ସରକାରଙ୍କୁ ଅଧ୍ୟାପକଙ୍କ ଚ୍ୟାଲେଞ୍ଜ, ୭ ଘଣ୍ଟା ଡ୍ୟୁଟି କରିବୁନି

ଭୁବନେଶ୍ବର : ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକମାନେ ପ୍ରତି କାର୍ଯ୍ୟ ଦିବସରେ ୭ ଘଣ୍ଟା କାର୍ଯ୍ୟ କରିବେ। ଶିକ୍ଷା‌ଦାନ ବ୍ୟତୀତ ସେମାନେ ଲାଇବ୍ରେରିରେ ସମୟ କାଟିବେ। ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ। ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କ୍ଲାସ୍‌ କରିବେ।

ଗତ ୫ ତାରିଖରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଏଭଳି ବିଜ୍ଞପ୍ତି ପ୍ରକାଶ କରିବା ପରେ ଅଧ୍ୟାପକମାନେ କଡ଼ା ପ୍ରତିବାଦ କରିଛନ୍ତି। ଅଧ୍ୟାପକ ସଙ୍ଗଠନଗୁଡ଼ିକ ସର୍ତ ଓ ସମୟସୀମା କଣ୍ଟ ରଖି ପରୋକ୍ଷରେ ଶୁଣାଇ ଦେଇଛନ୍ତି, ଆମେ ନିୟମ ମାନିବୁ ନାହିଁ। ସିଧା ସିଧା କହିଛନ୍ତି, ସରକାର ଆଗ ଆମ ଦାବି ପୂରଣ କରନ୍ତୁ। ସମାନ କାମକୁ ସମାନ ଦରମା ଦିଅନ୍ତୁ।

କଲେଜଗୁଡ଼ିକର ଭିତ୍ତିଭୂମି ସଜାଡ଼ନ୍ତୁ। ତା’ପରେ କଡ଼ା ନିୟମ କଲେ, ପାଳନ କରିବାକୁ ଦ୍ବିଧା ନାହିଁ।

ଅଧ୍ୟାପକମାନଙ୍କର ଏଭଳି କଡ଼ା ପ୍ରତିକ୍ରିୟା ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଅକଳରେ ପକାଇ ଦେଇଛି। ସରକାର ଚାପ ପକାଇ ନିଜ ନିେର୍ଦଶନାମାକୁ କାର୍ଯ୍ୟକାରୀ କରିବେ ନା େଦଇଥିବା ଆଦେଶନାମା କାର୍ଯ୍ୟକାରୀ କରିବାକୁ ଚାପ ନ ପକାଇ ଶୂନ୍ୟରେ ମିଳାଇ ଦେବେ, ତାହା ଉପରେ ଏବେ ଅଭିଭାବକ ମହଲ ନଜର ରଖିଛନ୍ତି।

୭ ଘଣ୍ଟା ଡ୍ୟୁଟିକୁ ନେଇ ଅଧ୍ୟାପକ ଓ ସରକାର ମଧ୍ୟରେ ପୁଣିଥରେ ମୁହାଁମୁହିଁ ପରିସ୍ଥିତି ଉପୁଜିଲାଣି। ସରକାରଙ୍କ ନିର୍ଦେଶନାମା ଉପରେ ସରକାରୀ କଲେଜଗୁଡ଼ିକର ଅଧ୍ୟାପକ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି। କିନ୍ତୁ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଶିକ୍ଷକ ସଂଘଗୁଡ଼ିକ ପ୍ରତିବାଦ ଜଣାଇଛନ୍ତି। ୬୬୨ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, ସରକାରଙ୍କ ସମସ୍ତ ନିୟମ ମାନିବାକୁ ଆମେ ପ୍ରସ୍ତୁତ। ମାତ୍ର ଦରମାରେ ପାତରଅନ୍ତର ରହିଛି। ଶିକ୍ଷାଦାନ ଲାଗି ଜଣେ ଅଧ୍ୟାପକର ମାନସିକ ଶାନ୍ତି ଦରକାର। ପଢ଼ିବା ପାଇଁ ପିଲା ମଧ୍ୟ ସବୁ ପ୍ରକାର ସୁବିଧା ପାଇବା ଉଚିତ। ଏ କଥା କ’ଣ ଛାତ୍ରନେତାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିବା ଅରୁଣ ସାହୁଙ୍କୁ ବୁଝାଇବାକୁ ହେବ?

ଶ୍ରୀ ନାୟକ କହିଛନ୍ତି, ଅଧ୍ୟାପକଙ୍କ ଚାକିରିର ସୁରକ୍ଷା ଦରକାର। ଦୀର୍ଘ ୨୦ ବର୍ଷ ବିନା ପଇସାରେ ପାଠ ପଢ଼େଇ ଆମେ କ’ଣ ଆମ ପ୍ରତିବଦ୍ଧତାର ପରିଚୟ ଦେଇ ନାହୁଁ? ଆଗେ ପେଟକୁ ଦାନା ଦିଅ, ପରେ ପିଠିକୁ ମାରିଲେ ଶୋଭା ପାଇବ। ନଚେତ ଅସନ୍ତୋଷ ହେବା ସ୍ବାଭାବିକ। ମାସେ ଭିତରେ ସମସ୍ୟାର ସମାଧାନ କରାଯାଉ। ଏହି ସମୟ ପର୍ଯ୍ୟନ୍ତ ନିୟମ ମାନିବୁ। ଯଦି ଦାବି ପୂରଣ କରା ନଯାଏ ତେବେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ।

୪୮୮ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସମନ୍ବୟ ସମିତି ସଭାପତି ପବିତ୍ର ମାହାଲା କହିଛନ୍ତି ଯେ ଅଧ୍ୟାପକମାନଙ୍କ ପ୍ରଥମେ ସମସ୍ୟାର ସମାଧାନ କରାଯାଉ। ଜଣେ ଅଧ୍ୟାପକଙ୍କ ଲାଗି ସମୟ ଯେ‌ତିକି ଗୁରୁତ୍ବପୂର୍ଣ୍ଣ ନୁହେଁ; କ୍ଲାସରୁମ୍‌ ଶିକ୍ଷା ଅଧିକ ‌ଗୁରୁତ୍ବପୂର୍ଣ୍ଣ। ତେଣୁ ୭ ଘଣ୍ଟା ଡ୍ୟୁଟି କରିବାକୁ ଅରାଜି ନାହୁଁ। ‌ତେବେ ଗୋଟିଏ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଙ୍କୁ ଗୋଟିଏ ବର୍ଗରେ ଅଣାଯାଉ। ଏବେ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୫ଟି ବର୍ଗର ଅଧ୍ୟାପକ ଯଥା ୟୁଜିସି, ଷ୍ଟେଟ୍‌ ସ୍କେଲ୍‌, ୨୦୧୭ ଜିଓ, ୨୦୧୪ ଜିଓ, ମ୍ୟାନେଜମେଣ୍ଟ ବର୍ଗର ଅଧ୍ୟାପକ ରହିଛନ୍ତି। ଜଣଙ୍କ ଦରମା ଏକ ଲକ୍ଷ ୨୦ ହଜାର ଥିବା ବେଳେ ଆଉ ଜଣଙ୍କର ୨୦ ହଜାର। କିଛି ଅଧ୍ୟାପକଙ୍କର ଦରମା ୫ ହଜାର ବି ରହିଛି। ‌ଏଭଳି ପାତରଅନ୍ତର ବନ୍ଦ ହେଉ। ସମାନ କାମ ପାଇଁ ସମାନ ଦରମା ଦିଅନ୍ତୁ। ତା’ପରେ ନିୟମ ଲାଗୁ କଲେ ଆମେ ପାଳନ କରିବୁ। ଏନେଇ ଦୁଇ ଦିନ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ସାକ୍ଷାତ କରି ଦାବିପତ୍ର ଦେବୁ। ଏହାପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ସମିତିର ସାଧାରଣ ସମ୍ପାଦକ ଅଟଳ ବଳ କହିଛନ୍ତି।

ସମ୍ବନ୍ଧିତ ଖବର