ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍‍ ଖେଳାଳି

ଭୁବନେଶ୍ୱର : ଗୁଜରାଟରେ ନିକଟରେ ସମାପ୍ତ ହୋଇଥିବା ୩୬ତମ ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ପୁରସ୍କୃତ କରାଯାଇଛି। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କି ଓ କ୍ରୀଡ଼ା ସଚିବ ଆର ଭିନିଲ୍‍କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହି ସମସ୍ତ ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ କିସ୍‍ର ଅନେକ ଛାତ୍ରୀ ରଗ୍‍ବି, ଖୋ ଖୋ, ଫୁଟ୍‌ବଲ୍‍ ଆଦି ବିଭାଗରେ ପଦକ ଜିତି ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ମଧ୍ୟ ହାସଲ କରିଥିଲେ। ଏଥି ପାଇଁ କିସ୍‍ ଛାତ୍ରୀମାନେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିଆସୁଛନ୍ତି। ଏଥିପାଇଁ ଓଡ଼ିଶାର ଖେଳାଳି ଏବେ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରୁଛନ୍ତି।

ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି, କିସ୍‌ରେ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ପଦକ ଓ ପୁରସ୍କାର ପାଇବା ପରେ ଆଜି କିସ୍‍ ଛାତ୍ରୀମାନେ ଶ୍ରୀ ସାମନ୍ତଙ୍କୁ ସାକ୍ଷାତ କରିଥିଲେ। ଶ୍ରୀ ସାମନ୍ତ କିସ୍‍ର ସଫଳ ଖେଳାଳିଙ୍କୁ ଉପଦେଶ ଦେଇ କହିଛନ୍ତି ଯେ, ପିଲାମାନେ ସେମାନଙ୍କ ନିଜ ନିଜ ଗ୍ରାମରେ ସେମାନେ ପାଇଥିବା ପୁରସ୍କାର ରାଶିରେ ଗୋଟିଏ ଲେଖାଏଁ ପକ୍‍କା ଘର କରି ବାପା ମାଆଙ୍କୁ ଉପହାର ଦେବେ। ଏହା ସହିତ କିସ୍‍ ତରଫରୁ ମଧ୍ୟ ଏହି ଘର ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ପିଲାମାନେ ମଧ୍ୟ ଶ୍ରୀ ସାମନ୍ତଙ୍କ ଉପଦେଶରେ ସହମତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର