ଐତିହାସିକ ବୌଦ୍ଧ ସହରରେ ପରିତ୍ୟକ୍ତ ସ୍ବାଗତ ତୋରଣ

ବୌଦ୍ଧ : ଐତିହାସିକ ବୌଦ୍ଧ ସହରର କୀର୍ତ୍ତିରାଜିକୁ ସାଇତିବାରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ। ସମୃଦ୍ଧ ଐତିହ୍ୟର ମୂକସାକ୍ଷୀ ଏକଶହ ବର୍ଷ ପୁରାତନ କଚେରି କୋଠାକୁ ନୂତନ ରୂପ ପ୍ରଦାନ କରାଯାଇଛି। କୋଠାର ରକ୍ଷଣାବେକ୍ଷଣ କରାଯାଇ ଜିଲ୍ଲା ସଂଗ୍ରହାଳୟ ଘୋଷଣା କରାଯାଇଛି। ଚଳିତ ବର୍ଷ ଜିଲ୍ଲାର ସ୍ବନକ୍ଷତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗ୍ରହାଳୟର ଉଦ୍‌ଘାଟନ କରିଥିଲେ। ଏଥି ସହିତ ଏହି ଐତିହାସିକ କୋଠାରେ କରାଯାଇଥିବା ସଂଗ୍ରହାଳୟକୁ ‌ଲୋକାର୍ପଣ କରିଥିଲେ। ସଂଗ୍ରହାଳୟରେ ପୁରାତନ କୀର୍ତ୍ତିରାଜି, ସାଂସ୍କୃତିକ, ଧାର୍ମିକ, ପରମ୍ପରାର ସନ୍ତକଗୁଡ଼ିକୁ ସୁରକ୍ଷିତ ଭାବରେ ପ୍ରଦର୍ଶିତ କରାଯାଇଛି। ବୌଦ୍ଧର ସଂଗ୍ରହାଳୟ ପଶ୍ଚିମଓଡ଼ିଶା ତଥା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜ୍ୟର ମନ୍ତ୍ରୀ, ବିଭିନ୍ନ ବିଭାଗର ସଚିବ, ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ରାଜଧାନୀରୁ ପଶ୍ଚିମଓଡ଼ିଶା ଗସ୍ତରେ ଆସିବା ବାଟରେ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ କରିବାକୁ ଚାହୁଛନ୍ତି। ହେଲେ ଐତିହାସିକ ସହରର ପ୍ରବେଶ ଦ୍ବାର ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି।

ରାଜଧାନୀରୁ ବୌଦ୍ଧ ସଂଗ୍ରହାଳୟ ଦେଖିବା ପାଇଁ ମନରେ ଉତ୍ସୁକତା ନେଇ ଆସୁଥିବା ବ୍ୟକ୍ତିଙ୍କ ଭାବନାକୁ ୫୭ ନଂ ଜାତୀୟ ରାଜପଥର ବୁଟୁପାଲିରେ ଥିବା ଜରାଜୀର୍ଣ୍ଣ ତୋରଣ ଆଘାତ କରୁଛି। ଏନ୍‌ଏସି ଗଠନ ହେବା ସମୟରେ ନିର୍ମିତ ତୋରଣରେ କଳଙ୍କି ଲାଗିଗଲାଣି। ତେଣୁ ଜିଲ୍ଲାପାଳ ପଦକ୍ଷେପ ନେଇ ଏହି ସ୍ବାଗତ ତୋରଣକୁ ପରିବର୍ତ୍ତନ ନୂତନ ତୋରଣ ନିର୍ମାଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି। ଏଥି ସହିତ ସହରର ସମସ୍ତ ‌ପ୍ରବେଶ ପଥରେ ଲୋକଙ୍କୁ ଆକର୍ଷିତ କଲା ଭଳି ତୋରଣ କରିବାକୁ ଐତିହ୍ୟପ୍ରେମୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର