ମହିଳା ଗ୍ରୁପ୍‌ଙ୍କୁ ଋଣ ଦେବା ନାଁରେ ୩୦ ଲକ୍ଷ ଟଙ୍କାର ଠକେଇ, ଫାଇନାନ୍ସ କମ୍ପାନି ମ୍ୟାନେଜର, ଫିଲ୍‌ଡ ଅଫିସର ଗିରଫ

ଜାଲ ଦସ୍ତ‌ାବିଜ୍‌ରେ ଉଠିଛି ୮୯ ଜଣଙ୍କ ନାଁରେ ଋଣ

ସମ୍ବଲପୁର : ବିଭିନ୍ନ ମହିଳା ସଂଗଠନକୁ ଋଣ କରାଇ ଦେବା ଆଳରେ ଫାଇନାନ୍ସ କମ୍ପାନିଠାରୁ ଜାଲ ଦସ୍ତାବିଜ୍‌ରେ ପ୍ରାୟ ୩୦ ଲକ୍ଷ ଟଙ୍କାର ଋଣ ନିଜେ ଚଳୁ କରିଦେଇଥିବା ୨ କର୍ମଚାରୀଙ୍କୁ ଅଇଁଠାପାଲି ପୁଲିସ୍‌ ଗିରଫ କରିଛି। ଦୁଇଜଣ ହେଲେ, ସ୍ପନ୍ଦନ ସ୍ଫୂର୍ତ୍ତି ପ୍ରାଇଭେଟ ଲିମିଟେଡର ପୂର୍ବତନ ମ୍ୟାନେଜର ହେମସାଗର ମରେଇ(୨୭) ଓ ଫିଲ୍ଡ ଅଫିସର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତେଲକୋଇର ସୁଧାଂଶୁ ଶେଖର ସାହୁ।ରବିବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅଇଁଠାପାଲି ଥାନା ଗାୟତ୍ରୀ କଲୋନିରେ ଦୀର୍ଘ ବର୍ଷ ହେବ ସ୍ପନ୍ଦନ ସ୍ଫୂର୍ତ୍ତି ପ୍ରାଇଭେଟ ଲିମିଟେଡ ନାମକ ଫାଇନାନ୍ସ କମ୍ପାନି ଚାଲୁ ରହିଛି। ବିଭିନ୍ନ ମହିଳା ଗ୍ରୁପ୍‌ଙ୍କୁ ଋଣ ପ୍ରଦାନ କରି ମାସିକ ଇନ୍‌ଷ୍ଟଲମେଣ୍ଟ ଆକାରରେ କମ୍ପାନି ଟଙ୍କା ସଂଗ୍ରହ କରିଥାଏ। ତେବେ ଗତ ନଭେମ୍ବର ମାସରେ କମ୍ପାନିରେ କାର୍ଯ୍ୟରତ ମ୍ୟାନେଜର ହେମସାଗର ଓ ଫିଲ୍ଡ ଅଫିସର ସୁଧାଂଶୁ ଶେଖର ଏକ ଠକେଇ ଯୋଜନା କରି ଭାଲୁପାଲି, ମାଲିପାଲି, ମାଝୀପାଲି, ଫାଟକ ଆଦି ଅଞ୍ଚଳର ୮୯ଜଣ ହିତାଧିକାରୀଙ୍କ ଜାଲ୍‌ ଦସ୍ତାବିଜରେ ୨୯ ଲକ୍ଷ ୪୦ ହଜାର ୬୫ ଟଙ୍କାର ଋଣ କରି ଉକ୍ତ ଟଙ୍କାକୁ ବାହାର ଲୋକଙ୍କୁ ଋଣ ଆକାରରେ ପ୍ରଦାନ କରି ମୋଟା ଅଙ୍କର ସୁଧ ଅସୁଲ କରୁଥିଲେ। ଚଞ୍ଚକତା କରି ଉକ୍ତ ୨ କର୍ମଚାରୀ ମାର୍ଚ୍ଚ ମାସରେ ଉକ୍ତ କମ୍ପାନି ଛାଡ଼ି ଚାଲିଯାଇଥିଲେ। ନୂତନ ବ୍ରାଞ୍ଚ ମ୍ୟାନେଜର ଆସିବା ପରେ ୮୯ଜଣ ଋଣ ଗ୍ରହୀତାଙ୍କର ଦୀର୍ଘ ମାସର ଇନ୍‌ଷ୍ଟଲମେଣ୍ଟ ବକେୟା ଥିବା ଜାଣିବା ପରେ ଟଙ୍କା ସଂଗ୍ରହ ପାଇଁ ଯାଇଥି‌ଲେ। କିନ୍ତୁ ଉକ୍ତ ୮୯ ହିତାଧିକାରୀ ଋଣ ନେଇଥିବା ସମ୍ପର୍କରେ ଜାଣିନଥିବା କହିଥିଲେ। ଛାନ୍‌ଭିନ୍‌ ପରେ ଉକ୍ତ ମ୍ୟାନେଜର ଓ ଫିଲ୍ଡ ଅଫିସର ଚଞ୍ଚକତା କରି ଟଙ୍କା ନେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଥିଲା। ଫାଇନାନ୍ସ କମ୍ପାନିର ଡିଭିଜନାଲ ମ୍ୟାନେଜର ରଞ୍ଜିତ ବେହେରାଙ୍କ ଅଭିଯୋଗ ମୁତାବକ, ଗତ ୪ ତାରିଖରେ ଅଇଁଠାପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ‌ପରେ, ପୁଲିସ୍‌ ୨ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର