ଧଉଳିରେ ଅଭାବନୀୟ ଘଟଣା: କୋର୍ଟ ମ୍ୟାରେଜ୍ କରିଥିବା ଯୁବତୀଙ୍କ ଉପରକୁ ଯୁବକଙ୍କ ଏସିଡ୍ ମାଡ଼

ବାଲିଅନ୍ତା: ରାଜଧାନୀର ଧଉଳି ଅଞ୍ଚଳରେ  ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଜଣେ ଯୁବତୀଙ୍କ ଉପରକୁ ଏସିଡ ମାଡ଼ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ଏହାପରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବକଜଣକ ଫେରାର ହୋଇଯାଇଥିବା କୁହାଯାଉଛି। ତେବେ ଯୁବତୀଙ୍କ ପକ୍ଷରୁ କରାଯାଇଥିବା ଏଫଆଇଆରରେ ଏସିଡ୍ ମାଡ଼ କଥା ଉଲ୍ଲେଖ ଥିବା ବେଳେ ପୁଲିସ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଯାଇଥିବା କଥା କହୁଛି।

ଅପରପକ୍ଷରେ ଏ ଘଟଣା ସଂପର୍କରେ ଧଉଳି ଥାନା ଅଧିକାରୀ କହଛନ୍ତି, ଉକ୍ତ ଯୁବକ ଓ ଯୁବତୀ ଭଲ ପାଇ ପରିବାର ଲୋକଙ୍କୁ ନ ଜଣାଇ ପ୍ରାୟ ବର୍ଷକ ତଳେ କୋର୍ଟ ମ୍ୟାରେଜ୍ କରିଥିଲେ। ବାହାଘର ପରେ ଉଭୟେ ନିଜ ନିଜ ଘରେ ରହୁଥିଲେ। କିନ୍ତୁ ଯୁବତୀଜଣକ ଶାଶୁଘରକୁ ଯିବା ଲାଗି ଯୁବକଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ। ଏଣୁ ଯୁବତୀଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟେଇବା ଲାଗି ଧଉଳିକୁ ଡାକିଥିଲେ। ସେଠାରେ ଯୁବକଜଣକ ଯୁବତୀଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗେଇଦେଇଥିଲେ। ଏଥିରେ ଯୁବତୀଙ୍କ ଦେହର କିଛି ଅଂଶ ପୋଡ଼ିଯାଇଥିଲା।

ଖବର ପାଇ ଧଉଳି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଘଟଣାସ୍ଥଳରୁ ଯୁବକଜଣକ ଫେରାର ହୋଇଯାଇଥିଲେ। ଉଭୟଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର