ନିଶା ନିବାରଣ ଓ ସୁସ୍ଥ ରହିବା ବାର୍ତ୍ତା ନେଇ ପୁରୀ ଅଭିମୁଖେ ଅଭିରାମ

ଝାରସୁଗୁଡ଼ା : ନିଶା ନିବାରଣ କରିବା ସହିତ ନିୟମିତ ବ୍ୟାୟାମ କରି ସୁସ୍ଥ ରହିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ବ୍ଲକ୍‌ ଦୁର୍ଲଗା ଗ୍ରାମର ୬୩ ବର୍ଷ ବୟସ୍କ ଅଭିରାମ ଶତପଥୀ ବୁଧବାର ସକାଳେ ପୁରୀ ଅଭିମୁଖେ ଦୌଡ଼ିବା ଆରମ୍ଭ କରିଛନ୍ତି। ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିକଟରୁ ସେ ତାଙ୍କର ଦୌଡ଼ ଆରମ୍ଭ କରିଛନ୍ତି। ରାଜ୍ୟରେ  ନିଶା ନିବାରଣ ସହିତ ଲୋକଙ୍କୁ ନିୟମିତ ବ୍ୟାୟାମ କରି ନିଜକୁ ସୁସ୍ଥ ଓ ନିରୋଗ ରଖିବା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ସେ ଏହି ବୟସରେ ୪୭୫ କିମି ରାସ୍ତା ଦୌଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ଶତପଥୀ ଆସନ୍ତା ୨୨ ତାରିଖ ଦିନ ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବ‌େ ବୋଲି କହିଛନ୍ତି। ୧୯ ତାରିଖ ଦିନ ସେ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରଖିଛନ୍ତି। ଓପିଟିସିଏଲ୍‌ରେ ଚାକିରି କରି ଅବସର ଗ୍ରହଣ କରିଥିବା ଶ୍ରୀ ଶତପଥୀ କୁହନ୍ତି ଯେ ସେ ଶ୍ବାସ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟ ପାଉଥିଲେ। ତେବେ ଜଣେ ସଂପର୍କୀୟଙ୍କ ପରାମର୍ଶ ମାନି ଚଲାଚଲି କରିଥିଲେ। ପରେ କିଛି କିଛି ଦୌଡ଼ିବା ମଧ୍ୟ ଆରମ୍ଭ କରିଥିଲେ। ଏବେ ସେ ଦୈନିକ ୨୫ କିମି ଦୌଡ଼ିଥାନ୍ତି। ପ୍ରତିଦିନ ସକାଳେ ସେ ଦୁର୍ଲଗା ଗ୍ରାମରୁ ‌ ଝାରସୁଗୁଡ଼ା ସରବାହାଲ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଆସିଥାନ୍ତି ଓ ସେଠାରୁ ପୁଣି ଦୌଡ଼ି ଦୌଡ଼ି ଫେରିଥାନ୍ତି। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କୁହନ୍ତି। ପୁରୀ ଦୌଡ଼ିବା ସଂପର୍କରେ ସେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେବାରୁ ଜିଲ୍ଲାପାଳ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ମାଗି ଥିଲେ। ପରୀକ୍ଷା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା। ଆଜି ସେ ତାଙ୍କର ଦୌଡ଼ ଆରମ୍ଭ କରିବା ବେଳେ ସହରର ବହୁ ବ୍ୟକ୍ତବିଶେଷ ଓ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ସମ୍ବନ୍ଧିତ ଖବର