ଅଶୋଧିତ ତୈଳ ଷ୍ଟୋର୍ ପାଇଁ ଏମ୍‌ଓୟୁ

ଭୁବନେଶ୍ବର : ୟୁଏଇର ଆବୁଧାବିରେ ଆଜି ଇଣ୍ଡିଆନ୍ ଷ୍ଟ୍ରାଟେଡିକ୍ ରିଜର୍ଭସ୍ ଲିମିଟେଡ୍(ଆଇଏସ୍‌ପିଆର୍‌ଏଲ୍‌) ଓ ଆବୁଧାବି ନ୍ୟାସ୍‌ନାଲ୍‌ ଅଏଲ୍‌ କମ୍ପା‌ନି(ଏଡିଏନ୍‌ଓସି) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସ୍ବାକ୍ଷର ହୋଇଥିବା ଏହି ବୁଝାମଣାପତ୍ର ଅନୁଯାୟୀ କର୍ଣ୍ଣାଟକର ପାଡୁର ଠାରେ ଆଇଏସ୍‌ପିଆର୍‌ଏଲ୍‌ର ଭୂତଳ ତୈଳ ଷ୍ଟୋରେଜ୍‌ ସୁବିଧାରେ ଏଡିଏନ୍‌ଓସିର ଅଶୋଧିତ ତୈଳ ଷ୍ଟୋର୍ କରିବା ପାଇଁ ସମ୍ଭାବନାର ଯାଞ୍ଚ୍ କରାଯିବ। ପରେ ଏଡିଏନ୍‌ଓସି ସେଠାରେ ଅଶୋଧିତ ତୈଳ ଷ୍ଟୋର୍ କରିବ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ଏହି ବୁଝାମଣାପତ୍ର ଫଳରେ ଦେଶରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭକୁ ଶକ୍ତିଶାଳୀ କରିବା ଦିଗରେ ସହାୟତା ମିଳିବ। ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ। ସେହିପରି ଏହି ବୁଝାମଣା ପତ୍ର ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରକୁ ଶକ୍ତିଶାଳୀ କରିବା ସହ ସମ୍ପ୍ରସାରଣ ପାଇଁ ସୁଯୋଗ ସୃଷ୍ଟି କରିବ। ବୁଝାମଣାପତ୍ର ସ୍ବାକ୍ଷର ସମୟରେ ୟୁଏଇର ମନ୍ତ୍ରୀ ସୁଲତାନ ଅହମ୍ମଦ ଅଲଜବାର ଉପସ୍ଥିତ ଥିଲେ। ଏଡିଏନ୍‌ଓସି ପକ୍ଷରୁ ଅବଦୁଲ୍ଲା ସଲେମ ଅଲ ଧାହେରୀ ଓ ଆଇଏସ୍‌ପିଆର୍‌ଏଲ୍‌ ପକ୍ଷରୁ ଏଚ୍‌ପିଏସ୍‌ ଆହୁଜା ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।

ସମ୍ବନ୍ଧିତ ଖବର