ଜରାଜୀର୍ଣ୍ଣ ଅବସ୍ଥାରେ ଆଠଗଡ଼ ଶୀତଳଭଣ୍ଡାର

ଆଠଗଡ଼, (ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି) : କୃଷିପ୍ରଧାନ ଅଞ୍ଚଳ ଆଠଗଡ଼। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବେପାରୀମାନେ ଆସି ଏଠାରୁ ପନିପରିବା କିଣି ନିଅନ୍ତି। ଚାହିଦା ଅନୁଯାୟୀ ଚାଷୀମାନେ ମଧ୍ୟ ପ୍ରତ୍ୟହ ଅନ୍ୟ ଅଞ୍ଚଳକୁ ପନିପରିବା ପଠାଇ ଲାଭବାନ ହୁଅନ୍ତି। କିନ୍ତୁ, ଶୀତଳଭଣ୍ଡାରଟିଏ ନ ଥିବାରୁ ଦର ନିଚା ରହିଲେ ଚାଷୀମାନେ ପରିବା ସଂରକ୍ଷିତ ରଖି ନ ପାରି ଅନେକ ସମୟରେ କ୍ଷତିଗ୍ରସ୍ତ ହେଉଛନ୍ତି। ଫଳରେ ଆଠଗଡ଼ ଅଞ୍ଚଳରେ ପନିପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସ୍ଥାପନ କରିବାକୁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଏହି ଦାବି କିନ୍ତୁ ଦାବିରେ ହିଁ ରହି ଯାଇଛି। ଅନ୍ୟପଟେ, ଆଳୁ ଚାଷୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଠଗଡ଼ ଶୀତଳଭଣ୍ଡାର ବି ୩୦ବର୍ଷ ହେଲା ବନ୍ଦ ହୋଇ ଭୂତକୋଠିରେ ପରିଣତ ହୋଇଗଲାଣି। ଏହାର ପ୍ରଭାବରେ ଆଠଗଡ଼ ଓ ଆଖପାଖ ଅଞ୍ଚଳର ଆଳୁ ଚାଷ ମଧ୍ୟ ବୁଡ଼ି ଯାଇଛି। ଏକଦା ଆଳୁଚାଷର ପେଣ୍ଠସ୍ଥଳ ଥିବା ଆଠଗଡ଼ ଉପଖଣ୍ଡର ଲୋକେ ବର୍ତ୍ତମାନ ଆକାଶ ଛୁଆଁ ଦର ଦେବାକୁ ବାଧ୍ୟ ହେଉଛନ୍ତି।

କୃଷି ଓ କୃଷକର ଉନ୍ନତି ପାଇଁ ୧୯୮୦ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ଅମଳରେ ଆଠଗଡ଼ ସହରର ବୀରକିଶୋରପୁରରେ ୧ ଏକର ୩୩ ଡେସିମିଲ ଜମିରେ ‘ଆଳୁ ଉତ୍ପାଦନକାରୀ ସଂରକ୍ଷଣ ଓ ବାଣିଜ୍ୟ ସମବାୟ ଶୀତଳଭଣ୍ଡାର’ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ସେତେବେଳେ ୩୭ ଲକ୍ଷ ୬୭ହଜାର ଟଙ୍କା ବ୍ୟୟ କରାଯାଇଥିଲା। ଏହି ଶୀତଳଭଣ୍ଡାରର କ୍ଷମତା ୨ ହଜାର ମେଟ୍ରିକ୍‌ ଟନ୍‌ ରହିଥିଲା। ୧୯୮୫ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଶୀତଳଭଣ୍ଡାର ଉପରେ ଆଠଗଡ଼ ଉପଖଣ୍ଡ ଅଧୀନ ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର ସମେତ ନିକଟବର୍ତ୍ତୀ ଢେଙ୍କାନାଳ ଜିଲ୍ଲାର ବହୁ ଚାଷୀ ଉପକୃତ ହେଉଥିଲେ। ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିଥିଲା। କିନ୍ତୁ ପରିଚାଳନାଗତ ତ୍ରୁଟି ଓ ଅତ୍ୟଧିକ ବିଦ୍ୟୁତ୍‌ ବିଲ୍‌ ଯୋଗୁଁ ୧୯୯୨ ଜାନୁଆରି ମାସରେ ଶୀତଳଭଣ୍ଡାର ବନ୍ଦ ହୋଇଯାଇଥିଲା। ଶୀତଳଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ଲାଗି ରାମପ୍ରସାଦ ଅଗ୍ରୱାଲ୍‌ ନାମକ ବ୍ୟବସାୟୀଙ୍କ ସହ ୧୯୯୩ ମସିହାରେ ଲିଜ୍‌ ପାଇଁ ଚୁକ୍ତିନାମା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ଫଳରେ ସରକାର ଉକ୍ତ ଶୀତଳଭଣ୍ଡାର ବିକ୍ରି କରିବା ପାଇଁ  ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ କୌଣସି ଟେଣ୍ଡର ପଡ଼ିଲା ନାହିଁ।

୨୦୧୦ ମସିହାରେ ପିପିପି (ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନର୍‌ସିପ୍‌) ମୋଡ୍‌ରେ ଶୀତଳଭଣ୍ଡାରକୁ ଚଳାଇବା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ୨୦୧୧ ମସିହାରେ ସିସୋର ସଂସ୍ଥା ଶୀତଳଭଣ୍ଡାରକୁ ୩୦ବର୍ଷ ଲିଜ୍‌ ସୂତ୍ରରେ ନେବାକୁ ଚୁକ୍ତିନାମା କରିବା ସହ ବାର୍ଷିକ ୫ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରିବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ, ୨୦୧୩ ମସିହାରେ ଉକ୍ତ ଚୁକ୍ତିନାମାକୁ ସରକାର ରଦ୍ଦ କରିଦେଇଥିଲେ। ପୁନର୍ବାର ୨୦୧୬ ମସିହାରେ କଟକ ଜିଲ୍ଲାର ଆଠଗଡ଼ ଓ ବୟାଳିଶମୌଜାରେ ଥିବା ଶୀତଳଭଣ୍ଡାରକୁ ପିପିପି ମୋଡ୍‌ରେ ଲିଜ୍‌ରେ ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ମାତ୍ର ଆଠଗଡ଼ ପାଇଁ କେହି ଟେଣ୍ଡର ପକାଇ ନ ଥିଲେ। ବର୍ତ୍ତମାନ ଉକ୍ତ ଶୀତଳଭଣ୍ଡାର ଭୂତକୋଠିରେ ପରିଣତ ହୋଇଯାଇଥିବା ଦେଖିବାକୁ ମିଳିଛି। ଘର ଛାତ ଉପରେ ବର ଓ ଅଶ୍ବତ୍‌ଥ ଗଛ ବଢ଼ିବାରେ ଲାଗିଛି। ଚତୁଃପାର୍ଶ୍ବରେ ଅନାବନା ଗଛଲତା ଉଠି ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି। ୨୦୧୨ ମସିହାରୁ ଏଠାରେ ରାତ୍ର ଜଗୁଆଳି ନାହାନ୍ତି। ଫଳରେ ଚୋରମାନେ ଝରକା, କବାଟ ତାଡ଼ି ନେଇଗଲେଣି। କୋଠରୀଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଗଲାଣି। ଭଗ୍ନ ଶୀତଳଭଣ୍ଡାର ଏବେ ଅସାମାଜିକ ଯୁବକଙ୍କ ଆଡ଼ାସ୍ଥଳୀ ପାଲଟିଛି।

ଅନ୍ୟପଟେ, ଶୀତଳଭଣ୍ଡାର ବନ୍ଦ ପଡ଼ିଥିବାରୁ ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଗଜାଆମ୍ବ, କେଉଟପାଟଣା, ରେଗେଡ଼ାପଡ଼ା, ଆଙ୍କୁଲା, ଜେନାପଦା, ସମସରପୁର, ଖୁଣ୍ଟକଟା ଅଞ୍ଚଳର ପ୍ରାୟ ୪୦୦ ଏକର ଜମିରେ ଆଳୁ ଚାଷ ଏକପ୍ରକାର ବନ୍ଦ ହୋଇଗଲାଣି। ଆଠଗଡ଼ ଉପଖଣ୍ଡ ଓ ଅନ୍ୟ ଅଞ୍ଚଳର ଚାଷୀମାନେ ମଧ୍ୟ ଆଳୁଚାଷ କରିବାକୁ ଆଉ ଆଗ୍ରହ ପ୍ରକାଶ କରୁ ନ ଥିବା ଦେଖାଯାଉଛି। ଦିନେ ଆଳୁଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଆଠଗଡ଼ରେ ଲୋକମାନେ ଏବେ ଆଳୁ କିଲୋ ୨୫ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଚାଷୀ ଓ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଯଥାଶୀଘ୍ର ବନ୍ଦ ପଡ଼ିଥିବା ଶୀତଳଭଣ୍ଡାର କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବା ସହ ପନିପରିବା ସଂରକ୍ଷଣ ପାଇଁ ଆଉ ଏକ ଶୀତଳଭଣ୍ଡାର ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର