ନିଖୋଜ ଆରିୟନ୍ ଗୁରୁକୁଳ ଛାତ୍ର ରାଜସ୍ଥାନରେ, ଜୟପୁର ଯିବ ସ୍ୱତନ୍ତ୍ର ଟିମ୍
ବ୍ରହ୍ମପୁର : ବ୍ରହ୍ମପୁର ଆରିୟନ୍ ଗୁରୁକୁଳ କଲେଜର ଛାତ୍ର ନିଖୋଜ ଘଟଣାର ତଦନ୍ତରେ ପୁଲିସକୁ ସଫଳତା ମିଳିଛି। ପୁଲିସ ସମ୍ପୃକ୍ତ ଛାତ୍ରକୁ ଟ୍ରାକ୍ କରିବାରେ ସକ୍ଷମ ହୋଇଛି। ଛାତ୍ର ଜଣକ ରାଜସ୍ଥାନର ଜୟପୁରରେ ଥିବା ନେଇ ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍ ଆଜି ସୂଚନା ଦେଇଛନ୍ତି। ସେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ମାତା, ପିତା ଆଶ୍ବସ୍ତି ଅନୁଭବ କରିଛନ୍ତି। ଖୁବ ଶୀଘ୍ର ସମ୍ପୃକ୍ତ ଛାତ୍ରକୁ ଆଣିବା ପାଇଁ ପୁଲିସ ଟିମ୍ ଜୟପୁର ଯିବ ବୋଲି ସୂଚନା ମିଳିଛି। ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଥିବା ଜଣାପଡ଼ିଛି। ତେବେ ସେ କାହିଁକି କଲେଜ ହଷ୍ଟେଲରୁ ପଳାଇଥିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ଛାତ୍ର ଜଣକ ଆସିବା ପରେ ପୂରା ଘଟଣା ପର୍ଦ୍ଦାଫାସ୍ ହେବ ବୋଲି ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରହ୍ମପୁର ସଦର ଥାନା ଭାବିନିପୁରରେ ଥିବା ଆରିୟନ୍ ଗୁରୁକୁଳ ଆବାସିକ ମହାବିଦ୍ୟାଳୟରୁ ଗତ ୨୬ ତାରିଖ ସଂଧ୍ୟାରେ ଜଣେ ଛାତ୍ର ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ନମିଳିବାରୁ ପରିବାର ବର୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେପଟେ ଛାତ୍ର ନିଖୋଜ ଘଟଣା ପାଇଁ କଲେଜ କର୍ମଚାରୀମାନେ ଅନ୍ୟ ୪ଜଣ ଛାତ୍ରଙ୍କୁ ପରୋକ୍ଷରେ ଦାୟୀ କରି ମାଡ଼ ମାରିଥିଲେ। ଏହି ଘଟଣାରେ ଜଣେ ଅଭିଭାବକ ଥାନାରେ ଅଭିଯୋଗ କରିବା ପରେ ଗତ ୨୮ତାରିଖ ଦିନ ସଦର ଥାନା ପୁଲିସ କଲେଜର ଜଣେ ଅଧ୍ୟାପକଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତକାଲି ଛାତ୍ର ଜଣକ ତାଙ୍କର ଜଣେ ସମ୍ପର୍କୀୟ ଭାଇକୁ ଫୋନ୍ରେ ଯୋଗାଯୋଗ କରିବାରୁ ତାଙ୍କୁ ଟ୍ରାକ୍ କରାଯାଇଛି। ସେ ଜୟପୁରରେ ଜଣେ ସମ୍ପର୍କୀୟଙ୍କ ଘରେ ସୁରକ୍ଷିତ ଅବସ୍ଥାରେ ଥିବା ନେଇ ପୁଲିସ କହିଛି।