ଥାନାରୁ ଚମ୍ପଟ୍‌ ଅଭିଯୁକ୍ତର ଆତ୍ମହତ୍ୟା

ଉତ୍ତେଜନା-ରାସ୍ତାରୋକ, ମୃତକଙ୍କ ପତ୍ନୀଙ୍କୁ ହୋମଗାର୍ଡ ଚାକିରି, ପୁଲିସ ବିରୁଦ୍ଧରେ ହତ୍ୟା ଅଭିଯୋଗ, ଆଇଆଇସି ନିଲମ୍ବିତ

କେନ୍ଦ୍ରାପଡ଼ା/ମହାକାଳପଡ଼ା/ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ପରେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଦୀର୍ଘ ସମୟ ଧରି ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଥିଲେ। ପୁଲିସ୍‌ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଥିଲେ। ଆଇଆଇସିଙ୍କୁ ନିଲମ୍ବିତ ସହିତ ମୃତକଙ୍କ ପତ୍ନୀଙ୍କୁ ହୋମଗାର୍ଡ ଚାକିରି ପ୍ରତିଶ୍ରୁତି ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।

ମୃତ ଅଭିଯୁକ୍ତ ହେଉଛନ୍ତି ବ୍ଲକ୍‌ ଅନ୍ତର୍ଗତ ବାଲଣା ଗ୍ରାମର ମୂଷା ଓରଫ ଅବିନାଶ ପାଇଟାଳ। ମହାକାଳପଡ଼ା ପୁଲିସ୍‌ ଗତକାଲି ଏକ ଚୋରି ଅଭିଯୋଗରେ ତାଙ୍କୁ ଥାନାକୁ ଆଣିଥିଲେ। ଆଜି ସକାଳେ ଥାନାଠାରୁ କିଛି ଦୂରରେ ଥିବା ଏକ ନିର୍ମାଣାଧୀନ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଅବିନାଶଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୁଲିସ ତାଙ୍କୁ ପିଟି ମାରି ଦେବା ପରେ ସେଠାରେ ଟାଙ୍ଗି ଦେଇଛି। ଗୋଡ଼ରେ ଥିବା ମାଡ଼ଚିହ୍ନରୁ ନିର୍ଯାତନା ସମ୍ପର୍କରେ ପ୍ରମାଣ ମିଳିଛି।

ଏହି ଘଟଣାକୁ ନେଇ ଆଜି ଦିନତମାମ୍‌ ମହାକାଳପଡ଼ା ଥାନା ଓ ମୂଷାଙ୍କ ଗାଁ ବାଲଣା(ମାର୍ଶଘାଇ ଥାନା ଅଞ୍ଚଳ)ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟଙ୍କୁ ହୋମଗାର୍ଡ଼ ଚାକିରି ଦାବିରେ ଲୋକେ ମାର୍ଶାଘାଇ-ଜମ୍ବୁ ମୁଖ୍ୟ ରାସ୍ତାର ବାଲଣା ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ, ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମଟର ଅଟକି ରହିଥିଲା। ଏହାପରେ ମୃତକଙ୍କ ପତ୍ନୀଙ୍କୁ ହୋମ୍‌ଗାର୍ଡ ଚାକିରି, ୨ଲକ୍ଷ ୧୦ହଜାର ଟଙ୍କା କ୍ଷତିପୂରଣ ଓ ମହାକାଳପଡ଼ା ଥାନାଧିକାରୀ ଶ୍ୟାମଘନ ବେହେରାଙ୍କ ବିରୋଧରେ ମାମଲା ରୁଜୁ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପକ୍ଷରେ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଶ୍ରୀ ବେହେରାଙ୍କୁ ନିଲମ୍ବିତ କରାଯାଇ କଟକ କେନ୍ଦ୍ରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ଏଥିସହ ଘଟଣାରେ ସଂପୃକ୍ତ ଥିବା ମହାକାଳପଡ଼ା ଥାନାର ଅନ୍ୟ ପୁଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜି ଶ୍ରୀ ଶର୍ମା କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର