ରାଜ୍ୟରେ ପୁଣି ପ୍ରବଳ ବର୍ଷା ସମ୍ଭାବନା, ୩ ସପ୍ତାହରେ ୩ ଲଘୁଚାପ

ପୁଣିଥରେ ଓଡ଼ିଶା ବର୍ଷାଜଳରେ ଉବୁଟୁବୁ ହେବ

ଭୁବନେଶ୍ବର : ଚଳିତ ସେପ୍ଟେମ୍ବର ମାସରେ ପୁଣିଥରେ ଓଡ଼ିଶା ବର୍ଷାଜଳରେ ଉବୁଟୁବୁ ହେବ। ଆସନ୍ତା ୩ ସପ୍ତାହ ମଧ୍ୟ‌ରେ ତିନିତିନିଟି ଲଘୁଚାପ ସାଙ୍ଗକୁ ମୌସୁମୀ ବର୍ଷା ପୁଣିଥରେ ସକ୍ରିୟ ହେବାକୁ ଥିବାରୁ ଏପରି ଆଶଙ୍କା ପ୍ରକାଶ ପାଇଛି। ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଥିବା ବେଳେ ବିଭିନ୍ନ ମଡେଲ ମଧ୍ୟ ଏଥିରେ ମୋହର ମାରିଛନ୍ତି। ୬ ତାରିଖରୁ ରାଜ୍ୟରେ ହଠାତ୍‌ ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଯିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ମୌସୁମୀ ବିରତି ସ୍ଥିତି ଜାରି ରହିଥିବାରୁ ଦିନରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୫ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନ‌ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୬ ତାରିଖ ଦିନ କୋରାନୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୭ ତାରିଖ ଆଡ଼କୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ରାଜ୍ୟରେ ପ୍ରବଳ ବର୍ଷିବ ଓ ମୌସୁମୀ ମଧ୍ୟ ଏହାର ପ୍ରଭାବରେ ସକ୍ରିୟ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଭିନ୍ନ ମଡେଲର ଆକଳନରୁ ଜଣାପଡ଼ୁଛି ସେପ୍ଟେମ୍ବରର ପ୍ରଥମ ୩ ସପ୍ତାହ ମଧ୍ୟରେ ୩ଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗତକାଲି ଏଭଳି ଆକଳନ କରିଛି ଜିଏଫ୍‌ଏସ୍‌-ଏନ୍‌ସିଇପି ମଡେଲ। କିନ୍ତୁ ଏନ୍‌ସିଏମ୍‌ଡବ୍ଲ୍ୟୁଏଫ୍‌ ମଡେଲ କିଛି ଅଲଗା ଆକଳନ କରିଛି। ମଡେଲର ଆକଳନ କହୁଛି, ଆଗକୁ ମାତ୍ର ୨ଟି ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଥିବା ବେଳେ ଏହା ଅଧିକ ଘନୀଭୂତ ହେବନାହିଁ।

ପ୍ରଥମ ଲଘୁଚାପଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ୬ ବା ୭ ତାରିଖରେ ସୃଷ୍ଟି ହେବ। ତାହା ୯ ତାରିଖରେ ତେଲେଙ୍ଗାନା ଆଡ଼କୁ ମୁହାଁଇବ। ଏହାଦ୍ବାରା ଓଡ଼ିଶାକୁ ସାମୁଦ୍ରିକ ପବନ ବହିବ। ତାପମାତ୍ରା କମିବ। ଆକାଶ ଆଶିଂକ ମେଘୁଆ ହେବ। ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ।

ଦ୍ବିତୀୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ୯ ତାରିଖ ବେଳକୁ ସୃଷ୍ଟି ହେବ। ତାହା ଓଡ଼ିଶା ବା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ୧୧ ତାରିଖରେ ଛୁଇଁବ। ଏହା ସମୁଦ୍ରରେ ଥିବା ବେଳେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ଆକଳନରେ ସ୍ଥିରତା‌ ଆସି ପାରିନାହିଁ। ଥାଇଲାଣ୍ଡରେ ଏହି ସମୟରେ ଲଘୁଚାପ ସ୍ଥିର ହୋଇ ରହିବାର ସମ୍ଭାବନା ଥିବାରୁ ଦକ୍ଷିଣା ପବନ ସେହି ଆଡ଼କୁ ବହିବ ଓ ଏହା ଅଧିକ ଘନୀଭୂତ ହୋଇନପାରେ ବୋଲି ଏଥିରୁ ସୂଚନା ମିଳୁଛି। କିନ୍ତୁ ଜଳପତ୍ତନର ତାପମାତ୍ରା, ବାୟୁ ପ୍ରଚଳନ ଓ ଊର୍ଧ୍ବଗାମୀ ବାୟୁ ଘନୀଭୂତ ପାଇଁ ଅନୁକୂଳ ରହିଛି।

Image Courtesy of Zee News

ତୃତୀୟଟି ୧୩ରୁ ୧୬ ଭିତରେ ସୃଷ୍ଟି ହେବ ବୋଲି କିଛି ମଡେଲ ଆକଳନ କରିଛନ୍ତି। ଏହା ମଧ୍ୟ ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ଯାଇପାରେ। ଯଦି ଦ୍ବିତୀୟ ଲଘୁଚାପଟି ଅଧିକ ଘନୀଭୂତ ନ ହୁଏ, ତେବେ ତୃତୀୟଟି ଅଧିକ ଘନୀଭୂତ ହେବ ବୋଲି ଅନୁମାନ କରାଯାଉଛି।

ଆକଳନ କରାଯାଉଛି ଯେ ରାଜ୍ୟରେ ବିଶେଷ କରି ଉତ୍ତର ଓଡ଼ିଶାର ଦ୍ବିତୀୟ ସପ୍ତାହରେ ଭାରି ବର୍ଷା ହେବ। ସମୁଦାୟ ବର୍ଷା ସେପ୍ଟେମ୍ବର ମାସର ସ୍ବାଭାବିକ ବର୍ଷା (୨୨୭ମିମି)ର ପ୍ରାୟ ଅଧା ‌ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ହିଁ ହୋଇଯିବ। ତୃତୀୟ ଲଘୁଚାପ ଦ୍ବାରା ପୁଣି ପ୍ରବଳ ବର୍ଷା ଯୋଗୁଁ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର