ବଜ୍ରପାତ ରୋକିବ ତାଳଗଛ: କେଉଁଠି ନିର୍ଦ୍ଦେଶ ପାଳନ, କେଉଁଠି ନାହିଁ

କେନ୍ଦୁଝର ବନଖଣ୍ଡରେ ଲାଗିଲାଣି ୯ ହଜାର ଗଛ

କେନ୍ଦୁଝର: କେନ୍ଦୁଝରରେ ବଜ୍ରାଘାତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାର ଏହି ପାହାଡ଼ିଆ ଜିଲ୍ଲାରେ ଅଧିକ ବଜ୍ରପାତ ହେଉଥିବାରୁ ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ତାଳଗଛ ଲଗାଯାଉଛି। କେନ୍ଦୁଝର ବନଖଣ୍ଡରେ କେବଳ ୯ ହଜାର ତାଳଗଛ ଲଗାଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାରେ ୨୦୧୮ ଓ ୨୦୧୯ରେ ମୋଟ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ଥିଲା ୨୪। ୨୦୨୦ରେ ବଜ୍ରାଘାତରେ ୨୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୧ରେ ୨୧ଜଣ, ୨୦୨୨ରେ ୧୮ଜଣ ଏବଂ ୨୦୨୩ରେ ୧୦ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଏହା କେବଳ ସରକାରୀ ତଥ୍ୟ। ଅନେକ ସମୟ‌ରେ ଗ୍ରାମାଞ୍ଚଳର ଆଦିବାସୀଙ୍କ ବଜ୍ରାଘାତରେ ମୃତ୍ୟୁ ହେଲେ ସେମାନଙ୍କ ପରିବାର ଏ ସମ୍ପର୍କରେ ସୂଚନା ଦିଅନ୍ତି ନାହିଁ। ଜିଲ୍ଲାରେ ବଜ୍ରାଘାତ ଜନିତ ମୃତ୍ୟୁକୁ ରୋକିବାକୁ ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନ ତାଳଗଛ ବଜ୍ରପାତ ରୋକିବାରେ ବିଶେଷ ସହାୟକ ହେଉଛି ବୋଲି ବୈଜ୍ଞାନିକମାନେ ମତଦେବା ପରେ ସରକାର ବନ ବିଭାଗ ଜରିଆରେ ତାଳଗଛ ଲଗାଇବା ଆରମ୍ଭ କରିଛନ୍ତି। କେବଳ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜକୁ ଛାଡ଼ିଦେଲେ ଜିଲ୍ଲାର ଅନ୍ୟ ୭ଟି ରେଞ୍ଜରେ ତାଳଗଛ ଲାଗିସାରିଛି। ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, ବଜ୍ରପାତ ରୋକିବାରେ ତାଳଗଛ ସହାୟକ ହୋଇଥାଏ। କେନ୍ଦୁଝର ବନଖଣ୍ଡ ପକ୍ଷରୁ କିଛିବର୍ଷ ହେବ ତାଳଗଛ ଲଗା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହାର ସୁଫଳ ମିଳିବ ବୋଲି ସେ କହିଛନ୍ତି।

ଗୁରୁତ୍ବ ଦେଉନି ଉଦ୍ୟାନ ବିଭାଗ, ପ୍ରକଳ୍ପ ନାମରେ କଟୁଛି ବଡ଼ଗଛ, ଲାଗୁଛି ହାଇବ୍ରିଡ୍ ଛୋଟଗଛ

ଯାଜପୁର: ପରିବେଶକୁ ସୁରକ୍ଷିତ ରଖି ବିକାଶ ପ୍ରକ୍ରିୟାକୁ ‌ଆଗେଇ ନେବାକୁ ଆହ୍ବାନ ଦିଆଯାଉଛି। ହେଲେ ବିକାଶ ଆଳରେ ପରିବେଶକୁ ଧ୍ବଂସ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି କାରଣରୁ ତୁହାକୁ ତୁହା ବଜ୍ରପାତ ହେବାସହ ମୃତ୍ୟୁସଂଖ୍ୟା ବି ବଢ଼ୁଛି। ବଜ୍ରପାତରୁ ମୁକ୍ତି ପାଇଁ ପୁରାତନ ଉପାୟ ହେଉଛି ତାଳଗଛ ରୋପଣ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବନବିଭାଗ ଓ କୃଷି ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ କାର୍ଯ୍ୟକାରିତା ଶୂନ। ବଜ୍ରପାତ ଯୋଗୁଁ ରାଜ୍ୟରେ ବାର୍ଷିକ ହାରାହାରି ୩୦୦ ଜଣଙ୍କ ମୃତ୍ୟୁ ଘଟୁଛି। ଯାଜପୁର ଜିଲ୍ଲାରେ ଗତ ୧୦ ବର୍ଷରେ ୧୦୨ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ବଜ୍ରପାତ ମୃତ୍ୟୁ କମାଇବା ପାଇଁ ଜାତୀୟରାଜପଥ କଡ଼ରେ ତାଳଗଛ ରୋପଣ ସହ ସଂରକ୍ଷିତ ଜଙ୍ଗଲର ବ୍ୟାପକ ଅଞ୍ଚଳରେ ତାଳଗଛ ଲଗାଇବାକୁ ଯୋଜନା ହୋଇଥିଲା। ଆରସିସିଏଫ୍‌ ଏବଂ ଡିଏଫ୍‌ଓମାନଙ୍କୁ ଏ ନେଇ ପରାମର୍ଶ ଦିଆଯାଇଥିଲା। ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିନଥିଲା। ୨୦୦୪-୦୫ ରୁ ୨୦୧୧-୧୨ ପର୍ଯ୍ୟନ୍ତ ଉଦ୍ୟାନ ବିଭାଗ ଜରିଆରେ ତାଳଗଛ ରୋପଣ ପାଇଁ ପ୍ରୋତ୍ସାହନ ଯୋଗାଇବାକୁ ଯୋଜନା ହୋଇଥିଲା। ତାହା ମଧ୍ୟ ସଠିକ୍ ଭାବେ କରାଗଲା ନାହିଁ। ଗତ ୧୨ବର୍ଷ ହେଲା ଏହି ଯୋଜନା ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଆଉ ତାଳଗଛ ରୋପଣ କରାଯାଉ ନାହିଁ। ସେହିପରି ବନ ବିଭାଗ ପକ୍ଷରୁ ନାମକୁ ମାତ୍ର କାଁ ଭାଁ ତାଳଗଛ ଲଗାଯାଉଥିବାର କୁହାଯାଉଛି।

ସମ୍ବନ୍ଧିତ ଖବର