ଏଫ୍‌ଏମ୍‌ୟୁର ପୂର୍ବତନ କୁଳପତିଙ୍କ ନାମରେ ନାମିତ ହେଲା ନୂତନ ପ୍ରଜାତି ଉଦ୍ଭିଦ

ନୂତନ ଚେରି ବ୍ଲଜମ୍‌କୁ ‘ପ୍ରୁନସ୍ ଦୀନବନ୍ଧୁଆନା’ ନାମିତ

ବାଲେଶ୍ବର: ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଦୀନବନ୍ଧୁ ସାହୁଙ୍କ ନାମରେ ନୂତନ ପ୍ରଜାତିର ଉଦ୍ଭିଦ ଚେରି ବ୍ଲଜମ୍‌କୁ ‘ପ୍ରୁନସ୍ ଦୀନବନ୍ଧୁଆନା’ ନାମରେ ନାମିତ କରାଯାଇଛି। ଚେରି ବ୍ଲଜମ୍(ଫୁଲ), ଜାପାନରେ ଏହା ସାକୁରା ଭାବରେ ଜଣାଶୁଣା। ଏହି ଫୁଲକୁ ଶାନ୍ତିର ପ୍ରତୀକ କୁହାଯାଉଥିବା ବେଳେ ଚେରି ବ୍ଲଜମ୍ ଉତ୍ସବ ମାର୍ଚ୍ଚ-ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ଲକ୍ଷାଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ମଣିପୁରର ଇମ୍ଫାଲରେ ଅବସ୍ଥିତ ‘ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋ ରିସୋର୍ସ ଆଣ୍ଡ୍‌ ସଷ୍ଟେନେବଲ୍ ଡେଭଲପମେଣ୍ଟ’ ନ୍ୟାସନାଲ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ଶ୍ରୀ ସାହୁ ଭାରତରେ ଚେରି ବ୍ଲଜମ୍ ଉତ୍ସବକୁ ଆରମ୍ଭ କରିଥିଲେ। ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଥିଲା ​​ଏବଂ ପରବର୍ତ୍ତୀ ସମୟରେ ଆଜି ପର୍ଯ୍ୟନ୍ତ ଏକ ଆନ୍ତର୍ଜାତୀୟ ଉତ୍ସବରେ ପରିଣତ ହୋଇଛି।

ସେ ଭାରତ ପାଇଁ ମିଶନ୍ ଗୋଲାପୀ ବିପ୍ଳବ ଓ ମିଶନ୍ ଚେରି ବ୍ଲଜମ୍ ଯୋଜନା କରିବା ସହିତ ରାଜ୍ୟ ସରକାରଙ୍କ ସହଯୋଗରେ ୨୦୧୫ ମସିହାରେ ଶିଲଂ ଓ ମଣିପୁରରେ ହଜାର ହଜାର ଚେରି ବ୍ଲଜମ୍ ଗଛ ଲଗାଇଥିଲେ। ଉତ୍ତରପୂର୍ବର ବିଭିନ୍ନ ରାଜ୍ୟରେ ଚେରି ବୃକ୍ଷରୋପଣ ଆରମ୍ଭ କରିଥିଲେ ଏବଂ ପ୍ରମୁଖ ଗବେଷଣା ପ୍ରକଳ୍ପ ମଧ୍ୟ ଆରମ୍ଭ କରିଥିଲେ। ଅନୁସନ୍ଧାନକାରୀ ତାଙ୍କର ଉତ୍ତରାଧିକାରୀ ଭାବେ ଏହି ଗବେଷଣାକୁ ଜାରି ରଖିଥିଲେ ଏବଂ ନୂତନ ପ୍ରଜାତିର ଉପସ୍ଥିତି ପାଇଁ ଅନୁସନ୍ଧାନ କରିଥିଲେ। ବହୁ ବର୍ଷର ପ୍ରୟାସ ପରେ ମଣିପୁରର ଦୁଇ ଅନୁସନ୍ଧାନକାରୀ ବୈଜ୍ଞାନିକ ବିଶେଶ୍ବରୀ ଟି ଓ ଜେନିଫର୍ ଏମ୍ ଏକ ନୂତନ ଉଦ୍ଭିଦ ପ୍ରଜାତି ପାଇଥିଲେ। ଡ. ସାହୁଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ନୂତନ ଉଦ୍ଭିଦ ପ୍ରଜାତିର ନାମକୁ ‘ପ୍ରୁନସ୍ ଦୀନବନ୍ଧୁଆନା’ ନାମରେ ନାମିତ କରିଛନ୍ତି।

ଉଦ୍ଭିଦ ଗୁଡିକ ଘନ ମିଶ୍ରିତ ଚିର ସବୁଜ ଜଙ୍ଗଲରେ ୨୫-୩୦ ମିଟର ପର୍ଯ୍ୟନ୍ତ ବଢ଼ିଥାଏ ଏବଂ ଏହା ଜାପାନ-ଚେରି ଫୁଲ ପରି ନୁହେଁ। ଭାରତର ଏହି ନୂତନ ପ୍ରଜାତି ନଭେମ୍ବର ମାସରେ ଫୁଟିଥାଏ। ଏହି ଅନୁସନ୍ଧାନ ଫିଲାଲ୍ଡର ବର୍ତ୍ତମାନ ଏକ ଖ୍ୟାତନାମା ଆନ୍ତର୍ଜାତୀୟ ବୈଜ୍ଞାନିକ ପତ୍ରିକା ‘ଆନ୍ନାଲେସ୍ ବୋଟାନିସି ଫେନିସି-୫୯’ ପ୍ରକାଶନରେ ପ୍ରକାଶିତ ହୋଇଛି। ଜଣେ ଭାରତୀୟଙ୍କ ପାଇଁ ଚେରି ପ୍ରଜାତିର ନାମକରଣ କରିବା ଏକ ବିରଳ ସମ୍ମାନ ବୋଲି ପ୍ରଫେସର ଶ୍ରୀ ସାହୁ କହିଛନ୍ତି। ସୂଚନାଥାଉକି, ପ୍ରଫେସର ଶ୍ରୀ ସାହୁଙ୍କ ଘର ପୁରୀ ଜିଲ୍ଲାରେ। ବର୍ତ୍ତମାନ ପ୍ରଫେସର ଶ୍ରୀ ସାହୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ସିନିଅର ପ୍ରଫେସର ଭାବେ କାର୍ଯ୍ୟରତ। ଏହାସହିତ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍‌ ହିମାଳୟ ଷ୍ଟଡିଜ୍‌ ଏବଂ କ୍ଲଷ୍ଟର ଇନୋଭେସନ୍‌ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର