୪ ଦିନରେ ୫ ଡିଗ୍ରି ଖସିବ ପାରଦ: ୨୮ ଓ ୨୯ରେ ଶୀତ ଲହରି

ଭୁବନେଶ୍ବର: ଶୀତ ଲହର ପାଇଁ ରାଜ୍ୟରେ ଏବେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଆସନ୍ତାକାଲିଠାରୁ ଆକାଶ ନିର୍ମଳ ଓ ଖରାଟିଆ ରହିବ। ଫଳରେ ଶୀତ ବଢ଼ିବ। ୪ ଦିନରେ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ବିଶେଷକରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଯିବ। ୨୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଓ ସୋନପୁର ଆଦି ୪ ଜିଲ୍ଲାରେ ଶୀତ ଲହର ଯୋଗୁଁ ଭୀଷଣ ଥଣ୍ଡା ଅନୁଭୂତ ହେବ। ସେହିପରି ୨୯ ତାରିଖ ଦିନ ଉପରୋକ୍ତ ୪ ଜିଲ୍ଲା ସମେତ ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ରେ ଶୀତ ଲହର ପ୍ରବାହିତ ହେବ। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।

ଅପରପକ୍ଷେ ରାଜ୍ୟରେ କିଛି ଦିନ ହେଲା କୁହୁଡ଼ିଆ ପାଗ ରହୁଥିବା ବେଳେ ଆସନ୍ତାକାଲି ମଧ୍ୟ କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି। ଆସନ୍ତାକାଲି ସକାଳୁ କନ୍ଧମାଳ, ଗଞ୍ଜାମ, ଗଜପତି, ଖୋର୍ଧା, ପୁରୀ, ନୟାଗଡ଼, କଟକ ଓ ଜଗତସିଂହପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି। ଅବଶିଷ୍ଟ ଓଡ଼ିଶା‌ରେ ପ‌ାଗ ଶୁଖିଲା ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା କେନ୍ଦୁଝରଠାରେ ୧୩.୪ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର