କିଙ୍ଗପିନ୍‌ ସହ ୫ ଅନ୍ତଃଜିଲ୍ଲା ଡକାୟତ ଗିରଫ

କନ୍ଧମାଳରୁ ଲୁଟ୍‌, ସାଲେପୁରରେ ବିକ୍ରି, ୩୦ ଲକ୍ଷ ଟଙ୍କାର କମ୍ପ୍ୟୁଟର ସାମଗ୍ରୀ ଜବତ

ଫୁଲବାଣୀ :  କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା କମ୍ପ୍ୟୁଟର୍‌, ଇନଭର୍ଟର୍‌, ବ୍ୟାଟେରି, ଜେନେରେଟର୍‌, ପ୍ରିଣ୍ଟର୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉଦ୍ଧାର ସହିତ ୫ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାରେ ସଫଳ‌ ହୋଇଛି। ଦୀର୍ଘ ୫ ମାସ ଧରି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଏହି ରାକେଟ ବୈଦ୍ୟୁତିକ ସାମଗ୍ରୀ ଚୋରି କରୁଥିଲା। ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସମେତ କନ୍ଧମାଳର ୪ ଜଣଙ୍କୁ ମିଶାଇ ପୁଲିସ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନ ହେଲେ ସାଲେପୁର ଥାନା ଶିଶୁଆ ଗ୍ରାମର ସାଗର ବିଶ୍ବାଳ (୩୦), ଫୁଲବାଣୀ ସଦର ଥାନା ଗଞ୍ଜୁଗୁଡ଼ା ଗ୍ରାମର ମଙ୍ଗୁଳୁ ପ୍ରଧାନ (୧୮), ପକନାଗାଁର ନିରଞ୍ଜନ କହଁର (୨୧), ମଜୁରିବିଡ଼ା ଗ୍ରାମର ଆଲୋକ ମୁନି (୨୩), ଖଜୁରୀପଡ଼ା ଥାନା ଅନ୍ତର୍ଗତ ଲମ୍ବାବାଡ଼ି ଗାଁର ମହେଶ୍ବର ବେହେରା (୨୧)। ଏମାନଙ୍କ ଠାରୁ ଚୋରି ସାମଗ୍ରୀ ଓ  ଚୋରିରେ ବ୍ୟବହୃତ ଗୋଟିଏ କାର ଓ ବାଇକ୍‌ ଜବତ କରିଛି। ତେବେ ଏହି ରାକେଟର ଚେର ଆଉ କେଉଁଠିକୁ ଲମ୍ବିଛି ତାହାର ତଦନ୍ତ କରାଯାଉଛି ବୋଲି ଆଜି ଏସ୍‌.ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।

ଗତ ୫ ମାସ ମଧ୍ୟରେ ଫିରିଙ୍ଗିଆ, ଖଜୁରୀପଡ଼ା, ଟିକାବାଲି, ଗୋଛାପଡ଼ା, ଫୁଲବାଣୀ ସଦର ଏବଂ ସାରଙ୍ଗଗଡ଼ ଥାନା ଅଞ୍ଚଳରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର, ସ୍କୁଲ ଓ ଦୋକାନରୁ ତାଲା ଭାଙ୍ଗି କମ୍ପ୍ୟୁଟର, ଇନଭର୍ଟର, ବ୍ୟାଟେରି, ଜେନେରେଟର, ଜେରକ୍ସ ମେସିନ ଆଦି ସାମଗ୍ରୀ ‌ଚୋରି କରୁଥିଲେ। ଏ ନେଇ ସମ୍ପୃକ୍ତ ଥାନା ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଥିଲା। ଫୁଲବାଣୀ ସଦର ଥାନାରେ ସର୍ବାଧିକ ୭ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ଫିରିଙ୍ଗିଆ ଥାନାରେ ୫ଟି, ଖଜୁରୀପଡ଼ା ଥାନାରେ ଗୋଟିଏ, ଗୋଛାପଡ଼ା ଥାନାରେ ଗୋଟିଏ, ସାରଙ୍ଗଗଡ଼ ଥାନାରେ ୨ଟି, ଟିକାବାଲି ଥାନାରେ ୪ଟି ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ରାକେଟ୍‌ ଠାବ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଶେ‌ଷରେ କନ୍ଧମାଳ ପୁଲିସ ଏହି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।

କନ୍ଧମାଳରୁ ଗିରଫ ହୋଇଥିବା ୪ ଜଣ ଡକାୟତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏହି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି କରି ସାଲେପୁର ସାଗର ବିଶ୍ବାଳଙ୍କ କମ୍ପ୍ୟୁଟର ଦୋକାନରେ ବିକ୍ରି କରୁଥିଲେ। ସାଲେପୁରର ଶିଶୁଆ ବଜାରରେ ସାଗରର ଏକ ମୋବାଇଲ ଏବଂ କମ୍ପ୍ୟୁଟର ଦୋକାନ ରହିଛି। କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ ପୁଲିସ ଏକ ଟିମ୍‌ ସେଠାରେ ଚଢ଼ଉ କରି ଚୋରି ସାମଗ୍ରୀ ଜବତ କରିଥିଲେ। ଫୁଲବାଣୀ ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲିକଙ୍କ ନେତୃତ୍ବରେ ସଦର ଥାନାଧିକାରୀ ସମୀର ରାଉତ, ଫିରିଙ୍ଗିଆ ଥାନାଧିକାରୀ ତପନ ନାହାକ ଏବଂ ଅନ୍ୟ ଥାନାଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ଟି କମ୍ପ୍ୟୁଟର ମନିଟର, ୫ଟି ସିପିୟୁ, ଗୋଟିଏ କମ୍ପ୍ୟୁର ୟୁଏସ୍‌ବି, ୩ଟା କିବୋର୍ଡ, ୮ଟି ପ୍ରିଣ୍ଟର, ୬ଟି ଏଲ୍‌ଇଡି ମନିଟର, ୭ଟି ଇନ୍‌ଭର୍ଟର ବ୍ୟାଟେରି, ୫ଟି ଇନ୍‌ଭର୍ଟର ମେସିନ, ଗୋଟିଏ ଜେନେରେଟର ସେଟ୍‌ ଜବତ କରିଥିଲା। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଏସ୍‌.ପି ସୂଚନା ଦେଇଛନ୍ତି। ଏହି ରାକେଟ୍‌ର ସଦସ୍ୟମାନେ ପଞ୍ଚାୟତ ଅଫିସ, ସ୍କୁଲ ଘର ଯେଉଁଠି ନୂଆକରି କମ୍ପ୍ୟୁଟର୍‌ ଇନ୍‌ଷ୍ଟଲେସନ୍‌ ହେଉଥିଲା, ତାହାକୁ ଟାର୍ଗେଟ୍‌ କରୁଥିଲେ ଏବଂ ଲୁଟ୍‌ ପରେ ସାଲେପୁର ଅଞ୍ଚଳରେ ବିକ୍ରି କରୁଥିଲେ। ତେବେ ଏହି ଚୋରି ସାମଗ୍ରୀ ସାଲେପୁର ବ୍ୟତୀତ ଆଉ କେଉଁଠି ବିକ୍ରି କରିଛନ୍ତି ପୁଲିସ ତାହାର ଅନୁସନ୍ଧାନ ଜାରି ରଖିଛି ବୋଲି ଏସ୍‌ପି କହିଛନ୍ତି। ତେବେ ଚୋରି ହୋଇଥିବା ସାମଗ୍ରୀ ତୁରନ୍ତ ସମ୍ପୃକ୍ତ ପଞ୍ଚାୟତ ଅଫିସ, ଜନସେବା କେନ୍ଦ୍ର ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଫେରାଇ ଦିଆଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର