ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ : ପୁଲିସ କମିସନର

ଭୁବନେଶ୍ୱର: ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ। ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକମାନଙ୍କୁ ସାମାଜିକ ଦୂରତାର ମହତ୍ୱ ବୁଝିବାକୁ ପଡ଼ିବ। ଏଥି ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ। ପ୍ରତ୍ୟେକ ମଣିଷଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। କରୋନା ଭାଇରସ ସହ ଲଢ଼େଇ ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରୁଛି ବୋଲି ପୁଲିସ କମିସନର କହିଛନ୍ତି। ଏଥିସହ ସେ କହିଛନ୍ତି କଟକ-ଭୁବନେଶ୍ବରର ୩୦ ଲକ୍ଷ ଲୋକଙ୍କୁ ଜଗିବା ପୁଲିସ ପକ୍ଷରେ ସମ୍ଭବ ନୁହେଁ। ତେଣୁ ପ୍ରଥମେ ବିଭିନ୍ନ ଜନଗହଳି ହେଉଥିବା ସ୍ଥାନରେ ମାଇକ ଯୋଗେ ପ୍ରଚାର କରାଯାଇ ସାମାଜିକ ଦୂରତା ଭାଙ୍ଗୁଥିବା ଲୋକଙ୍କୁ ସଚେତନ କରାଯିବ। ଯେଉଁମାନେ ସଚେତନ ହେବେନି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇଛନ୍ତି ପୁଲିସ କମିସନର ଡ.ଷଢ଼ଙ୍ଗୀ।

ଲକଡାଉନ କୋହଳ ହେବା ପରେ ଲୋକେ ଆଉ କରୋନା ନିୟମ ମାନୁ ନାହାନ୍ତି । ଅନେକ ଲୋକ ମାସ୍କ ପିନ୍ଧୁ ନାହାନ୍ତି, ସାମାଜିକ ଦୂରତା ମାନୁ ନାହାନ୍ତି । ବିନା ମାସ୍କରେ ଗାଡିରେ ବୁଲୁଛନ୍ତି ପୁଲିସକୁ ଦେଖିଲେ ନାକ ଉପରକୁ ମାସ୍କ ଉଠାଇ ଦେଉଛନ୍ତି । ସବୁ ବେଳେ, ସବୁ ସ୍ଥାନରେ ପୋଲିସ ନିୟମକୁ କାର୍ଯ୍ୟକାରୀ ପାଇଁ ଜଗିବା ସମ୍ଭବ ନୁହେଁ ତେଣୁ ଲୋକେ ନିଜେ ସଚେତନ ହେବା ଦରକାର । ମନେ ରଖନ୍ତୁ କରୋନା ଯାଇନି ତେଣୁ ସମସ୍ତେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ବୋଲି ଚେତାଇ ଦେଇଛନ୍ତି ପୁଲିସ କମିସନର।

ସମ୍ବନ୍ଧିତ ଖବର