ରୋଷେଇ ସମୟରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୫ ଗୁରୁତର, ଅନ୍ୟ ୪ ଜଣ ଆହତ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରିମୁଣ୍ଡା ଗ୍ରାମରେ ଆଜି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୫ ଜଣ ଗ୍ରାମବାସୀ ଗୁରୁତର ହୋଇଛନ୍ତି ଓ  ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳ ୮ଟା ୧୫ରେ ଗମ୍ଭାରିମୁଣ୍ଡା ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ବୋହୂ ବବି ପ୍ରଧାନ ରୋଷେଇ କରିବାକୁ ଯାଇ ଗ୍ୟାସଚୂଲାରେ ଲାଇଟର ଲଗାଉଥିଲେ। ତେବେ ଅସାବଧାନତାବଶତଃ  ଗ୍ୟାସ୍‌ ନିର୍ଗତ ହୋଇ ଚାରିଆଡକୁ ବ୍ୟାପି ଯାଇଥିଲା ଏବଂ ଲାଇଟରରୁ ନିଆଁ ଧରି ଯାଇଥିଲା ଘରେ ଥିବା ବୋହୂ ଓ ଶାଶୁ ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡ଼ି ପଳାଇଥିଲେ। ସେମାନେ ବଡ଼ପାଟିରେ ଚିତ୍କାର କରିବା ସହ ଅନ୍ୟକୁ ସହଯୋଗ ମାଗିଥିଲେ।

ଶାଶୁ ଓ ବୋହୂଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସାହସର ସହ ଜଳନ୍ତା ଘର ମଧ୍ୟରେ ପଶି ଜରୁରୀ ଜିନିଷପତ୍ର ଉଦ୍ଧାର ପାଇଁ ପ୍ରୟାସ କରିବା ସହ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ। ଏଥିରେ ଉଦ୍ଧାରକାରୀ ଗ୍ରାମବାସୀଙ୍କ ମଧ୍ୟରୁ କାଳୁଚରଣ ପଣ୍ଡା(୬୦), ବୁଧିଆ ବାରିକ(୪୫), ସମୀର ବରାଳ(୫୦) ଓ ପ୍ରମୋଦ ବରାଳ(୩୮) ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରୁ ସସ୍ମିତା ବାରିକ(୪୦), ରଶ୍ମିରଂଜନ ବାରିକ(୨୬), ଜଗା ପଣ୍ଡା(୨୬), ଅମର ପଲାଇ(୨୭), ବୀଣା ପ୍ରଧାନ(୩୫) ଓ ଗୃହକର୍ତ୍ତା ରବୀନ୍ଦ୍ର ପ୍ରଧାନ ଆହତ ହୋଇଥିଲେ।

ଅଗ୍ନିକାଣ୍ଡରେ ଗୁରୁତର ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକୁ କଟକ ବଡଡାକ୍ତରଖାନାରେ ଏବଂ ଅନ୍ୟ ୪ ଜଣଙ୍କୁ ଭୂବନେଶ୍ୱରସ୍ଥିତ ଏମ୍‌ସ ଓ କ୍ୟାପିଟାଲ ହସ୍ପିଟାଲରେ ଜରୁରୀ ଚିକିତ୍ସା ପାଇଁଁ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଶରୀରର ୭୦ ଭାଗ ଜଳିଯାଇଥିବା ବେଳେ କେତେକଙ୍କ ଶରୀରରୁ ରକ୍ତ ମାଂସ ପୋଡି ଘଟଣାସ୍ଥଳରେ ଛିଟିକି ପଡିଛି। ଏହି ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ରବୀନ୍ଦ୍ରଙ୍କ ୪ ବଖରା ଘରର କବାଟ ଝରକା ଉଡ଼ିଯାଇଛି।

ଘର ମଧ୍ୟରେ ବାୟୁ ଚଳାଚଳ ସୁବିଧା ନଥିବାରୁ ଗ୍ୟାସ ନିଆଁରୁ ନିର୍ଗତ ଅଙ୍ଗାରକାମ୍ଳ ଧୂଆଁ ସାରା ଘରେ ଭର୍ତ୍ତି ହୋଇ ପରିସ୍ଥିତକୁ ସଂଗୀନ କରିଦେଇଥିଲା। ଏପରିକି ଗ୍ୟାସ ନିଆଁ ବାରିପଟକୁ ଖେଳି ଯାଇ କିଛି ଗଛପତ୍ରକୁ ଜାଳି ଦେଇଛି। ଚାରିଆଡେ ଖେଳିଯାଉଥିବା ନିଆଁଯୋଗୁ ଘରର କୌଣସି ସମସ୍ତ ଆସବାବପତ୍ର ଉଦ୍ଧାର କରାଯାଇପାରିନଥିବାରୁ ସବୁ ପୋଡି ଭସ୍ମୀଭୂତ ହୋଇଯାଇଛି।

ବାଣପୁର ଅଗ୍ନିଶମ ବାହିନୀ ଓ ନିକଟସ୍ଥ ଗମ୍ଭାରିମୁଣ୍ଡା ପୁଲିସ ବିଟ ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଉଦ୍ଧାରକାରୀ ବ୍ୟକ୍ତିଙ୍କ ମଧ୍ୟରୁ ଗୁରୁତର ଥିବା ୫ ଜଣ ଗ୍ରାମବାସୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସରକାରୀ ସ୍ତରରେ ସେମାନଙ୍କୁ ଉନ୍ନତ ଚିକିତ୍ସା ତୁରନ୍ତ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ ହେଉଛି।

ସମ୍ବନ୍ଧିତ ଖବର