ମୁକୁଳା ଡ୍ରେନ୍‌ରେ ପ୍ରାଣଗଲା

ପୁରୀ : ପୁରୀ ସହର ଉପକଣ୍ଠ ଗୋପାଳପୁର ଅଞ୍ଚଳରେ ଜଣେ ୭ ବର୍ଷର ବାଳକ ମୁକୁଳା ଡ୍ରେନ୍‌ରେ ପଡ଼ି ଅକାଳ ମୃତ୍ୟୁବରଣ କରିଛି। ଗତକାଲି ଏହି ବାଳକଟି ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିବାବେଳେ ଆଜି ତାର ମୃତଦେହ ନାଳରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଶବ ରଖି ପୁରୀ-କୋଣାର୍କ ମୁଖ୍ୟ ରାସ୍ତାର ବାଲିଘାଟ ଛକରେ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା‌ରୋକ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ମୂଳ ବାସିନ୍ଦା ପ୍ରକାଶ ନାୟକ ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଦୀର୍ଘ ବର୍ଷ ହେଲା ଭଡ଼ାରେ ରହି ଆସୁଛନ୍ତି। ଗତକାଲି ଅପରାହ୍ନ ଚାରିଟାରେ ତାଙ୍କ ପୁଅ ଗଣେଶ (୭୦) ସାଙ୍ଗମାନଙ୍କ ସହିତ ଖେଳିବାକୁ ଯାଇଥିଲା। ସନ୍ଧ୍ୟା ହେଲା, ମାତ୍ର ଗଣେଶ ଆଉ ଘରକୁ ଫେରିନଥିଲା। ପୁରୀରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ପ୍ରକାଶ କାମରୁ ଫେରିବା ପ‌ରେ ପତ୍ନୀଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ଚାରିଆଡ଼େ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅର କିଛି ଖୋଜଖବର ମିଳିନଥିଲା। ଫଳରେ ବାଧ୍ୟ ହୋଇ ପ୍ରକାଶ ପେଣ୍ଠକଟା ମେରାଇନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗତକାଲି ଚାରିଆଡ଼େ ଖୋଜାଖୋଜି କରିବା ସହିତ କେତେକ ନାଳରେ ବାଉଁଶ ‌କେଞ୍ଚି ବିଫଳ ହୋଇଥିଲା। ତେବେ ଆଜି ଭୋର ସମୟରେ ପୁଅର ଶବ ନାଳରେ ଭାସୁଥିବା ଦେଖି ପ୍ରକାଶ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ମୃତଦେହକୁ ନାଳରୁ କାଢ଼ିଥିଲେ।

ସମ୍ବନ୍ଧିତ ଖବର