୭ ଜେଲ୍‌ରୁ ୯ କଏଦୀ ଯିବେ ମୁକ୍ତାକାଶ କାରାଗାର

ଭୁବନେଶ୍ୱର : ହତ୍ୟାକାଣ୍ଡ ଭଳି ସଂଗିନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଜ୍ୟର ବିଭିନ୍ନ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ୯ କଏଦୀ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାରକୁ ଯିବେ। ଏମାନଙ୍କର ଆବେଦନକୁ ବିଚାର କରାଯାଇ ଆଜି ଏହି ନିଷ୍ପତ୍ତି ହୋଇଛି। ଏଡିଜି(କାରାଗାର) ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ‌ରେ ଏମାନଙ୍କ ଆବେଦନ ଉପରେ ମୋହର ବାଜିଛି। କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ଆଇଜି(କାରଗାର)ଙ୍କ ସମେତ ମୁକ୍ତାକାଶ କାରାଗାରର ଅଧୀକ୍ଷକଙ୍କୁ ନେଇ ଏଡିଜିଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଅନ୍ୟ ୭ଟି ଆବେଦନ ବିଭିନ୍ନ କାରଣରୁ କାଟ୍‌ ଖାଇଛି। ପରବର୍ତ୍ତୀ ପର୍ଯ୍ୟାୟ‌ରେ ତାହା ଉପରେ ବିଚାର କରାଯିବ ବୋଲି ଜଣାଯାଇଛି।

ସୂଚନା ମୁତାବକ, କେବଳ ନିଶାବେପାରୀ ଓ ଦୁଷ୍କର୍ମ ମାମଲା ଛାଡ଼ିଦେଲେ ଅନ୍ୟ ସମସ୍ତ ମାମଲାରେ ଆଜୀବନ କିମ୍ବା ୧୦ ବର୍ଷରୁ ଊର୍ଦ୍ଧ୍ବ ଦିନର ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଏହି ସୁଯୋଗ ଦିଆଯାଇଥାଏ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜେଲ୍‌ରୁ ୧୬ଜଣ କଏଦୀ ଆବେଦନ କରିଥିଲେ। ସମ୍ପୃକ୍ତ ଜେଲ୍‌ ଅଧୀକ୍ଷକ ତଥା ଜେଲରଙ୍କର ରିପୋର୍ଟକୁ ଆଧାର କରି ୭ ଜଣଙ୍କ ଆବେଦନ ନାକଚ କରାଯାଇଥିବା ବେଳେ ୯ଜଣଙ୍କୁ ଯୋଗ୍ୟ ଘୋଷଣା କରାଯାଇଥିଲା। ଏଥିରେ ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ, ବରଗଡ଼ର ସୋହେଲା ଓ ସୁବର୍ଣ୍ଣପୁରର ବୀରମହାରାଜପୁରରୁ ଜଣେ ଲେଖାଏଁ ଥିବା ବେଳେ ଅନଗୁଳୁ ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ରହିଛନ୍ତି। ଜାମୁଝରୀ କାରାଗାରରେ ୧୨୫ କଏଦୀ ରହିବପାରିବାର ବ୍ୟବସ୍ଥା ଥିବା ବେଳେ ଏଠାରେ ଏବେ ୭୬ ଜଣ ଅନ୍ତେବାସୀ ରହିଛନ୍ତି।

ସମ୍ବନ୍ଧିତ ଖବର