ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ସାଢ଼େ ୪ ଘଣ୍ଟା ଟ୍ରେନ ଚଳାଚଳ ପ୍ରଭାବିତ

ରାଉରକେଲା: ବୁଧବାର ମଧ୍ୟାହ୍ନରେ ବନ୍ଧମୁଣ୍ଡା-ବରସୁଆଁ ରେଳ ମାର୍ଗରେ ଥିବା ଡୁମେର୍ତ୍ତା ରେଲୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନ୍‌ର ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଯାଇଛି। ଫଳରେ ଏହି ରେଳ ଲାଇନ୍‌ରେ ପ୍ରାୟ ସାଢ଼େ ୪ ଘଣ୍ଟା ଧରି ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।

ଆଜି ମଧ୍ୟାହ୍ନ ପ୍ରାୟ ୧ଟା ୧୫ ମିନିଟ। ଏହି ମାଲବାହୀ ଟ୍ରେନଟି ବନ୍ଧମୁଣ୍ଡାରୁ ବାହାରି ବରସୁଆଁ ରେଲୱେ ସାଇଡିଂକୁ ଲୁହାପଥର ଲୋଡିଂ କରିବାକୁ ଯାଉଥିଲା। ତେବେ ଟ୍ରେନ୍‌ ଡୁମେର୍ତ୍ତା ଷ୍ଟେସନ ଅତିକ୍ରମ କରିବାପରେ ହିଁ ହଠାତ୍ ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା। ବନ୍ଧମୁଣ୍ଡା-ବିଶ୍ରା ରେଳ ମାର୍ଗର ଅଫ୍‌-ଲାଇନରେ ଏହି ଘଟଣା ଘଟିଥିଲା। ସୂଚନା ପାଇ ବନ୍ଧମୁଣ୍ଡାରୁ ରେଳବାଇ ଏଆରଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ୍ଧମୁଣ୍ଡା ଏଆରଏମ ଆର.କେ. ମହାନ୍ତିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ପରେ ଆବଶ୍ୟକୀୟ ମରାମତି, ତ୍ରୁଟି ସୁଧାରିବା କାର୍ଯ୍ୟ ଆରମ୍ଭ ହୋଇଥଲା। ଫଳରେ ଉକ୍ତ ରେଳ ଲାଇନ୍‌ରେ ପ୍ରାୟ ଚାରି ଘଣ୍ଟା ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ସନ୍ଧ୍ୟା ପ୍ରାୟ ୬ ଟାରେ ମରାମତି କାର୍ଯ୍ୟ ସରିବାପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର