ଭିଜିଲାନ୍ସ ପଞ୍ଝାରେ ଗୁରୁଣ୍ଡିଆ ବିଇଓ ଅଫିସର ଆକାଉଣ୍ଟାଣ୍ଟ

ରାଉରକେଲା/ଗୁରୁଣ୍ଡିଆ : ନୂଆ ସର୍ଭିସ୍‌ ବୁକ୍‌ ଓ ପେନ୍‌ସନ୍‌ ଆକାଉଣ୍ଟ ଖୋଲିବାକୁ ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ୪୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁଣ୍ଡିଆ ବ୍ଳକ ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ପ୍ରଫୁଲ୍ଲ କୁମାର ପତି ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି। ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀ ରାସାୟନିକ ରଙ୍ଗବୋଳା ୪୫୦୦ ଟଙ୍କା ଜବତ କରିଛନ୍ତି। ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ପରମେଶ୍ବର କିସାନଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଟିମ୍‌ ଆକାଉଣ୍ଟାଣ୍ଟ ପ୍ରଫୁଲ୍ଲଙ୍କ କାର୍ଯ୍ୟାଳୟ ଓ ଛେଣ୍ଡସ୍ଥିତ ବାସଭବନ ଉପରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ପରେ ଗିରଫ ଆକାଉଣ୍ଟାଣ୍ଟ ପ୍ରଫୁଲ୍ଲକୁ ସମ୍ବଲପୁରସ୍ଥିତ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗୁରୁଣ୍ଡିଆ ବ୍ଳକ ସୋଲେ ପଞ୍ଚାୟତ ଅନ୍ତର୍ଗତ ସୁଲେଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯ ଜଣ ସହକାରୀ ଶିକ୍ଷକ ସେମାନଙ୍କ ସର୍ଭିସ୍‌ ବୁକ୍‌ ଓ ନୂଆ ପେନ୍‌ସନ୍‌ ଆକାଉଣ୍ଟ ଖୋଲିବାକୁ ଗୁରୁଣ୍ଡିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ପ୍ରଫୁଲ୍ଲ କୁମାର ପତିଙ୍କୁ କହିଥିଲେ। ଶ୍ରୀ ପତି ଜଣପିଛା ୫ ଶହ ଟଙ୍କା ଦେବାକୁ ଦାବି କରିଥିଲେ। ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବିଲୁଙ୍ଗ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ନିରାଶ ହେବା ପରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ପରମେଶ୍ବର କିସାନଙ୍କ ସହ ଯୋଗାଯୋଗ କରିଥିଲେ।

ସମ୍ବନ୍ଧିତ ଖବର