ବାଲି ବୋଝେଇ ଟ୍ରକ-ଟାଟା ଏସି ମୁହାଁମୁହିଁ ଧକ୍କା: ଶାଶୁ ମୃତ, ଜ୍ୱାଇଁ ଗୁରୁତର

ଠାକୁରମୁଣ୍ଡା: ଠାକୁରମୁଣ୍ଡାଠାରୁ ୧ କିମି ଦୂର ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ରାତି ପ୍ରାୟ ୮.୨୦ ମିନିଟ ସମୟରେ ଏକ ବାଲି ବୋଝେଇ ଟ୍ରକ ସହିତ ଟାଟା ଏସି ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଏହାଫଳରେ ଘଟଣାସ୍ଥଳରେ ଟାଟା ଏସିରେ ବସି ଯାଉଥିବା ଜଣେ ମହିଳାଙ୍କର  ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨ ବର୍ଷ ନାତି ଗାଡ଼ି ଭିତରୁ ଛିଟିକି ପଡି ରାସ୍ତାକଡରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲା।

ଟାଟା ଏସି ଚାଳକ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ।ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହେଉଥିବା ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଡାକ୍ତର ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି।

ମୃତ ମହିଳା ଜଣକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗ୍ରାମର ରାନୁ ମାରାଣ୍ଡି(୫୦) ହୋଇଥିବା ବେଳେ ଗୁରୁତର ଡ୍ରାଇଭର ଜଣକ ତାଙ୍କର ଜ୍ବାଇଁ ଗାନ୍ଧୀ ହେମ୍ବ୍ରମ (୨୫), ଏବଂ ଆହତ ଶିଶୁ ଜଣକ ଡ୍ରାଇଭର ଗାନ୍ଧୀଙ୍କ ପୁଅ ଲାଖାଏ ହେମ୍ବ୍ରମ (୨) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଓଡି ୧୧ ଏ ୪୦୧୮ ନମ୍ବର ବିଶିଷ୍ଟ ଟ୍ରକ ବାଲି ବୋଝେଇ କରି ଆନନ୍ଦପୁରରୁ ଠାକୁରମୁଣ୍ଡା ଆସୁଥିବା ବେଳେ ଚକୁଳିଆ ଗ୍ରାମରୁ ପତ୍ରତୋଳା ଗ୍ରାମକୁ ଟାଟା ଏସି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ବାଲି ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ପୁଲିସ ଗାଡ଼ିଦୁଇଟିକୁ ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର