କୋଭିଡ୍‌ ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୫୦% ଶଯ୍ୟା

ପଜିଟିଭ୍ ବାହାନାରେ ଅନ୍ୟତ୍ର ରେଫର କରୁଛନ୍ତି ‌ଘରୋଇ ହସ୍ପିଟାଲ
ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : ଏଣିକି ରାଜ୍ୟରେ ଥିବା ଘରୋଇ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ରହିବ। କେବଳ ଶଯ୍ୟା ନୁହେଁ, ୫୦ ପ୍ରତିଶତ ଆଇସିୟୁ/ଏଚ୍‌ଡିୟୁ ଶଯ୍ୟା ମଧ୍ୟ ସଂରକ୍ଷିତ ରଖିବାକୁ ହେବ। ଏପରିକି ଅତି ଜରୁରୀ ପରିସ୍ଥିତିରେ ଏହାକୁ ଶତ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ବଢ଼ାଯାଇ ପାରେ। ରାଜ୍ୟର ଅନେକ ଘରୋଇ ହସ୍ପିଟାଲ ଶଯ୍ୟା ନ ଥିବା କହି କୋଭିଡ୍‌ ରୋଗୀମାନଙ୍କୁ ଅନ୍ୟତ୍ର ରେଫର କରୁଥିବା ନଜରକୁ ଆସୁଛି। ତେଣୁ ଘରୋଇ ହସ୍ପିଟାଲମାନଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

୩୦ରୁ ଅଧିକ ଶଯ୍ୟା ଥିବା ହସ୍ପିଟାଲ ଗୁଡ଼ିକରେ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ହେଲେ ଚିକିତ୍ସା ସମୟରେ ଯଦି କୌଣସି ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ତା’ହେଲେ ସଂପୃକ୍ତ ଘରୋଇ ହସ୍ପିଟାଲଗୁଡ଼ିକ ବାହାନା କରି ସରକାରୀ ବ୍ୟବସ୍ଥାକୁ ସଂକ୍ରମିତଙ୍କୁ ରେଫର କରି ଦେଉଛନ୍ତି। ଏପରିକି କିଛି ଘରୋଇ ହସ୍ପିଟାଲ କୋଭିଡ୍‌ ରୋଗୀଙ୍କ ପାଇଁ ଅଳ୍ପ ଶଯ୍ୟା ସଂରକ୍ଷିତ ରଖିଥିବା ବେଳେ ଅଣ କୋଭିଡ୍‌ ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ରଖୁଛନ୍ତି। ଯାହାଫଳରେ ସରକାରୀ କୋଭିଡ୍‌ ଚିକିତ୍ସା ବ୍ୟବସ୍ଥାରେ ଚାପ ବଢ଼ୁଛି।

ଘରୋଇ ହସ୍ପିଟାଲଗୁଡ଼ିକ ନିଜର ଜଣେ ସ୍ବୀକୃତିପ୍ରାପ୍ତ ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତ କରିବା ସହିତ ତାଙ୍କ ନମ୍ବର ରାଜ୍ୟ ସରକାରଙ୍କୁ ଜଣାଇବାକୁ କୁହାଯାଇଛି। ସଂପୃକ୍ତ ଅଧିକାରୀ ଜଣକ ରାଜ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିବେ। ଏପିରିକି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କଠାରୁ ଚିକିତ୍ସା ବାବଦରେ ଅଧିକ ଅର୍ଥ ନ ନେବା ଲାଗି ମଧ୍ୟ କୁହାଯାଇଛି। ଗତବର୍ଷ ରାଜ୍ୟ ସରକାର ଘରୋଇ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା ପାଇଁ କେତେ ଟଙ୍କା ନିଆଯିବ ସେ ସଂପର୍କରେ ଏକ ଦର ଧାର୍ଯ୍ୟ କରିଥିଲେ। ସାଧାରଣ ଶଯ୍ୟା ପାଇଁ ୧୨ଶହରୁ-୩ହଜାର ଓ ଅନ୍ୟ ଖର୍ଚ ବାବଦରେ ୧୭୫୦ ଟଙ୍କା ନେବେ। ସେହିପରି ଆଇସିୟୁ ପାଇଁ ୨ହଜାରରୁ ୩ହଜାର ଓ ଅନ୍ୟ ଖର୍ଚ ବାବଦରେ ୮ଶହରୁ ୧୨ଶହ ଟଙ୍କା, ଭେଣ୍ଟିଲେଟର ପାଇଁ ୨ହଜାରରୁ ୫ହଜାର ଓ ଅନ୍ୟ ଚିକିତ୍ସା ଖର୍ଚ ୧୦ହଜାରରୁ ୧୩ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏହି ସମୟରେ ଯଦି ସର୍ଜରି ଓ ଅନ୍ୟ ମେଡିକାଲ ଖର୍ଚର ଆବଶ୍ୟକତା ପଡ଼େ ତା’ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲାଗି କୁହାଯାଇଛି। ହସ୍ପିଟାଲରେ ହେଲ୍‌ପ ଡେସ୍କ ପ୍ରତିଷ୍ଠା କରାଯିବା ସହିତ ନିୟମିତ ଭାବେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେବେ। ରୋଗୀଙ୍କ ସମସ୍ତ ତଥ୍ୟ ସ୍ବୀକୃତିପ୍ରାପ୍ତ ପୋର୍ଟାଲରେ ଅପଲୋଡ୍‌ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର