ଜଙ୍ଗଲ ନିଆଁ ଲିଭାଇବେ ୬୦୦ ବନ କର୍ମଚାରୀ, ୫୦ ଅଗ୍ନି ନିର୍ବାପକ ଯନ୍ତ୍ର, ୨୫ ଗାଡି ନିୟୋଜିତ

ରାଉରକେଲା : ଜଙ୍ଗଲ ନିଆଁକୁ ପ୍ରତିହତ କରିବାକୁ ରାଉର‌କେଲା ବନ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ରାଉରକେଲା ବନଖଣ୍ଡର ୬ଟି ରେଞ୍ଜରେ ସ୍ଥାୟୀ, ଅସ୍ଥାୟୀ କର୍ମଚାରୀ ସମେତ ୩୦୦ ବନ ସୁରକ୍ଷା ସମିତିକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଉରକେଲା ବନଖଣ୍ଡରେ ୬୦୦ କି.ମି.ରୁ ଅଧିକ ଅଗ୍ନି ନିରୋଧୀ ରେଖା ଗଠନ କରାଯାଇଛି। ୫୦ଟି ଅଗ୍ନି ନିର୍ବାପକ ଯନ୍ତ୍ରକୁ କାମରେ ଲଗାଯାଇଛି। ମୋଟ ୬୦୦ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିଆଁ ଲିଭା କାମରେ ନିୟୋଜିତ କରାଯାଇଛି। ଏଥିସହ ୩୦୦ ବନ ସୁରକ୍ଷା ସମିତିକୁ ଅଧିକ କ୍ରିୟାଶୀଳ କରାଯାଇଛି। ଜଙ୍ଗଲ ନିଆଁ ଲିଭାଇବାରେ ତାଙ୍କର ସହଯ‌ୋଗ ମଧ୍ୟ ଲୋଡା ଯାଇଛି। ସାରା ବନଖଣ୍ଡରେ ୨୫ଟି ଚାରି ଚକିଆ ଗାଡ଼ି ନିୟୋଜିତ ହୋଇଛି। ୪୦ଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଅଗ୍ନି ନିର୍ବାପକ ସଦସ୍ୟଙ୍କୁ ଉପଯୁକ୍ତ ତାଲିମ ଓ ପୋଷାକ ଯୋଗାଇ ଦିଆଯାଇଛି।

ବନଖଣ୍ଡ ଓ ବନାଞ୍ଚଳ ସ୍ତରରେ ଅଗ୍ନି ନିରାପକ ସଂସ୍ଥାମାନଙ୍କ ସହାୟତାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ସଚେତନତା ରଥ ମାଧ୍ୟମରେ ଗାଁ ଗାଁରେ ଜଙ୍ଗଲ ନିଆଁ ପ୍ରତିରୋଧ କରିବାକୁ ପ୍ରଚାର କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ପ୍ରୋତ୍ସାହନ ଓ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ନିଆଁ ଲଗାଉଥିବା କୌଣସି ବ୍ୟକ୍ତି ବିଶେଷଙ୍କ ସମ୍ବନ୍ଧରେ ଖବର ଦେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶିର ବ୍ୟବସ୍ଥା କରାଯାଇଛି। ସୂଚନାଦାତାଙ୍କ ନାମ ମଧ୍ୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ। ଉଲ୍ଲେଖନୀୟ କାମ ପାଇଁ ବନ ସୁରକ୍ଷା ସମିତି ଗୁଡ଼ିକୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି। କୌଣସି ବ୍ୟକ୍ତି ଜଙ୍ଗଲରେ ନିଆଁକୁ ଲଗାଉଥିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନଜକୁ ଆସିଲେ ତାଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଜଙ୍ଗଲ ନିଆଁ ସମ୍ବନ୍ଧରେ ସୂଚନା ଦେବାକୁ ନିଃଶୁଳ୍କ ନମ୍ବର -୧୮୦୦୩୪୫୪୬୩୬ରେ ଯୋଗାଯୋଗ କରିବାକୁ ରାଉରକେଲା ବନଖଣ୍ଡ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର