୫ ଶହ ସରକାରୀ ବସ୍‌ ଠପ୍‌

ଓଏସ୍‌ଆର୍‌ଟିସି କର୍ମଚାରୀ ସଂଘର କାର୍ଯ୍ୟବନ୍ଦ

ଭୁବନେଶ୍ୱର: ୪ ଦଫା ଦାବି ନେଇ ମଙ୍ଗଳବାରଠାରୁ ରାଜ୍ୟ ସଡ଼କ ପରିବହନ ନିଗମର କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ଫଳରେ ରାଜ୍ୟର ସମସ୍ତ ୨୬ ଜୋନ୍‌ରେ ପ୍ରାୟ ୫ ଶହ ବସ୍‌ ଚଳାଚଳ ଠପ୍‌ ହୋଇଥିବାରୁ ଯାତ୍ରୀ ପରିବହନ କ୍ଷେତ୍ରରେ ଘୋର ସମସ୍ୟା ସୃଷ୍ଟି ହୋଇଛି। ତଥାପି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି ଓ ସଂଘ ସହ କୌଣସି ପ୍ରକାର ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି ବୋଲି ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂଘ ଆହୁରି ଦୃଢ଼ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି। ସଂଘ ମୁଖ୍ୟତଃ ୪ଟି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି। ଦୀର୍ଘ ବର୍ଷ ଧରି କାମ କରୁଥିବା ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ ହାରରେ ଦରମା ପ୍ରଦାନ କରିବା, ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶାନୁସାରେ ସମାନ କାମକୁ ସମାନ ଦରମା ଲାଗୁ କରିବା ଓ ଅନ୍ୟାୟଭାବେ କର୍ମଚାରୀଙ୍କ ଉପରେ ହେଉଥିବା ରାତିଅଧିଆ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା।

ସଂଘର ସମ୍ପାଦକ କାଳୁ ଚରଣ ଗୌଡ଼ ଓ ସଭାପତି ନଳିନୀ ରଂଜନ ପତିଙ୍କ ଅଭିଯୋଗ ଅନୁସାରେ ଏବେ ଏହି ନିଗମରେ ଚଳାଚଳ କରୁଥିବା ପ୍ରାୟ ୫ ଶହ ବସ୍‌ରେ ଡ୍ରାଇଭର, କଣ୍ଡକ୍ଟର ଓ ମେକାନିକ୍‌ ଏମିତି ୩ ଶ୍ରେଣୀରେ ୧୬ ଶହ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୪୭୯ ଜଣ ହେଉଛନ୍ତି ସ୍ଥାୟୀ କର୍ମଚାରୀ। ତେଣୁ ଜଣେ ସ୍ଥାୟୀ ଡ୍ରାଇଭର୍‌ ମାସିକ ୪୦ ହଜାର ଟଙ୍କା ଦରମା ପାଉଥିବାବେଳେ ଠିକା ଡ୍ରାଇଭର୍‌କୁ ମାତ୍ର ୧୦ ହଜାର ୫ ଶହ ଟଙ୍କା ଦିଆଯାଉଛି। ୬ ବର୍ଷରେ ନିୟମିତ କରାଯିବା ବିଧି ଥିଲେ ମଧ୍ୟ ଏଭଳି କର୍ମଚାରୀମାନେ ୧୫ ରୁ ୨୦ ବର୍ଷ କାମ କରି ବି ସ୍ଥରୟୀ ନିଯୁକ୍ତି ପାଇ ପାରୁନାହାନ୍ତି। ଗୋଟିଏ ପଟେ ଠିକା କର୍ମଚାରୀମାନଙ୍କୁ ଗୋତି ଶ୍ରମିକ ଭାବେ ଖଟା ଯାଉଥିବାବେଳେ ବିଭିନ୍ନ ଆଳରେ ସେମାନଙ୍କଠାରୁ ରିକୋଭରି ବାବଦରେ ହଜାର ହଜାର ଟଙ୍କା ଜୋର୍‌ କରି ନିଆଯାଉଛି ବୋଲି ଶ୍ରୀ ଗୌଡ଼ ଅଭିଯୋଗ କରିଛନ୍ତି। ଠିକ୍‌ ସମୟରେ ବସ୍‌ ମରାମତି କରାଯାଉନାହିଁ, ଅଥଚ ଅଧିକ ତେଲ ପୋଡ଼ିଗଲା ବୋଲି ଡ୍ରାଇଭର୍‌ମାନଙ୍କଠାରୁ ଦରମା କଟାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ବିଭିନ୍ନ ବସ୍‌ଷ୍ଟାଣ୍ଡରେ ଘରୋଇ ବସ୍‌ କର୍ମଚାରୀ ବା ସେମାନଙ୍କ ଦଲାଲମାନେ ନିଗମ କର୍ମଚାରୀମାନଙ୍କୁ ଯାତ୍ରୀ ଉଠାଇବାକୁ ନେଇ ଧମକଚମକ ଦେଉଥିଲେ ବି ନିଗମର ଅଧିକାରୀମାନେ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ତଥାପି କର୍ମଚାରୀମାନଙ୍କ ନିଷ୍ଠା ପାଇଁ ଲାଭରେ ଚାଲୁଥିବା ଏହି ନିଗମ କର୍ମଚାରୀ ମାରଣନୀତି ଆପଣେଇଛି ଓ ପରୋକ୍ଷଭାବେ ଘରୋଇ ବସ୍‌ ସେବାକୁ ପ୍ରୋତ୍ସାହନ ଯୋଗାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର