ଆସନ୍ତା ଶିକ୍ଷାବର୍ଷରୁ ତାଳଚେରରେ ପ୍ରତିଷ୍ଠିତ ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସ ଆଣ୍ଡ ରିସର୍ଚ୍ଚରେ ନାମଲେଖା

ସମ୍ବଲପୁର/ଅନୁଗୁଳ : ମହାନଦୀ କୋଲଫିଲ୍‌ଡ ଲିମିଟେଡ୍ ଦ୍ବାରା ୪୯୨ କୋଟି ଟଙ୍କା ବ୍ୟୟରେ ତାଳଚେରରେ ପ୍ରତିଷ୍ଠିତ ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସ ଆଣ୍ଡ ରିସର୍ଚ୍ଚ (ମିମ୍‌ସାର)ରେ ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ କରାଯିବାର ଯୋଜନା ରହିଛି ବୋଲି ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭେଳାନାଥ ଶୁକ୍ଳା ସୂଚନା ଦେଇଛନ୍ତି। ଏହି ଅନୁଷ୍ଠାନରେ ୧୦୦ ଛାତ୍ରଛାତ୍ରୀଙ୍କୁ ନେଇ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଆରମ୍ଭ ହେବ। ଏଥିରେ ମହାନଦୀ କୋଇଲା କ୍ଷେତ୍ରାଞ୍ଚଳର ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେଭଳି ନାମଲେଖାଇ ପାରିବେ ସେଥିଲାଗି ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । କୋଇଲା କ୍ଷେତ୍ର ଅଂଚଳ ତଥା ପରିପାର୍ଶ୍ବରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଜାରି କରିଥିବା ଏକ ବିବୃତ୍ତିରେ ଶ୍ରୀ ଶୁକ୍ଳା କୋଇଲା କ୍ଷେତ୍ର ଓ ଏହା ଆଖପାଖ ଅଞ୍ଚଳର ଅଧିକରୁ ଅଧିକ ଛାତ୍ରଛାତ୍ରୀ ମିମ୍‌ସାର୍‌ରେ ନାମ ଲେଖାଇବା ଉପରେ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ତାଳଚେର ଓ ଇବ୍‌ ଭ୍ୟାଲି କୋଇଲା କ୍ଷେତ୍ର ତଥା ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ କୋଚିଂ ପ୍ରଦାନ କରି ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଶ୍ରୀ ଶୁକ୍ଳା ଆହ୍ବାନ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ନିଟ୍‌ ପ୍ରସ୍ତୁତିର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କଣ କରାଯାଇ ପାରିବ, ସେ ସଂପର୍କରେ ଶ୍ରୀ ଶୁକ୍ଳା ଆବଶ୍ୟକ ପରାମର୍ଶ ଲୋଡ଼ିଛନ୍ତି। ଏନେଇ ଉପାଦେୟ ପରାମର୍ଶ ଏମ୍‌ସିଏଲ୍‌ ଅଧ୍ୟକ୍ଷଙ୍କ ବୈଷୟିକ ସଚିବଙ୍କୁ ଇମେଲ୍‌ ଯୋଗେ ପଠାଇବାକୁ ଶ୍ରୀ ଶୁକ୍ଳା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର