ଆଦିବାସୀ ଗାଁ ଖୁରୁଡ଼ପଲ୍ଲୀରେ ଆଣ୍ଠେଇଛି ଆବାସ ଯୋଜନା

ଜଗନ୍ନାଥପ୍ରସାଦ  : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନ କୋକଳବା ପଞ୍ଚାୟତର ଆଦିବାସୀଅଧ୍ୟୁଷିତ ଗ୍ରାମ ଖୁରୁଡ଼ପଲ୍ଲୀରେ ଆଜି ମଧ୍ୟ ମୌଳିକ ସୁବିଧା ଅପହଞ୍ଚ। ସରକାରଙ୍କ ମାଳ ମାଳ ଯୋଜନା ଏହି ଗ୍ରାମରେ କାର୍ଯ୍ୟକାରୀ ହୋଇପାରୁନି। ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନଥିବା ବେଳେ ଏକ ମାତ୍ର ବିଦ୍ୟାଳୟ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କିନ୍ତୁ ଉଦ୍‌ବେଗର ବିଷୟ ହେଉଛି, ପ୍ରାଶାସନିକ ଅଧିକାରୀ ଓ ଜନପ୍ରତିନିଧି ସମସ୍ୟା ସଂପର୍କରେ ଜାଣି ବି ଅଜଣା ସାଜିଛନ୍ତି।

ବିଶେଷକରି ଏହି ଗ୍ରାମରେ ସରକାରଙ୍କ ଆବାସ ଯୋଜନା ଏକ ପ୍ରକାର ଫେଲ୍ ମାରିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। ଆଜି ମଧ୍ୟ ଅନେକ ପରିବାର ଭଙ୍ଗାଦଦରା ଘରେ କାଳ କାଟୁଛନ୍ତି। କେବଳ ଏତିକି ନୁହେଁ, କିଛି ଗ୍ରାମବାସୀ ଗୁହାଳ ଘରେ ମଧ୍ୟ ରହୁଥିବା ଦେଖିବାକୁ ମିଳିଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଗ୍ରାମର ପଦ୍ମାବତୀ ଯାନୀ, ବଂଶୀଧର ଯାନୀ, ମୁରଲୀ ଯାନୀ, ରଘୁନାଥ ପ୍ରଧାନ ଓ ପ୍ରମିଳା ଯାନୀଙ୍କ ଘର ଏକ ଗାଈଗୁହାଳର ଭ୍ରମ ସୃଷ୍ଟି କରୁଛି। ଖଜୁରିଝାଟି ଛପର ଘର ଉପରେ ଛିଣ୍ଡା ପାଲ ପକାଇ ସେମାନଙ୍କ ପରିବାର ଦୟନୀୟ ସ୍ଥିତିରେ ରହୁଛନ୍ତି। ଅସରାଏ ବର୍ଷା ହେଲେ ଗ୍ରାମରେ ପରିତ୍ୟକ୍ତ ଅବସ୍ଥାରେ ଥିବା ବିଦ୍ୟାଳୟ ବାରଣ୍ଡା ସାହାରା ପାଲଟୁଛି। ଆଉ ଶୀତରେ ସେମାନଙ୍କ ଦୁଃଖ ଯେମିତି ବଢ଼ିଯାଉଛି। ଏହିପରି ଅନେକ ପରିବାର ଭଙ୍ଗା ଦଦରା ଘରେ କାଳ କାଟୁଛନ୍ତି। ପ୍ରାଶାସନିକ ଅଧିକାରୀ ସମସ୍ୟା ସଂପର୍କରେ ଅବଗତ ଥିଲେ ହେଁ, କୌଣସି ସୁଫଳ ମିଳିପାରୁନି। ସେହିପରି ଜନପ୍ରତିନିଧିଙ୍କ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳୁ ନଥିବା ଉପରୋକ୍ତ ଗ୍ରାମବାସୀ କହିଛନ୍ତି।

ଭଙ୍ଗାଦଦରା ଚାଳ, ଗୁହାଳରେ କଟୁଛି ଦିନ
ଗୁହାରି ଶୁଶୁନାହାନ୍ତି ଜନପ୍ରତିନିଧି, ସରକାରୀ ବାବୁ

ପ୍ରମିଳା କହିଛନ୍ତି, ପୂର୍ବରୁ ଥିବା ଝାଟିମାଟି ଘରେ ତିନି ପୁଅ ଯୁବରାଜ, ରାଜେନ୍ଦ୍ର ଓ ନରେନ୍ଦ୍ରଙ୍କୁ ନେଇ ରହୁଥିଲେ। ପକ୍କାଘରଟିଏ ୧୦ ବର୍ଷ ହେଲା ସ୍ଥାନୀୟ ସରପଞ୍ଚଙ୍କୁ କହି ଥକି ଯାଇଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା। ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଝାଟିମାଟି ଘରଟି ମଧ୍ୟ କିଛିଦିନ ତଳେ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଆଉ ଏବେ ଏକ ପରିତ୍ୟକ୍ତ ଗୁହାଳ ତାଙ୍କର ଏକମାତ୍ର ସାହାରା ପାଲଟିଛି। ସେହିପରି ଗ୍ରାମର ଗୋବିନ୍ଦ ପ୍ରଧାନ ଓ ତାଙ୍କ ପତ୍ନୀ ଭବାନୀ ଏକ ଖଜୁରିଝାଟି କୁଡ଼ିଆ କରି ରହୁଥିବା ବେଳେ ଛେଳିଙ୍କୁ ମଧ୍ୟ ରଖିଛନ୍ତି।

ଏନେଇ ନବନିର୍ବାଚିତ ସରପଞ୍ଚ ମିନତି ଦଳବେହରାଙ୍କୁ ପଚାରିବାରୁ ସେ ଲୋକଙ୍କର ଅଭିଯୋଗ ଓ ସମସ୍ୟାକୁ ସ୍ବୀକାର କରିଛନ୍ତି। ତେବେ ଏଥିପାଇଁ ସେ ବ୍ଲକ୍ ପ୍ରଶାସନ ଓ ପ୍ରାକ୍ତନ ଜନପ୍ରତିନିଧିଙ୍କୁ ଦାୟୀ କରିଛନ୍ତି। ପଞ୍ଚାୟତର ପ୍ରାକ୍ତନ ଜନପ୍ରତିନିଧି ମାନେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି କରିଥିବା ସଙ୍ଗିନ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତ‌କ୍ଷେପ କଲେ ଲୋକଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀମତୀ ଦଳବେହେରା କହିଛନ୍ତି।

ସମ୍ବନ୍ଧିତ ଖବର