ଶ୍ରୀମନ୍ଦିରରେ ପାଳିତ ହେଲା ବଳଭଦ୍ରଙ୍କ ଜନ୍ମୋତ୍ସବ : ରାକ୍ଷୀ ପିନ୍ଧିଲେ ଶ୍ରୀଜଗନ୍ନାଥ

ପୁରୀ : ଶ୍ରୀମନ୍ଦିରରେ ଆଜି ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ମଠ, ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା। ସମାଜକୁ ଭାଇଭଉଣୀର ଅତୁଟ ସଂପର୍କର ବାର୍ତା ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଆଜି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରାକ୍ଷୀ ପରିଧାନ କରିଛନ୍ତି। ମା ସୁଭଦ୍ରା ଆଜି ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧି ଜନମଜନମର ସୁରକ୍ଷା କାମନା କରିବା ସହ ଆଶୀର୍ବାଦ ନେଇଛନ୍ତି।

ଶ୍ରୀମନ୍ଦିରରେ ଆଜି ବଳଭଦ୍ରଙ୍କ ଜନ୍ମୋତ୍ସବ ଓ ଗହ୍ମା ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଦଇତାପତି ସେବକମାନେ ଚଉଦୋଳରେ ପ୍ରଭୁ ସୁଦର୍ଶନଙ୍କୁ ବିଜେ କରାଇଥିଲେ। ପାଟପତନି ଓ ଚୁଳ ସୁଦର୍ଶନଙ୍କ ମସ୍ତକରେ ଲାଗି ହେବା ପରେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପରେ ବିଜେ କରାଯାଇ ସୁବର୍ଣ୍ଣ ଓଡ଼ିଆଣି ଓ ହରଡ଼ମାଳ ଲାଗି କରାଯାଇଥିଲା। ପରେ ବିମାନବଡ଼ୁ ସେବକମାନେ ସୁଦର୍ଶନଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ମାର୍କଣ୍ଡେୟ ପୁଷ୍କରିଣୀ ନିକଟକୁ ନେଇଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ମାର୍କଣ୍ଡେୟ ପୁଷ୍କରିଣୀଠାରେ ସୁଦର୍ଶନ ପହଞ୍ଚିବା ପରେ ବଳଭଦ୍ରଙ୍କ ଜନ୍ମ ନୀତି ଆରମ୍ଭ ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବଳଭଦ୍ରଙ୍କ ମାଟି ମୂର୍ତି ପାଇଁ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତିକୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା। ଏହି ନୀତି ସଂପନ୍ନ କରି ସୁଦର୍ଶନ ଶ୍ରୀମନ୍ଦିରକୁ ଫେରିଥିଲେ। ଫେରିବା ବାଟରେ ୨୧ ଜାଗାରେ ପନ୍ତି ଭୋଗ ଲାଗି କରାଯାଇଥିଲା। ଏହି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୋଇରାଣି ପତନି, ଷଷ୍ଠୀ ମାର୍କଣ୍ଡ ବରୁଣ ପୂଜା ସାମଗ୍ରୀ, ସୂତା ଲାଗିଥିବା ପାଟ ରାକ୍ଷୀ ଯୋଗାଇ ଦିଆଯାଇଥିଲା। ସୁଆରମାନଙ୍କ ପକ୍ଷରୁ ମାଳିପାତ୍ର ସଜ ଓ ମଙ୍ଗଳାର୍ପଣ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ମୂର୍ତି ନିର୍ମାଣ ପାଇଁ କୁମ୍ଭାରମାନେ ଚିକିଟା ମାଟି ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦେଇଥିଲେ। ଆଜି ଭୋଗମଣ୍ଡପ ବଢ଼ିବା ପରେ ୩ ବାଡ଼ରେ ମଇଲମ ହୋଇ ମହାସ୍ନାନ କରାଯାଇଥିଲା। ସିଂହାସନ ଉପର ସଂସ୍କାର କରାଯାଇ ବୋଇରାଣି ପତନି ଲାଗି ହୋଇଥିଲା। ଦକ୍ଷିଣୀଭୁଜରୁ ଗୋଟିଏ ଓ ଉତ୍ତର ଭୁଜରେ ୨ଟି, ଏପରି ୩ଟି ଆଜ୍ଞାମାଳ ଲାଗି ହୋଇଥିଲା। ପୁଷ୍ପାଳକ ରତ୍ନ ସିଂହାସନରୁ ଓହ୍ଲାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ୪ ଖଣ୍ଡ ସୁନା ଲାଗିଥିବା ପାଟ ରାକ୍ଷୀ ଓ ଗୁଆରମାଳ ଲାଗି ହୋଇଥିଲା।

ସମ୍ବନ୍ଧିତ ଖବର