୭୩ତମ ବିଷୁବ ମିଳନ ଉତ୍ସବ: ‘ଝଙ୍କାର ସାରସ୍ବତ ଜଗତରେ ନବଜାଗରଣ ସୃଷ୍ଟି କରିଛି’

କଟକ: ଦୀର୍ଘ ୭୩ ବର୍ଷ ଧରି ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କୁ ପ୍ରେରଣା ଯୋଗାଇ ସାରସ୍ବତ ଜଗତରେ ଏକ ନବଜାଗରଣ ସୃଷ୍ଟି କରିଛି ‘ଝଙ୍କାର’ । ଏହା ଧାରାବାହିକ ଭାବରେ ପ୍ରକାଶିତ ହୋଇ ଭାରତର ପ୍ରାନ୍ତୀୟ ଭାଷାରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛି। ୭୩ତମ ବିଷୁବ ମିଳନ ଓ ‘ଝଙ୍କାର’ ବାର୍ଷିକ ଉତ୍ସବର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ଏହିଭଳି ମତବ୍ୟକ୍ତ କରିଛନ୍ତି।

ପ୍ରଜାତନ୍ତ୍ର ବିଷୁବ ମଣ୍ଡପରେ ଆୟୋଜିତ ଏହି ବିଷୁବ ମିଳନ ଉତ୍ସବକୁ ଉଦ୍‌ଘାଟନ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ଏମ୍‌. ‌ବୀର୍‌ପ୍ପାମୋଇଲୀ। ସେ କହିଥିଲେ, ଉତ୍କଳକେଶରୀ ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଓଡ଼ିଶାର ପ୍ରତିଷ୍ଠାତା। ଜଣେ ରାଜନେତା ହୋଇ ମଧ୍ୟ ସେ ଓଡିଆ ସାହିତ୍ୟର ବିକାଶ ପାଇଁ ‘ପ୍ରଜାତନ୍ତ୍ର’ ଓ ‘ଝଙ୍କାର’ ମାଧ୍ୟମରେ ତରୁଣ ସାହିତ୍ୟିକଙ୍କୁ ସୁଯୋଗ ଦେଇ ଏକ ଆନ୍ଦୋଳନ ସୃଷ୍ଟି କରିଥିଲେ। ୫୦ ଦଶକରେ ଆରମ୍ଭ ହୋଇଥିବା ଏହି ପତ୍ରିକା ଆଜିପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇବା ଏକ ଗୌରବର କଥା। ସାହିତ୍ୟ ସମାଜର ଦର୍ପଣ। ଉଚ୍ଚାଙ୍ଗ ସାହିତ୍ୟ ରଚନା କରି ଓଡ଼ିଶାର ଲେଖକମାନେ ବେଶ୍ ପ୍ରଶଂସିତ ହୋଇଛନ୍ତି।

ଓଡ଼ିଶାରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଶ୍ୱବିଦିତ। କବି ଶାରଳା ଦାସଙ୍କଠୁ ଆରମ୍ଭ କରି ଜଗନ୍ନାଥ ଦାସ, ବଳରାମ ଦାସ, ଉପେନ୍ଦ୍ର ଭଞ୍ଜଙ୍କ ଅସାଧାରଣ ସାହିତ୍ୟ ସ୍ରଷ୍ଟାମାନେ ଏଇ ମାଟିର ବୋଲି ଶ୍ରୀ ମୋଇଲି ପ୍ରକାଶ କରିଥିଲେ। ଉତ୍ସବରେ ବିଶିଷ୍ଟ କବି ହରପ୍ରସାଦ ଦାସ ଯୋଗଦେଇ କହିଥିଲେ, ଝଙ୍କାର ପତ୍ରିକା ସାହିତ୍ୟିକମାନଙ୍କ ପ୍ରେରଣାର ଉତ୍ସ।

ବିଶିଷ୍ଟ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଝଙ୍କାର’ ମୁଖ୍ୟ ସଂପାଦକ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିଲେ। ସେ କହିଥିଲେ ଯେ ଝଙ୍କାର କେବଳ ଗୋଟିଏ ପତ୍ରିକା ନୁହେଁ, ଏହା ସାହିତ୍ୟିକମାନଙ୍କ ଆଶା ଓ ବିଶ୍ୱାସର ପ୍ରତୀକ। ସମାରୋହରେ ‘ଝଙ୍କାର’ର ଅନ୍ୟତମ ସଂପାଦକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ସଂପାଦକ ଡକ୍ଟର ତରୁଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଆୟୋଜିତ ବିଷୁବ ମିଳନ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ବାଳ, ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ, କବି ସରୋଜରଂଜନ ମହାନ୍ତି, କବି ଅମରେଶ ପଟ୍ଟନାୟକ, ପ୍ରଫୁଲ୍ଲ ସିଂହ, ଧର୍ମେଶ ନାୟକ, ଗିରିବାଳା ବେହେରା, ଡାକ୍ତର ରବିରଂଜନ ସାହୁଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର