କଟକରେ ଚିନ୍ତା ବଢାଇଲା ଘରୋଇ କଲେଜ : ପୁଣି ୧୩ ଆକ୍ରାନ୍ତ, ୧୦ଦିନ କଲେଜ ବନ୍ଦ

ନେଗେଟିଭ୍‌ ଥିବା ଛାତ୍ରଛାତ୍ରୀ ବି ଆଇସୋଲେସନ୍‌ରେ ରହିବେ
୫ପଜିଟିଭ୍‌ ଛାତ୍ରଙ୍କୁ ନେଇଗଲେ ଅଭିଭାବକ
୪ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କଲା ପ୍ରଶାସନ
ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଜଣେ ମୃତ

କଟକ : କଟକରେ ପୁଣି କଡ଼ ଲେଉଟାଇଲାଣି କରୋନା। ଅରୁଣୋଦୋୟ ନଗରସ୍ଥିତ ଗୋଟିଏ ଘରୋଇ ସାଇନ୍ସ କଲେଜରେ ଦୁଇଦିନରେ ୨୫ ଜଣ ଆକ୍ରାନ୍ତ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତକାଲି ୧୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ପୁଣି ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦ଦିନ ପାଇଁ କଲେଜ ବନ୍ଦ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ୧୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୭୧ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଫଳରେ ସିଏମ୍‌ସି ପକ୍ଷରୁ କଲେଜକୁ ୧୦ଦିନ ପାଇଁ ବନ୍ଦ ରଖାଯିବା ପାଇଁ ସିଏମ୍‌ସି ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମସ୍ତ ସଂକ୍ରମିତଙ୍କୁ କଲେଜ ହଷ୍ଟେଲରେ ରଖାଯାଇଥିବା ବେଳେ ନେଗେଟିଭ୍‌ ଆସିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାତଦିନ ଆଇସୋଲେସନ୍‌ରେ ରଖାଯିବ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଗତକାଲି ପଜିଟିଭ୍‌ ଚିହ୍ନଟ ହୋଇଥିବା ୫ଜଣ ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଭିଭାବକ ଆସି ଘରକୁ ନେଇଯାଇଛନ୍ତି। କେମିତି ‌ ଜିଲ୍ଲା ପ୍ରଶାସନକୁ ନ ଜଣାଇ ସଂକ୍ରମିତଙ୍କୁ ଘରକୁ ଛାଡ଼ି ଦିଆଗଲା ସେ ସଂପର୍କରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତାଗିଦ୍‌ କରାଯାଇଛି। ‌ତେବେ, ଏ ସମ୍ପର୍କରେ ପ୍ରଶାସନ ଜଗତ୍‌ସିଂହପୁର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛନ୍ତି। ସେମାନଙ୍କୁ ନିଜନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଜିଲ୍ଲା କୋଭିଡ୍‌ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖ‌ଯୋଗ୍ୟ ଯେ, କଟକ ଅରୁଣୋଦୋୟ ନଗରସ୍ଥିତ ଏହି ଘରୋଇ ସାଇନ୍ସ କଲେଜର କିଛି ଛାତ୍ରଛାତ୍ରୀ ଥଣ୍ଡା, କାଶ, ଜ୍ବରରେ ପୀଡ଼ିତ ଥିଲେ। ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବାରେ ଗତକାଲି ୧୨ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ‌ତେବେ ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀଙ୍କ ସହିତ ମିଳାମିଶା କରିଥିବା କିଛି ଛାତ୍ରଛାତ୍ରୀ ମଧ୍ୟ ଲକ୍ଷଣଯୁକ୍ତ ଥିଲେ। ଗତକାଲି ରାତିରୁ ସିଏମ୍‌ସିର ଆରଆରଟି ଟିମ୍‌ କଲେଜରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଥିଲେ। ଆଜି ସକାଳୁ ସିଏମ୍‌ସିର ୨ଟି ଟିମ୍‌ ପହଞ୍ଚି ସ୍ବାବ୍‌ ସଂଗ୍ରହ କରିଥିଲେ। ଗୁରୁବାର ୭୧ଜଣଙ୍କର ସ୍ବାବ୍‌ ସଂଗ୍ରହ କରାଯାଇ ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇଥିଲା। ସେଥିରୁ ୧୪ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିବା ପରେ କିପରି ସଂକ୍ରମଣ ଆଗକୁ ନ ବଢ଼େ ସେଥିପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି। ଡିସିପି, ସ୍ଥାନୀୟ ଥାନା ଅଧିକାରୀ ଓ ଅନ୍ୟମାନଙ୍କୁ ଏହି ଘଟଣା ସଂପର୍କରେ ଅବଗତ କରାଯାଇଛି ଏବଂ ସମସ୍ତେ ମଧ୍ୟ ଏଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ଜିଲ୍ଲା କୋଭିଡ୍‌ ନୋଡାଲ ଅଫିସର ସୂଚନା ଦେଇଛନ୍ତି।

ଏହିଭଳି ଏକ ସ୍ଥିତିରେ ଗୋଟିଏ ଆଶ୍ବାସନାର ବିଷୟ ହେଉଛି, ଏସ୍‌ସିବିରେ ସଂକ୍ରମିତଙ୍କ ସଂଖ୍ୟା କମୁଛି । ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଆଇସିୟୁରେ ୧୦ଜଣ ଚିକିତ୍ସିତ ହେଉଥିବାବେଳେ ୱାର୍ଡରେ ମାତ୍ର ଜଣେ ଚିକିତ୍ସିତ ହେଉଛନ୍ତି। ମାତ୍ର, ଗତକାଲି ବିଳମ୍ବିତ ରାତିରେ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ଘଟିଥିବା ଓ ତାଙ୍କ ଘର ସାଲେପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। କିନ୍ତୁ କୋଭିଡ୍‌ କାରଣରୁ ନା ଅନ୍ୟ କିଛି ସେ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ଏସ୍‌ସିବି କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟବିଭାଗ ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧିତ ଖବର