରକାର। ପବନର ବିପରୀତ ଦିଗରେ ସଦାବେଳେ ବିମାନ ଅବତରଣ କରେ। ହେଲେ କେତେ ପବନ କେଉଁଠି ହେଉଛି, କେଉଁଠି ଅଧିକ ପବନ ହେଉଛି, କେଉଁଠି କମ୍ ପବନ ହେଉଛି ସେନେଇ ରିପୋର୍ଟ ମଗାଯାଇଛି। ପବନ ବେଗ ସମ୍ପର୍କରେ ପାଣିପାଗ ବିଭାଗ ରିପୋର୍ଟ ଦେବା ପରେ କେନ୍ଦ୍ରୀୟ ଟିମ୍ ପୁଣି ଥରେ ଯାଞ୍ଚ କରିବାକୁ ଆସିବ। ଏହାପରେ କେଉଁଠି ରନ୍‌ୱେ ହେବ, କେଉଁଠି ଏଟିସି ହେବ, କେଉଁଠି ପ୍ରଶାସନିକ କୋଠା ହେବ, କାର୍ଗୋ ହେବ ତାହାର ନକ୍ସା ପ୍ରସ୍ତୁତ କରିବ। ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଶ୍ବସ୍ତରୀୟ ବିମାନବନ୍ଦର ନେଇ ଘୋଷଣା କରିବ। ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ପୁରୀରେ ବିଶ୍ବସ୍ତରୀୟ ବିମାନବନ୍ଦର କରିବା ନେଇ ମୁଖ୍ୟମନ୍ତ୍ରୀ ଆଗ୍ରହୀ ଅଛନ୍ତି। ଏପରିକି ସବୁ ପ୍ରକାରର ସହଯୋଗ, ମାଗଣାରେ ଜମି ଯୋଗାଇବାଠାରୁ ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିବା ରାଜ୍ୟ ସରକାରଙ୍କ ଅଧିକାରୀମାନେ କହିଛନ୍ତି। ଆବଶ୍ୟକ ପଡ଼ିଲେ ଆଉ ୨୦୦ରୁ ୫୦୦ ଏକର ପର୍ଯ୍ୟନ୍ତ ଜମି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ତେଣୁ ଏଠାରେ ବିମାନବନ୍ଦର ହେବା ନେଇ ସମସ୍ୟା ନାହିଁ।

ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ, ଆମକୁ ରାଜ୍ୟ ସରକାର ପବନର ଗତି ନେଇ ଯେଉଁ ରିପୋର୍ଟ ମାଗିଥିଲେ ଆମେ ତିନି ମାସ ତଳୁ ଦେଇଥିଲୁ। ବିମାନବନ୍ଦର ପାଇଁ ଯାହା ତଥ୍ୟ ଦରକାର ତାହା ଦେଇଥିଲୁ। କିନ୍ତୁ ଏବେ ଆମକୁ ପ୍ରତି ତିନି ଘଣ୍ଟାରେ ଉକ୍ତ ଅଞ୍ଚଳରେ ପବନର ହାରାହାରି ବେଗ କେତେ ରହୁଛି ତାହାର ତଥ୍ୟ ମଗାଯାଇଛି। ସମୁଦ୍ର କୂଳ ଅଞ୍ଚଳ ହୋଇଥିବାରୁ ଏଠାରେ ପବନର ବେଗ ଟିକେ ଅଧିକ ରହୁଛି। ଆମେ ସବିଶେଷ ରିପୋର୍ଟ ସପ୍ତାହକ ମଧ୍ୟରେ ଦେଇଦେବୁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯଦି ପୁରୀରେ ବିଶ୍ବସ୍ତରୀୟ ବିମାନବନ୍ଦର ନିର୍ମାଣ କରିବା ନେଇ ନିଷ୍ପତ୍ତି ନେବେ, ତେବେ ପବନର ଗତି କି ଦିଗ କିଛି ପ୍ରଭାବ ପଡ଼ିବନି ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ସମ୍ବନ୍ଧିତ ଖବର