ଗଛକୁ ପିଟିଲା କାର୍‌: କଲେଜ ଛାତ୍ର ମୃତ, ୩ ଗୁରୁତର

ରାଉରକେଲା: ଏକ ୱାଗନ୍‌-ଆର୍‌ କାର୍‌ ଭାରସାମ୍ୟ ହରାଇ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବ ଗଛରେ ପିଟି ହୋଇଯିବାରୁ ଜଣେ କଲେଜର ଛାତ୍ରର ମୃତ୍ୟୁ ହୋଇଛି। ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ରଜଣକ ହେଲେ ଦେବଗଡ଼ର ନିଦେଶ ସାମଲ (୧୬)। ତିନି ଆହତ ଲହୁଣୀପଡାର ଶ୍ୟାମ ଶୁଭମ୍‌ ଦାସ (୧୮), ଦେବଗଡ଼ର ଅଭିଷେକ ପ୍ରଧାନ (୧୭) ଓ ରୋମାନ୍‌ଚଲ (୩୭)ଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଶ୍ୟାମ ଶୁଭମ୍‌ ଦାସଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ରୋମାନ୍‌ଚଲ ଓ ଅଭିଷେକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ଚାନ୍ଦିପୋଷ ପୁଲିସ ମୃତ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ଦେବଗଡ଼ର ନିତେଶ, ଅଭିଷେକ ଓ ରୋମାନ୍‌ଚଲ୍‌ କାର୍‌ (ଓଡି୧୪ସି-୩୪୯୨)ରେ ଦେବଗଡ଼ରୁ ରାଉରକେଲା ସରକାରୀ କଲେଜକୁ ଆଡମିଟ୍‌ କାର୍ଡ ପାଇଁ ଆସୁଥିଲେ। ଲହୁଣୀପଡାରୁ ଶ୍ୟାମ ଶୁଭମଙ୍କୁ ଉଠାଇଥିଲେ। ଜାତୀୟ ରାଜପଥର ଜାନ୍ଦିପୋଷ ଥାନା କୁଚେଇତା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛପଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ନିତେଶ, ଅଭିଷେକ ଓ ରୋମାନ୍‌ଚଲ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ କାର୍‌ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ଆର୍‌ଜିଏଚ୍‌କୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନିତେଶଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର