ଅନିଶ୍ଚିତତା ମଧ୍ୟରେ ୭୮୩ ପରୀକ୍ଷାର୍ଥୀଙ୍କ ଭାଗ୍ୟ

ବୋର୍ଡ ପରୀକ୍ଷା କମିଟି ବୈଠକରେ ହୋଇପାରିଲାନି ନିଷ୍ପତ୍ତି

କଟକ: ସଦ୍ୟ ସମାପ୍ତ ମାଟ୍ରିକ ପରୀକ୍ଷାର ତିନି କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ ହେବା ଓ ଗୋଟିଏ ‌େକନ୍ଦ୍ରରେ ଗଣିତ ଓଏମ୍ଆର୍ ଫର୍ଦ୍ଦ ହଜିବା ପ୍ରସଙ୍ଗ ଉପରେ ହେବାକୁ ଥିବା ଚୂଡାନ୍ତ ନିଷ୍ପତ୍ତି ଆଜି ‌ସମ୍ଭବ ହୋଇପାରିନାହିଁ। ଆଜି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଅନୁଷ୍ଠିତ ପରୀକ୍ଷା କମିଟି ବୈଠକରେ ମାଟ୍ରିକ ବିଭ୍ରାଟ ସମେତ ମୂଲ୍ୟାୟନ ଉପରେ ଆଲୋଚନା ହୋଇଥିଲେ ମଧ୍ୟ ଏହି ବିଷୟରେ ଚୂଡାନ୍ତ ନିଷ୍ପତ୍ତି ଆଗାମୀ ବୈଠକରେ କରାଯିବାକୁ ସ୍ଥିର ହୋଇଛି। ଆଜି ପରୀକ୍ଷା କମିଟି ବୈଠକରେ ପରେ ବିଭ୍ରାଟ ହୋଇଥିବା ୪ କେନ୍ଦ୍ରର ୭୮୩ଜଣ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତା ମଧରେ ରହିଛି। ଏହି ପରୀକ୍ଷାଥୀଙ୍କ ଖାତା ମୂଲ୍ୟାୟନ ହେବ କି ନାହିଁ, ତାହା ବି ଅସ୍ପଷ୍ଟ ରହିଛି। ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗୀର ଜିଲ୍ଲା ଘୁଣସର ସରକାରୀ ନୋଡାଲ ହାଇସ୍କୁଲ, ଢ଼େଙ୍କାନାଳ ଜିଲ୍ଲାର ପି.ଆର. ହାଇସ୍କୁଲ ଓ କଟକ ଜିଲ୍ଲା ଗୋପୀନାଥପୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲରେ ବ୍ୟାପକ କପି ଚାଲିଥିଲା। ଘଟଣା ଜଣାପଡ଼ିବା ‌ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବ‌ୋର୍ଡ) ପକ୍ଷରୁ ଏ ତିନି କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ(କ୍ୟାନ୍‌ସଲ) କରାଯାଇଥିଲା। ଏଥି ପାଇଁ ବଲାଙ୍ଗୀର ଘୁଣସର ନୋଡାଲ ହାଇସ୍କୁଲ କେନ୍ଦ୍ରର ୨୨୨ଜଣ, ଢ଼େଙ୍କାନାଳ ପି.ଆର. ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ୨୨୬ଜଣ ଓ କଟକ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲ କେନ୍ଦ୍ରର ୨୨୭ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ ହୋଇଥିଲେ। ଏହି ପିଲାଙ୍କ ଖାତା ମୂଲ୍ୟାୟନ କରାଯିବ ନାହିଁ ବୋଲି ସ୍ଥିର ‌ହୋଇଥିଲା। ଏହା ବ୍ୟତୀତ ମାଲ୍‌କାନାଗିରି ଜିଲ୍ଲା ଏସ୍‌ଏସ୍‌ଡି ହାଇସ୍କୁଲର ଗଣିତ ପରୀକ୍ଷାର ୧୦୮ଟି ଓଏମ୍‌ଆର୍‌ ପର୍ଦ୍ଦ ହଜିଯାଇଥିଲା। ଇଂରାଜୀ ଓ ଗଣିତ ବିଭ୍ରାଟରେ ୪ଟି କେନ୍ଦ୍ରର ମୋଟ ୭୮୩ ଜଣ ପରୀକ୍ଷାର୍ଥୀଙ୍କ ବିଷୟରେ ଆଜି ବୋର୍ଡ ପରୀକ୍ଷା କମିଟିରେ ଆଲୋଚନା କରାଯିବାକୁ ପୂର୍ବରୁ ଚୁଡାନ୍ତ ହୋଇଥିଲା। ଆଜି ପରୀକ୍ଷା କମିଟି ବୈଠକ ବସିଥିଲେ ମଧ୍ୟ ଏବିଷୟରେ କୌଣସି ନିଷ୍ପତ୍ତି ହୋଇନାହିଁ। ଆସନ୍ତା ପରୀକ୍ଷା କମିଟି ବୈଠକରେ ଏ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯିବାକୁ ସ୍ଥିର ହୋଇଥିବା ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ୍ କହିଛନ୍ତି। ଆଜି ବୈଠକରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି, ସଂପାଦକ ରାମାଶିଷ ହାଜରାଙ୍କ ସମେତ ପରୀକ୍ଷା କମିଟି ସଭ୍ୟମାନେ ଉପସ୍ଥିତ ଥିଲେ। ପରୀକ୍ଷା ବିଭ୍ରାଟ, ଖାତା ମୂଲ୍ୟାୟନ ଆଦି ବିଷୟରେ ଆଲୋଚନା ହୋଇଥିବା ସଭାପତି ଡକ୍ଟର ବେଗମ୍ କହିଛନ୍ତି। କିନ୍ତୁ ଇଂରାଜୀ ପରୀକ୍ଷା ବାତିଲ ଓ ଗଣିତ ଓଏମ୍‌ଆର୍‌ ବିଷୟରେ ଆସନ୍ତା ବୈଠକରେ ସ୍ଥିର ହେବ ବୋଲି ଡକ୍ଟର ବେଗମ୍ ସୂଚନା ଦେଇଛନ୍ତି। ଆସନ୍ତା ବୈଠକ ଖୁବ୍ ଶୀଘ୍ର ହେବ ବୋଲି ସୂଚନା ମିଳିଛି। ଆସନ୍ତା ୨୫ରୁ ମୂଲ୍ୟାୟନ ଆରମ୍ଭ ହେଉଥିବାରୁ ଏହାର ଯଥେଷ୍ଟ ପୂର୍ବରୁ ଏ ବିଷୟରେ ପଦକ୍ଷେପ ‌ନେବାକୁ ଅଭିଭାବକଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର