କେନ୍ଦୁଝର ହାଟଡିହି ମନରେଗା ଦୁର୍ନୀତି: ୮୫ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍‌

ଡିସେମ୍ବର ୨ରେ ପରବର୍ତ୍ତୀ ଶୁଣାଣି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ମନରେଗା ଦୁର୍ନୀତି ନେଇ ବ୍ଲକ୍‌ର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ତତ୍କାଳୀନ ଜନପ୍ରତିନିଧିଙ୍କ ତଥ୍ୟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହୋଇଥିଲା। ସମସ୍ତ ୮୫ଜଣଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ୍‌ ଦିଆଯାଇ ପକ୍ଷ ରଖିବାକୁ ନିର୍ଦେଶ ହୋଇଛି। ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ହାଟଡିହି ବ୍ଲକ୍‌ର ୩୧ଟି ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତା ହୋଇଥିଲା। ଏନେଇ ଲୋକାୟୁକ୍ତଙ୍କ ନିକଟରେ ୨୦୨୦ରେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୩୧ଟି ପଞ୍ଚାୟତ ସମେତ ହାଟଡିହି ବ୍ଲକ୍‌ରେ ମନରେଗା ଯୋଜନାରେ ୨୦୧୫-୧୬ରୁ ୨୦୨୦-୨୧ ଆର୍ଥିକବର୍ଷ ମଧ୍ୟରେ ହୋଇଥିବା କାମଗୁଡ଼ିକର ସ୍ୱତନ୍ତ୍ର ଅଡିଟ୍ ହୋଇଥିଲା। ଅଡିଟ୍ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ସ୍ପଷ୍ଟ ହେବାପରେ ଏଥିରେ ସମ୍ପୃକ୍ତ ଥିବା ସରପଞ୍ଚ, ଗ୍ରାମ ରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ବିଭାଗୀୟ କିରାଣି, ବିଡିଓଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦିଆଯାଇଥିଲା।

ଅଗଷ୍ଟ ୫ରେ ଲୋକାୟୁକ୍ତରେ ଏହି ମାମଲାର ଶୁଣାଣି ଥିଲା। ଶୁଣାଣି ବେଳେ ଏହି ତଥ୍ୟ ଜିଲ୍ଲାପାଳ ଦାଖଲ କରିବା କଥା। ମାତ୍ର ତଥ୍ୟ ନ ମିଳିବାରୁ ଲୋକାୟୁକ୍ତ ନିଜ ତଦନ୍ତକାରୀ ଟିମ୍‌କୁ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦେଇଥିଲେ। ତଦନ୍ତକାରୀ ଟିମ୍‌ ସେପ୍ଟେମ୍ବର ୧୬ ତାରିଖ ଶୁଣାଣି ବେଳେ ଏ ସମ୍ପର୍କିତ ତଥ୍ୟ ଦାଖଲ କରିଥିଲେ। ସେତେବେଳେ ଏହି ଅଧିକାରୀ, କର୍ମଚାରୀ ଏବଂ ଜନପ୍ରତିନିଧିମାନେ କେଉଁଠି କେଉଁ ପଦବିରେ ଥିଲେ ଏବଂ ଏବେ ସେମାନେ କେଉଁଠି ଓ କେଉଁ ପଦବିରେ କାର୍ଯ୍ୟ କରୁଛନ୍ତି, ସେ ସମ୍ପର୍କିତ ସୂଚନା ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହୋଇଛି। ଏହାପରେ କାହିଁକି ଓ କେଉଁ ପରିସ୍ଥିତିରେ ‌ମ‌ନରେଗା କାର୍ଯ୍ୟରେ ଅନିୟମିତତା ହୋଇଛି ତାହା ଜଣାଇବାକୁ ସମ୍ପୃକ୍ତ ଅଧିକ‌ାରୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ନୋଟିସ୍‌ କରାଯାଇଛି।

ସମ୍ବନ୍ଧିତ ଖବର