ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁସଂଖ୍ୟା ୭,୪୨୬କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭,୪୨୬କୁ ବୃଦ୍ଧି ପାଇଛି।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୮ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୧୭ ଜଣ ଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ୧୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮, ଯାଜପୁର ଜିଲ୍ଲାରୁ ୬ ଜଣ ଓ ଢେଙ୍କାନାଳରୁ ୯ ଜଣ ଆକ୍ରାନ୍ତ ଅଛନ୍ତି। ବାଲେଶ୍ବର ଜିଲ୍ଲାରୁ ୩, ଯାଜପୁର, ପୁରୀ ଜିଲ୍ଲାରୁ ୨ ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ଅପରପକ୍ଷରେ ଭଦ୍ରକ, କେନ୍ଦୁଝର, ଝାରସୁଗୁଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଥିବା ଜଣାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୦୧ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୯୮, ୧୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୮୧, ୩୧୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୯, ୬୬୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର