ଆଜିଠୁ ମିଳିବ ଅବଢ଼ା

ପୁରୀ : ଗତ ୪ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରସାଦକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ବାଦବିବାଦ ସତ୍ତ୍ୱେ ଅବଢା ବିବାଦର ଆପଣାଛାଏଁ ସମାଧାନ ହୋଇଥିବାରୁୁ ଖାଲି ଶ୍ରଦ୍ଧାଳୁ ଭକ୍ତ ନୁହନ୍ତି, ପ୍ରଶାସନ ବି ଆଶ୍ୱସ୍ତ ହୋଇଛି। ବିନା କ୍ଷତିପୂରଣରେ ସୁଆରମାନେ ନିଜ ଜିଦ୍‌ରୁ ଓହରିଯିବା ପରେ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ମହାପ୍ରସାଦ ମିଳିବା ନିଶ୍ଚିତ ହୋଇଛି। ଭକ୍ତଙ୍କ ପାଇଁ ଅବଢା ବାହାରିବ, ଆନନ୍ଦ ବଜାରରେ ବିକ୍ରି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ସୁଆର ନିଯୋଗ ସବୁଜ ସଙ୍କେତ ଦେଇଥିବା ବେଳେ ଜିଲ୍ଲାପାଳ ମଧ୍ୟ ଆସନ୍ତାକାଲି ଅବଢା ବାହାରିବ ବୋଲି ସୂଚନା ଦେଇଛନ୍ତି। ଅବଢା ବାହାରିବା ପାଇଁ ସୁଆର ମହାସୁଆର ନିଯୋଗ ସହମତି ପ୍ରକାଶ କରିଥିବାରୁ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୁଆର ନିଯୋଗକୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପକ୍ଷରେ ଗତ ୧୬ ତାରିଖରୁ ଲାଗି ରହିଥିବା ନୀତି ବିଭ୍ରାଟରେ ମଧ୍ୟ ସୁଧାର ପରିଲକ୍ଷିତ ହୋଇଛି। ଗତକାଲି କିଛି ନୀତି ବିଳମ୍ବରେ ହୋଇଥିଲେ ହେଁ ଆଜି ମହାପ୍ରଭୁଙ୍କ ନୀତିକାନ୍ତି ଠିକଣା ସମୟରେ ସଂପନ୍ନ ହୋଇଛି। ସନ୍ଧ୍ୟା

୭ଟା ୧୦ ସୁଦ୍ଧା ମଧ୍ୟାହ୍ନ ଧୂପ ଉଠିଥିବା ବେଳେ ଶ୍ରୀଜିଉଙ୍କ ଚାପ ମଧ୍ୟ ଠିକ୍‌ ସମୟରେ ହୋଇଛି। ତେବେ ଗତ ୪ ଦିନ ଧରି ଅବଢାକୁ ନେଇ ଯେଉଁ ବିଭ୍ରାଟ ଦେଖାଦେଇଥିଲା ଏବଂ ଯାହାକୁ ନେଇ ଏତେ ହୋହାଲ୍ଲା ହୋଇ ମହାପ୍ରଭୁଙ୍କୁ ଭୋକ ଉପାସରେ ରାତି ଅନିଦ୍ରା ରହିବାକୁ ପଡିଥିଲା ସେଭଳି ଏକ ବିବାଦକୁ ଚୁପ୍‌ଚାପ ତୁଟାଇ ଦିଆଗଲା। ମହାପ୍ରଭୁଙ୍କ ନୀତି ବିଭ୍ରାଟ ପାଇଁ ଦାୟୀ ଉଭୟ ପକ୍ଷ କେତେବେଳେ ଏବଂ କେଉଁ ପରିସ୍ଥିତିରେ ଏ ବିବାଦର ସମାଧାନ କରିଦେଲେ ସେ ସଂପର୍କରେ କାହାକୁ ଜାଣିବାର ଅବକାଶ ମିଳିଲାନି। ଏ ସଂକ୍ରାନ୍ତରେ ଉଭୟ ପକ୍ଷ କେହି ମୁହଁ ଖୋଲିନାହାନ୍ତି କି କିଛି ସୂଚନା ଦେଇନାହାନ୍ତି।

ଏପଟେ ଅବଢା ବାହାରିବ ବୋଲି କହି ଉଭୟ ପକ୍ଷ ନିଜ ନିଜର ଦୋଷ ଘଉଡାଇ ଦେଇଛନ୍ତି। ବିବାଦ କେମିତି ତୁଟିଲା, ପ୍ରଶାସନ କ୍ଷତିପୂରଣ ଦେଲା ନା ସୁଆର ସେବକ ପ୍ରଶାସନ ପାଖରେ ମୁଣ୍ଡ ନୁଆଇଁ ଆପଣାଛାଏଁ ନିଷ୍ପତ୍ତିରୁ ଓହରିଗଲେ ସେ ସଂପର୍କରେ କିଛି ବି ସ୍ପଷ୍ଟ କରିନାହାନ୍ତି। ପ୍ରଶାସନ ଯଦି କ୍ଷତିପୂରଣ ଦେଇଛି ତେବେ ପ୍ରଥମ ଦିନରୁ ଏହା କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ମହାପ୍ରସାଦ କ୍ଷତିପୂରଣ ଯୋଗୁ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ନୀତି ବିଭ୍ରାଟକୁ ଏଭଳି ହାଲୁକା ଢଙ୍ଗରେ ନିଆଯିବା ଏବଂ ଏଥି ପାଇଁ କାହାକୁ ଦାୟୀ କରାନଯିବା ଘଟଣାକୁ ଭକ୍ତ ମହଲରେ ନାପସନ୍ଦ କରାଯାଇଛି। ବିନା କ୍ଷତିପୂରଣରେ ଓହରିଯାଇଥିବା ସୁଆର ସେବକ ଗତ ୪ ଦିନ ଧରି କେଉଁଥି ପାଇଁ ଏଭଳି ବିଶୃଙ୍ଖଳା ସୃଷ୍ଟି କରିଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଏଠାରେ ସୂଚନାଯୋଗ୍ୟ, ଗତ ୧୬ ତାରିଖ ସକାଳ ଧୂପ ପରେ ନୀତି ବିଳମ୍ବକୁ ନେଇ ସୁଆରମାନେ ମହାପ୍ରସାଦ ବାହାର କରିନଥିଲେ। କ୍ଷତିପୂରଣ ଦାବିରେ ରୋଷ ଘରେ ତାଲା ପକାଇ ଦେଇଥିଲେ। ଏହାକୁ ନେଇ ମହାପ୍ରଭୁଙ୍କ ନୀତି ବିଳମ୍ବିତ ହେବା ସହ ବଡ଼ଠାକୁରଙ୍କୁ ଭୋକ ଉପବାସରେ ରହିବାକୁ ପଡିଥିଲା।

ସମ୍ବନ୍ଧିତ ଖବର